Odiapua.com

ବିଶ୍ୱ ଶିକ୍ଷକ ଦିବସ ଉପଲକ୍ଷେ… ଶିକ୍ଷକ: ମଣିଷ ତିଆରି କାରଖାନାର କର୍ଣ୍ଣଧାର

ଶିକ୍ଷାନୁଷ୍ଠାନ ଗୁଡିକ ମଣିଷ ତିଆରି କାରଖାନା ଆଉ ସେହି କାରଖାନାରେ କାରିଗର ହେଉଛନ୍ତି ଶିକ୍ଷକ। ଜଣେ ଛାତ୍ରର ଭବିଷ୍ୟତ ଗଢ଼ିବାରେ ଶିକ୍ଷକମାନେ ବିଶ୍ୱକର୍ମାର ଭୂମିକା ଗ୍ରହଣ କରିଥାନ୍ତି। ବିଶ୍ୱକର୍ମାଙ୍କ ବିନା ଯେପରି ସୁନ୍ଦର କୋଣାର୍କ ନିର୍ମାଣ ଅସମ୍ଭବ। ସେହିପରି ଜଣେ ଶିକ୍ଷକ ବିନା ଜଣେ ସଫଳ ଛାତ୍ର ସୃଷ୍ଟି ହେବା ଅସମ୍ଭବ। ବିଶ୍ୱର ପ୍ରତ୍ୟେକ ଦେଶ ନିଜ ନିଜର ଶିକ୍ଷକମାନଙ୍କୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ଶିକ୍ଷକ ଦିବସ ପାଳନ କରିଥାନ୍ତି। ଆଗାମୀ ଭବିଷ୍ୟତକୁ ଗଢ଼ିବାରେ ଶିକ୍ଷକ ମାନଙ୍କର ଗରୁତ୍ବପୁର୍ଣ୍ଣ ଭୂମିକା ଥାଏ। ରାଷ୍ଟ୍ରଗଠନରେ ଶିକ୍ଷକମାନଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ହୃଦୟଙ୍ଗମ କରି ‘ୟୁନେସ୍କୋ’ ତରଫରୁ ୧୯୯୪ ମସିହା ଠାରୁ ଅକ୍ଟୋବର ୫ ତାରିଖକୁ ବିଶ୍ୱ ଶିକ୍ଷକ ଦିବସ ରୂପେ ପାଳନ କରାଯାଏ। ଏହି ବିଶ୍ୱ ଶିକ୍ଷକ ଦିବସ ଅବସରରେ ସାରା ବିଶ୍ୱର ଲୋକେ ନିଜ ନିଜ ଶିକ୍ଷକଙ୍କୁ ସମ୍ମାନ ଜଣାଇଥାନ୍ତି।

ପିତାମାତାଙ୍କ ପରେ ଯିଏ ଦୁନିଆ ସହ ପିଲାଟିର ପରିଚୟ କରାନ୍ତି ସେ ହେଉଛନ୍ତି ଶିକ୍ଷା ଗୁରୁ। ପିଲାର ଭବିଷ୍ୟତ ନ୍ୟସ୍ତ ଥାଏ ଶିକ୍ଷକଙ୍କ ଉପରେ। ଜାତିର ପିତା ମହାତ୍ମା ଗାନ୍ଧୀ କହୁଥିଲେ ଶିକ୍ଷକ ହିଁ ଛାତ୍ରର ମୂଳପୁସ୍ତକ। ସବୁଠୁ କଠିନ କାର୍ଯ୍ୟ ମଧ୍ୟରେ ଗୋଟିଏ ବଡ କାର୍ଯ୍ୟ ହେଉଛି ଜଣେ ଭଲ ଶିକ୍ଷକ ହେବା। ଡ଼ଃ ଏ.ପି.ଜେ. ଅବଦୁଲ କାଲାମ କହୁଥିଲେ, ସମାଜରୁ ଦୁର୍ନୀତି ହଟେଇବା କେବଳ ତିନି ଜଣଙ୍କ ଦ୍ୱାରା ସମ୍ଭବ ହେବ। ସେମାନେ ହେଲେ ପିତା, ମାତା ଓ ଶିକ୍ଷକ। ଶିଶୁଟିକୁ ଉଚିତ ମାର୍ଗରେ ଗଢିଲେ ସେ ପରବର୍ତ୍ତୀ ସମୟରେ ଭଲ ମଣିଷଟିଏ ହବ ଓ ଭଲ ପରିବାରଟି ଗଢ଼ିପାରିବ। ଭଲ ପରିବାରଟିଏ ଗଢ଼ିପାରିଲେ ଏକ ସୁସ୍ଥ ସମାଜ ଓ ସମୃଦ୍ଧଶାଳୀ ରାଷ୍ଟ୍ର ଗଠନ ସମ୍ଭବ ହେଇପାରିବ। ଶିକ୍ଷକ ମାନଙ୍କୁ ସମ୍ମାନ ପ୍ରଦାନ କରିବା ହେଉଛି ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କର ପ୍ରଧାନ କର୍ତ୍ତବ୍ୟ। ସେମାନଙ୍କ ସମ୍ମାନାର୍ଥେ ଶିକ୍ଷକ ଦିବସ ପାଳନ ଆମ ସମାଜରେ ଶିକ୍ଷକ-ଛାତ୍ରଛାତ୍ରୀଙ୍କ ସମ୍ପର୍କକୁ ଆହୁରି ନିବିଡ଼ କରୁଛି।

ଡ. ଗଣେଶ ଚନ୍ଦ୍ର କୁଣ୍ଡ
ପଟାମୁଣ୍ଡାଇ, କେନ୍ଦ୍ରାପଡ଼ା