Odiapua.com

ବିଶ୍ୱାସ-ଅବିଶ୍ୱାସର ଦୋଛକିରେ ସ୍ଥାନୀୟ ବିଜେଡି ନେତା-କର୍ମୀ -ପ୍ରଚାର ମୈଦାନରୁ ସେନାପତିଙ୍କ ଉଭାନ୍ରେ ବିଚଳିତ କଂଗ୍ରେସ କର୍ମୀ -ସପ୍ତରଥୀଙ୍କ ଚକ୍ରବ୍ୟୁହରୁ ମୁକୁଳିବାର ରାହା ଖୋଜୁଛି ବିଜେପିର‘ମାନସ’

ବାଲେଶ୍ୱର, ୨୮ା୧୦(ଓଡ଼ିଆ ପୁଅ/ଅଭୟ ଦାସ): ଆସନ୍ତା ୩ ତାରିଖରେ ହେବାକୁ ଥିବା ବାଲେଶ୍ୱର ଓ ତିର୍ତ୍ତୋଲ ଉପ-ନିର୍ବାଚନର ପ୍ରଚାର କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ସବୁ ଦଳର ନେତା ଓ କର୍ମୀ ଦଳୀୟ ପ୍ରାର୍ଥୀଙ୍କ ବିଜୟ ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି। ତେବେ ବାଲେଶ୍ୱରର ନିର୍ବାଚନୀ ରଣାଙ୍ଗନରେ ଉପନୀତ ତିନି ପ୍ରମୁଖ ଦଳର ପ୍ରାର୍ଥୀଙ୍କୁ ନେଇ ଅଦ୍ୟାବଧି ଭୋଟରମାନେ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚିପାରି ନଥିବା ଲକ୍ଷ୍ୟ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ମଳ ଭାବମୂର୍ତ୍ତି ଓ ତଥାକଥିତ ବିକାଶର ଧାରାକୁ ନେଇ ଶାସକ ଦଳ ବିଜେଡି ପ୍ରଚାରକୁ ଜୋରଦାର କରିବା ସହିତ ଭୋଟରଙ୍କ ସମର୍ଥନ ପାଇଁ ପ୍ରଚେଷ୍ଟା ଚଳାଇ ରଖିଛି। ପୌରାଞ୍ଚଳର ପ୍ରତି ୱାର୍ଡ଼ ଓ ଗ୍ରାମାଞ୍ଚଳରେ ପ୍ରତ୍ୟେକ ପଞ୍ଚାୟତରେ ଦଳୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଇଛି। ତେବେ ନିର୍ବାଚନ ପରିଚାଳନା ମୁଖ୍ୟଙ୍କ ନିର୍ଦ୍ଦେଶାନୁସାରେ ଏହି ଉପ-ନିର୍ବାଚନରେ ବାଲେଶ୍ୱରର ଲୋକପ୍ରତିନିଧି, ନେତା ଓ କର୍ମୀଙ୍କୁ ଭରସା କରିବା ପରିବର୍ତ୍ତେ ଜିଲ୍ଲା ବାହାରର ନେତାଙ୍କ ଉପରେ ଦଳ ଅଧିକ ବିଶ୍ୱାସ ପ୍ରକଟ କରିିଛି। ଦଳର ଏଭଳି ନିଷ୍ପତ ଯୋଗୁଁ ଅବହେଳାର ଶିକାର ସ୍ଥାନୀୟ କର୍ମୀଙ୍କ ମଧ୍ୟରେ ଚାପା ଗୁଞ୍ଜରଣ ସୃଷ୍ଟି ହୋଇଛି। ଏହା ସତ୍ତ୍ୱେ ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ବସ୍ତି ବାସିନ୍ଦାଙ୍କ ଭୋଟ ହାତେଇବାରେ କିଛିଟା ଆଶ୍ୱସ୍ତି ମିଳିଥିଲେ ବି ସମଗ୍ର ନିର୍ବାଚନମଣ୍ଡଳୀରେ ଦଳର ସ୍ଥିତିକୁ ନେଇ ନିର୍ବାଚନ ପରିଚାଳନା କରୁଥିବା ବିଜେଡି କ୍ଷମତାକେନ୍ଦ୍ରଙ୍କ ଅବସ୍ଥା ବେହାଲ ହୋଇଥିବା ଜଣାପଡ଼ିଛି। ଅନ୍ୟ ଉପାୟ ନପାଇ ଏବେ ଚହଲା ଭୋଟ ହାତେଇବା ଉଦ୍ଦେଶ୍ୟରେ ବିଜେଡି ସପକ୍ଷରେ କେବଳ ହାୱା ସୃଷ୍ଟି ପାଇଁ କର୍ମୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଆଲୋଚନା ହେଉଛି। ଏମିତିକି ଦଳୀୟ କର୍ମକର୍ତ୍ତାଙ୍କ ସମେତ ସାଧାରଣ କର୍ମୀଙ୍କ ପାଇଁ ଏବେ ‘କର ବା ମର’ ସ୍ଥିତି