Odiapua.com

ବିଶ୍ୱର ସର୍ବବୃହତ ଅନଲାଇନ ହାକାଥନର ଗ୍ରାଣ୍ଡ ଫିନାଲେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ହେବ ଉଦ୍‌ଘାଟିତ

– ସ୍ମାର୍ଟ ଇଣ୍ଡିଆ ହାକାଥନ (ସଫ୍ଟୱେୟାର)- ୨୦୨୦ର ଚତୁର୍ଥ ସଂସ୍କରଣର ଗ୍ରାଣ୍ଡ ଫିନାଲେ ଅଗଷ୍ଟ ୧ରୁ ୩ ମଧ୍ୟରେ ଅନୁଷ୍ଠିତ ହେବ : ଶ୍ରୀ ରମେଶ ପୋଖରିୟାଲ ନିଶଙ୍କ- କୋଭିଡ ମହାମାରୀ ଯୋଗୁଁ ଏହା ଅନ୍‌ଲାଇନରେ ହେବ ଅନୁଷ୍ଠିତ
– ପ୍ରତିଯୋଗୀମାନଙ୍କୁ ଯୋଡିବା ନିମନ୍ତେ ସ୍ୱତନ୍ତ୍ର ଉନ୍ନତ ପ୍ଲାଟଫର୍ମ ପ୍ରସ୍ତୁତ
– ୩୬ ଘଣ୍ଟାର ଅନ୍‌ଲାଇନ ଗ୍ରାଣ୍ଡ ଫିନାଲେରେ ଭାଗ ନେବେ ୧୦ ହଜାରରୁ ଅଧିକ ପ୍ରତିଯୋଗୀ
– ସରକାରୀ ବିଭାଗ ଓ ଉଦ୍ୟୋଗ ସମ୍ମୁଖୀନ ହେଉଥିବା ଗୁରୁତର ସମସ୍ୟାର ସମାଧାନ ପାଇଁ ବାହାର କରାଯିବ ସୃଜନାତ୍ମକ ଡିଜିଟାଲ ସଲ୍ୟୁସନ

ନୂଆ ଦିଲ୍ଲୀ ୨୮-୭ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଅଗଷ୍ଟ ୧ ସନ୍ଧ୍ୟା ୭ଟାରେ ଭାରତରେ ଆୟୋଜିତ ବିଶ୍ୱର ସର୍ବବୃହତ୍‌ଅନ୍‌ଲାଇନ ହାକାଥନର ଗ୍ରାଣ୍ଡ ଫିନାଲେକୁ ଉଦ୍‌ଘାଟନ କରିବେ। ଏହା ଭିଡିଓ କନଫରେନ୍ସ ବ୍ୟବସ୍ଥାରେ ପରିଚାଳିତ ହେବ। ଏ ସଂପର୍କରେ ସୂଚନା ଦେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଶ୍ରୀ ରମେଶ ପୋଖରିୟାଲ ନିଶଙ୍କ ଆଜି କହିଛନ୍ତି ଯେ, ସ୍ମାର୍ଟ ଇଣ୍ଡିଆ ହାକାଥନ ୨୦୨୦ (ସଫ୍ଟୱେୟାର)ର ଗ୍ରାଣ୍ଡ ଫିନାଲେ ଆସନ୍ତା ଅଗଷ୍ଟ ପହିଲାରୁ ୩ ତାରିଖ ପର୍ଯ୍ୟନ୍ତ ଚାଲିବ। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଦ୍ୱାରା ଏହି ହାକାଥନ ଆୟୋଜିତ ହେଉଛି। ଏଆଇସିଟିଇ, ପର୍ସିସଟେଣ୍ଟ ସିଷ୍ଟମ ଏବଂ ଆଇ-୪ସି ସଂସ୍ଥା ଏଥିପାଇଁ ବୈଷୟିକ ସହାୟତା ଯୋଗାଉଛି।

