Odiapua.com

ବିଶ୍ୱ ଶାନ୍ତି ପାଇଁ ଯୁବକଙ୍କ ଧଉଳିରୁ ଦକ୍ଷିଣେଶ୍ୱର ସାଇକେଲ୍ ଯାତ୍ରା

ଭଦ୍ରକ, ୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଶ୍ୱ ଶାନ୍ତି ପ୍ରତିଷ୍ଠା ଲକ୍ଷ୍ୟରେ ମାନବ ବାଗିଡିଆ ନାମକ ଜଣେ ୨୧ ବର୍ଷର ଯୁବକ ଭୁବନେଶ୍ୱର ଧଉଳିର ଶାନ୍ତିପୀଠରୁ କୋଲକାତାସ୍ଥିତ ଦକ୍ଷିଣେଶ୍ୱର ପର୍ଯ୍ୟନ୍ତ ସାଇକେଲ୍ ଯାତ୍ରା ଆରମ୍ଭ କରିଛନ୍ତି । ସେ ଆଜି ଭଦ୍ରକରେ ପହଞ୍ôଚବା ପରେ ବ୍ରହ୍ମାକୁମାରୀ ଓ ମାରୱାଡି ମହିଳା ସଂଘ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏଥି ଉପଲକ୍ଷେ ବ୍ରହ୍ମାକୁମାରୀ ମଂଜୁ ଭଉଣୀଙ୍କ ଦ୍ୱାରା ଆୟୋଜିତ ସମ୍ବର୍ଦ୍ଧନା ସଭାରେ ମାନବ ବାଗିଡିଆ ବିଶ୍ୱ ଶାନ୍ତି ପ୍ରତିଷ୍ଠା ପାଇଁ ସମସ୍ତ ଯୁବବର୍ଗକୁ ସାକାହାରୀ ହେବା ସହ ନିଜ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭାର ବିକାଶ ବିକଶିତ କରିବା ପାଇଁ ଆହ୍ୱାନ ଦେଇଛନ୍ତି । ସେ ଏହି ଯାତ୍ରାକୁ ୧୨ ଦିନରେ ସଂପୂର୍ଣ୍ଣ କରିବାର ଲକ୍ଷ୍ୟ ରଖିଥିବାବେଳେ ଯାତ୍ରାକାଳରେ ବିଭିନ୍ନ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ଦ୍ୱାରା ଯେଉଁ ଉତ୍ସାହ ଓ ପ୍ରେରଣା ପାଉଛନ୍ତି, ତାହା ତାଙ୍କର ଶେଷ ଜୀବନ ପର୍ଯ୍ୟନ୍ତ ମନେରହିବ ବୋଲି କହିଛନ୍ତି । ବିଗତ ୫ ବର୍ଷ ଧରି ସେ ଆଧ୍ୟାତ୍ମିକ ଦିଗରେ ମନ ବଳାଇଥିବାବେଳେ ବ୍ୟକ୍ତିବାଦରୁ ଦୂରେଇ ସାମୂହିକ କଲ୍ୟାଣ ଉପରେ ଗୁରୁତ୍ୱ ଦେଇଥିବାର ସୂଚନା ଦେଇଛନ୍ତି । ସେ ଭୁବନେଶ୍ୱରରେ ରହୁଥିଲେ ମଧ୍ୟ ବିଶ୍ୱର ପ୍ରତି ଅଂଚଳରେ କିଭଳି ଶାନ୍ତି ପ୍ରତିଷ୍ଠା ହେବ, ସେ ଦିଗରେ ନିଜକୁ ସାମିଲ କରିଛନ୍ତି । ଶ୍ରୀ ବାଗିଡିଆ ଭୁବନେଶ୍ୱରର କିଶନ ବାଗିଡିଆ ଓ ବିନିତା ବାଗିଡିଆଙ୍କ ପୁତ୍ର ଅଟନ୍ତି ।