ଦେଖାଯାଇଛି। ଅନ୍ୟପକ୍ଷରେ ଦିବଂଗତ ବିଧାୟକ ମଦନ ମୋହନ ଦତ୍ତଙ୍କ ପୁତ୍ର ମାନସ ଦତ୍ତଙ୍କୁ ଜିତାଇବା ପାଇଁ ବିଜେପିର ଜଣେ ପରେ ଜଣେ ରାଜ୍ୟ ଓ କେନ୍ଦ୍ରୀୟ ନେତାଙ୍କର ବାଲେଶ୍ୱରକୁ ଆଗମନ ଜାରି ରହିଛି। ଏହି ନେତାମାନେ ଚାହା ଖଟିଠାରୁ ରୋଷେଇ ଘର ପର୍ଯ୍ୟନ୍ତ ପ୍ରଚାର ଚଳାଇ ରଖିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁର୍ନୀତିମୁକ୍ତ ଭାରତ ଅଭିଯାନ ଓ ଦଳୀୟ ନୀତି-ଆଦର୍ଶର ପ୍ରଭାବ ଏବଂ ବିଧାୟକ ମଦନ ମୋହନ ଦତ୍ତଙ୍କ ପରଲୋକଗତ ଅନୁକମ୍ପା ଗୋଟାଇବାକୁ ବିଜେପିର ନେତା ଓ କର୍ମୀ ରୀତିମତ୍ ପ୍ରଚେଷ୍ଟା ଚଳାଇଛନ୍ତି। ଗତ ୨୦୧୯ ସାଧାରଣ ନିର୍ବାଚନ ଭଳି ଦଳୀୟ ବୁଥ୍ କମିଟିର ଉଦ୍ୟମ ଚଳିତ ଉପ-ନିର୍ବାଚନରେ ପ୍ରାର୍ଥୀ ମାନସକୁ ଜିତାଇବ ବୋଲି କର୍ମକର୍ତ୍ତାମାନେ ଆଶାବାଦୀ ଅଛନ୍ତି। ସକ୍ରିୟ ଥିବା ବୁଥ୍ ତଥା ୱାର୍ଡ଼ କମିଟି କାର୍ଯ୍ୟକର୍ତ୍ତାଙ୍କ ନିଃସ୍ୱାର୍ଥ ପ୍ରଚାର ଯୋଗୁଁ ବଜେପି ସପକ୍ଷରେ ଭୋଟହାର ବୃଦ୍ଧି ପାଇବ ବୋଲି କୁହାଯାଉଛି। ସବୁକିଛି ଠିକ୍ଠାକ୍ ଚାଲିଥିବା ବେଳେ ବିଜେଡିର ସପ୍ତରଥୀଙ୍କ ଚକ୍ରବ୍ୟୁହରୁ ବର୍ତ୍ତିବାରେ ‘ମାନସ’ କେତେ ସଫଳ ହେବ, ତାହାକୁ ନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି। ସେହିପରି ଗତ ସାଧାରଣ ନର୍ବିାଚନରେ ଆଉଟ ସୋର୍ସରୁ କର୍ମୀ ଆଣି ନିର୍ବାଚନ ପରିଚାଳନା କରିଥିବା କଂଗ୍ରେସର ନବଜ୍ୟୋତି ପଟ୍ଟନାୟକ ଚଳିତ ନିର୍ବାଚନରେ ପ୍ରାର୍ଥୀ ଚୟନରେ ମଧ୍ୟ ଅନୁରୂପ ନୀତି ଗ୍ରହଣ କରିଛନ୍ତି। ବିଜୟର ଆଶା କ୍ଷୀଣ ଥିଲେ ବି ଦଳର ନିର୍ଦ୍ଧାରିତ ପକେଟ୍ ଭୋଟ ଗୋଟାଇବା ଆଶାରେ କର୍ମୀ ଓ ନେତାମାନେ ଉଦ୍ୟମ ଜାରି ରଖିଛନ୍ତି। ତେବେ ପ୍ରଚାର ଜମିଆସୁଥିବା ବେଳେ ଭାଲୁ ଭାଇନାଙ୍କ ହାତରେ ପ୍ରାର୍ଥୀ ମମତାଙ୍କୁ ଅର୍ପଣ ସହ କରୋନା ଆଳ ଦେଖାଇ କଂଗ୍ରେସର ବାଲେଶ୍ୱର ସେନାପତି କୁହାଯାଉଥିବା ନବଜ୍ୟୋତି ହଠାତ୍ ପ୍ରଚାର ମୈଦାନରୁ ଉଭାନ ହୋଇଯିବାକୁ ନେଇ କର୍ମୀମାନେ ସନ୍ଦୀହାନ ହୋଇପଡ଼ିଛନ୍ତି। ତାଙ୍କର ଅନ୍ତର୍ଦ୍ଧାନକୁ ନେଇ ମିଡିଆରେ ପ୍ରଚାରିତ ‘ଡିଲ୍’ରେ ଦଳୀୟ ନେତା ଓ କର୍ମୀ ଏକପ୍ରକାର ହତୋତ୍ସାହ ହୋଇପଡ଼ିଛନ୍ତି। ଏହା ସତ୍ତ୍ୱେ ସଂଖ୍ୟାଲଘୁ ଭୋଟକୁ ଅଟକାଇବା ପାଇଁ ଦଳ ପକ୍ଷରୁ ଚାଲିଛି ଜୋରଦାର ଉଦ୍ୟମ। ମୋଟ ଉପରେ ଚଳିତ ଉପ-ନିର୍ବାଚନରେ ସମ୍ମାନ ରକ୍ଷାରେ ବିଜେଡି, ପକେଟ ଭୋଟ ରକ୍ଷାରେ କଂଗ୍ରେସ ଓ ସଦରବାସୀଙ୍କ ଭାବନା ସହ ଯୋଡ଼ି ହେବାରେ ବିଜେପି କେତେ ସଫଳ ହେବ ଆସନ୍ତା ୧୦ ତାରିଖକୁ ସମସ୍ତଙ୍କର ଅପେକ୍ଷା।