Odiapua.com

ବିଶ୍ୱ ହୃଦ୍ ଦିବସ ଏବଂ ବିଶ୍ୱ ଜଳାତଙ୍କ ଦିବସ ପାଳିତ

ଭଦ୍ରକ, ୨୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ସମ୍ମିଳନୀ କକ୍ଷରେ ବିଶ୍ୱ ହୃଦ୍ ଦିବସ ଏବଂ ବିଶ୍ୱ ଜଳାତଙ୍କ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଭଦ୍ରକ ଆନୁକୂଲ୍ୟରେ ଅନୁଷ୍ଠିତ ବିଶ୍ୱ ହୃଦ୍‌ଦିବସ ପାଳନ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସନ୍ତୋଷ କୁମାର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ଜିଲ୍ଲା ଯକ୍ଷ୍ମା ଅଧିକାରୀ ଡାକ୍ତର ସନ୍ତୋଷ କୁମାର ପୃଷ୍ଟି, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଭାରତୀ ରାଉତ, ଅଧୀକ୍ଷକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ବରପଦା ଡାକ୍ତର ଉମେଶ ଚନ୍ଦ୍ର ଜେନା, ଅଧିକ୍ଷକ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଡାକ୍ତର ମିଶ୍ର ପ୍ରମୁଖ ଯୋଗ ଦେଇ ହୃଦ୍ ରୋଗର କାରଣ ନିରାକରଣ ଓ ପ୍ରାକ୍ ସଚେତନତା ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଉଚ୍ଚ ରକ୍ତଚାପ, ଡାଇବେଟିସ୍‌, ଧୂମପାନ, ମୋଟାପଣ, ମଦ୍ୟପାନ, ମାତ୍ରାଧିକ କୋଲେଷ୍ଟରଲ କେମିତି ହୃଦ୍‌ରୋଗକୁ ପାଛୋଟି ଆଣେ ଆଉ ଆମେ ଏସବୁଠୁ କିପରି ଦୂରେଇ ରହିବା ସେ ବିଷୟରେ ପରାମର୍ଶ ପ୍ରଦାନ କରିଥିଲେ । ଡି.ପି.ଏମ୍‌. ସରିତା ମହାପାତ୍ର ସଭା ପରିଚାଳନା କରିଥିଲେ । ସେହିପରି ବିଶ୍ୱ ଜଳାତଙ୍କ ଦିବସ ପାଳନରେ ସ୍କୁଲ ପିଲାମାନଙ୍କୁ ନେଇ ଆୟୋଜନ କରାଯାଇଥିବା ପ୍ରତିଯୋଗିତାର ବିଜୟୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଏଥିପାଇଁ କ୍ୱିଇଜ୍ ଓ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ରୟାଲ ସ୍କୁଲ, ବିନାୟକ କଲେଜ, ଜିଲ୍ଲା ସ୍କୁଲ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀମାନେ ଏହିସବୁ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସନ୍ତୋଷ କୁମାର ପାତ୍ର, ଡା. ଭାରତୀ ରାଉତ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡା. ହୃଷିକେଶ ବେହେରା ପ୍ରମୁଖ ଏହି ଉତ୍ସବରେ ଯୋଗଦେଇ ଜଳାତଙ୍କ ରୋଗକୁ କେମିତି ପ୍ରତିରୋଧ କରିହେବ ସେ ନେଇ ସଚେତନତା ଓ ସଠିକ୍ ସମୟରେ ସଠିକ୍ ଚିକିତ୍ସା ସମ୍ବନ୍ଧରେ ବିଷଦ ଆଲୋଚନା କରିଥିଲେ ।