Odiapua.com

ବିଶ୍ୱ ଖାଉଟି ଅଧିକାର ଦିବସ ପାଳିତ

ଭଦ୍ରକ, ୨୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଉପ ନିୟନ୍ତ୍ରକ ବୈଧ ମାପ ବିଜ୍ଞାନ କାର୍ଯ୍ୟାଳୟ ଓ ସ୍ୱେଚ୍ଛାସେବୀ ସଂଗଠନ କଳିଙ୍ଗ ବିକାଶ ପରିଷଦର ମିଳିତ ସହଯୋଗରେ ବିଶ୍ୱ ଖାଉଟି ଅଧିକାର ଦିବସ ଚରମ୍ପାସ୍ଥିତ ଅବନ୍ତିକା ମହାବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ଏହି ଅବସରରେ ଭଦ୍ରକ ଜିଲ୍ଲାର ଅତିରିକ୍ତ ଯୋଗାଣ ଅଧିକାରୀ ପ୍ରିତିସ୍ୱିନୀ ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଥିଲେ। ସେ ତାଙ୍କ ଅଭିଭାଷଣରେ ଖାଉଟିମାନଙ୍କର ଅଧିକାର ସମ୍ବନ୍ଧରେ ସଚେତନତା ବୃଦ୍ଧିର ଆବଶ୍ୟକତା ଉପରେ ଜୋର ଦେଇ ଠକାମିରୁ ବଂଚିବା ପାଇଁ ସମସ୍ତଙ୍କୁ ସଚେତନ ଓ ସଜାଗ ରହିବାକୁ ଆହ୍ୱାନ କରିଥିଲେ। ଉପନିୟନ୍ତ୍ରକ ବୈଧ ମାପ ବିଜ୍ଞାନ ତାଙ୍କ ବକ୍ତବ୍ୟରେ ବିଜ୍ଞାପନର ପ୍ରଭାବରେ ଖାଉଟିମାନେ କିପରି ଭୁଲ ନିଷ୍ପତି ନେଇ ଠକାମିର ସମ୍ମୁଖୀନ ହେଉଛନ୍ତି, ତାହା ଉଲ୍ଲେଖ କରିଥିଲେ। ସେ ୨୦୧୯ ଖାଉଟି ସୁରକ୍ଷା ଆଇନର ବିଭିନ୍ନ ପ୍ରାବଧାନ ଓ ଆଭାସୀ ମାଧ୍ୟମରେ କୋର୍ଟ ଶୁଣାଣିର ସୁବିଧା ବିଷୟରେ ମଧ୍ୟ ଆଲୋଚନା କରିଥିଲେ। ସମ୍ମାନିତ ଅତିଥି ଭାବେ ଅବନ୍ତିକା ମହାବିଦ୍ୟାଳୟର ସଭାପତି ଅମିତ କୁମାର ମଲ୍ଲିକ ଅନଲାଇନ୍ କ୍ରୟବିକ୍ରୟ ସମୟରେ ଲୋଭରେ ପଡ଼ି ଲୋକମାନେ କିପରି ଠକାମିର ସିକାର ହେଉଛନ୍ତି, ସେଥିପାଇଁ ସଚେତନ ରହିବାକୁ କହିଥିଲେ। ସହକାରୀ ନିୟନ୍ତ୍ରକ ଶ୍ରୀ ସୁଦର୍ଶନ ଝୁଡୁ ବିଭିନ୍ନ ଓଜନ କଂଟାର ପ୍ରଦର୍ଶନୀ ମାଧ୍ୟମରେ ମାପଜୋଗର ସଠିକତା ବିଷୟରେ ଅଲୋକପାତ କରିଥିଲେ। କଳିଙ୍ଗ ବିକାଶ ପରିଷଦର ବରିଷ୍ଠ ଆଇନଜୀବୀ ଦେବେନ୍ଦ୍ର କୁମାର ପଣ୍ଡା ଆଲୋଚନାରେ ଭାଗ ନେଇ କହିଥିଲେ ଯେ ସଚେତନତା ଅଭାବରୁ ଖାଉଟିମାନେ ବିଭିନ୍ନ କ୍ଷେତ୍ରରେ ଶୋଷିତ ହେଉଛନ୍ତି ଓ ଗ୍ରାମାଂଚଳରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ଅତ୍ୟାବଶ୍ୟକ। ଶେଷରେ ସେ ଧନ୍ୟବାଦ ଜ୍ଞାପନ କରିଥିଲେ। କାର୍ଯ୍ୟକ୍ରମରେ କଳିଙ୍ଗ ବିକାଶ ପରିଷଦର ସଂପାଦକ ବ୍ରଜଗୋପାଳ ଦାସ ସହ ଶୁଭେନ୍ଦୁ ବିଶ୍ୱାଳ, ମନିଷା ଦାଶ, ପୂଜାରାଣୀ ଦାସ ଓ ଗିରିଶ ଦାସ ଆଦି ସହଯୋଗ କରିଥିଲେ।