ମନ୍ତ୍ରୀ ଶ୍ରୀ ନିଶଙ୍କ ଆଜି ଏହି ହାକାଥନ ସଂକ୍ରାନ୍ତ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଏହା ପୂର୍ବରୁ ଆୟୋଜିତ ହାକାଥନଗୁଡିକର ସଫଳତା ସଂପର୍କରେ ବୈଠକରେ ଆଲୋଚନା କରାଯାଇଥିଲା। ଏହି ବୈଠକରେ ଉଚ୍ଚଶିକ୍ଷା ସଚିବ ଶ୍ରୀ ଅମିତ ଖରେ, ଏଆଇସିଟିଇର ଅଧ୍ୟକ୍ଷ ଶ୍ରୀ ଅନିଲ ଶହସ୍ରବୁଦ୍ଧେ, ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଶ୍ରୀ ରାକେଶ ରଂଜନ ତଥା ମନ୍ତ୍ରଣାଳୟର ମୁଖ୍ୟ ଇନୋଭେଟିଭ ଅଧିକାରୀ ଅଭୟ ଜେରେ ପ୍ରମୁଖ ଯୋଗଦେଇଥିଲେ। ମନ୍ତ୍ରୀ ଶ୍ରୀ ନିଶଙ୍କ କହଛନ୍ତି ଯେ ସ୍ମାର୍ଟ ଇଣ୍ଡିଆ ହାକାଥନ ଏକ ଅଭିନବ ପ୍ରୟାସ ଯାହାଦ୍ୱାରା ନୂଆ ଏବଂ ଅତ୍ୟାଧୁନିକ ଡିଜିଟାଲ ଟେକ୍‌ନୋଲଜି କ୍ଷେତ୍ରରେ ନବସୃଜନ ଆସିପାରିବ। ଏହାଦ୍ୱାରା ଦେଶ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ ସୂତ୍ର ବାହାରିବା ସମ୍ଭବ ହେବ। ଏହା ଏକ ନିରନ୍ତର ଡିଜିଟାଲ ସାମଗ୍ରୀ ବିକାଶ ପ୍ରତିଯୋଗିତା। ଏଥିରେ ଟେକ୍‌ନୋଲଜିର ଛାତ୍ରଛାତ୍ରୀଙ୍କୁ ସମସ୍ୟା ସଂପର୍କରେ ଅବଗତ କରାଯାଇ ଏହାର ଉତ୍ତମ ସମାଧାନର ସୂତ୍ର ବାହାର କରିବାକୁ କୁହାଯାଏ। ବିଭିନ୍ନ ସରକାରୀ ବିଭାଗ ଏବଂ ଘରୋଇ ସଂଗଠନ ସମ୍ମୁଖୀନ ହେଉଥିବା ସମସ୍ୟାବଳୀର କିପରି ସମାଧାନ କରାଯାଇପାରିବ ସେ ନେଇ ଏହି ଛାତ୍ରଛାତ୍ରୀଙ୍କୁ ଅବଗତ କରାଯିବ। ସେମାନେ ନିଜର ବିଦ୍ୟାବୁଦ୍ଧି ପ୍ରୟୋଗ କରି ସମାଧାନର ସୂତ୍ର ବାହାର କରିବେ। ଏଥିପାଇଁ ପ୍ରଥମ ପର୍ଯ୍ୟାୟ କଲେଜସ୍ତରୀୟ ଛାତ୍ରଛାତ୍ରୀଙ୍କ ବଛାବଛି କାର୍ଯ୍ୟ ଜାନୁୟାରୀର ହାକାଥନ ମାଧ୍ୟମରେ ଶେଷ ହୋଇଛି। ସେଥିରେ ଉତ୍ତମ ଆଇଡିଆ ଓ ବିଚାର ସହ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ଜାତୀୟ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ଆହୁରି ମଧ୍ୟ ଜାତୀୟ ସ୍ତରରେ ଛାତ୍ରଛାତ୍ରୀଙ୍କ ଆଇଡିଆକୁ ବିଶେଷଜ୍ଞ ଓ ମୂଲ୍ୟାୟନକାରୀମାନେ ପରୀକ୍ଷା ନିରୀକ୍ଷା କରି ଏକ ଚୂଡାନ୍ତ ତାଲିକା ପ୍ରସ୍ତୁତ କରିଛନ୍ତି। ଏହି ତାଲିକାରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀ ଗ୍ରାଣ୍ଡ ଫିନାଲେରେ ଅଂଶଗ୍ରହଣ କରିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି।

ଶ୍ରୀ ପୋଖରିୟାଲ କହିଛନ୍ତି ଯେ କରୋନା ମହାମାରୀ ଯୋଗୁଁ ଚଳିତ ବର୍ଷର ଗ୍ରାଣ୍ଡ ଫିନାଲେ ଅନ୍‌ଲାଇନ ବ୍ୟବସ୍ଥାରେ ଆୟୋଜିତ ହେବ। ଦେଶର ସବୁ ଭାଗରେ ମନୋନୀତ ବିଦ୍ୟାର୍ଥୀମାନଙ୍କୁ ଏଥିରେ ସଂପୃକ୍ତ କରିବା ପାଇଁ ଏକ ସ୍ୱତନ୍ତ୍ର ବିକଶିତ ପ୍ଲାଟଫର୍ମ ପ୍ରସ୍ତୁତ କରାଯାଇଛି। ଏଥର ଏହି ହାକାଥନରେ ୧୦ ହଜାର ଛାତ୍ରଛାତ୍ରୀ ଭାଗ ନେବେ। ସେମାନଙ୍କୁ ୨୪୩ଟି ସମସ୍ୟା ସମାଧାନ କରିବା ପାଇଁ ଦିଆଯିବ। ସେଥିମଧ୍ୟରୁ ୩୭ଟି କେନ୍ଦ୍ର ସରକାରୀ ବିଭାଗରୁ ସମସ୍ୟା ଆସିଥିବାବେଳେ ୧୭ଟି ରାଜ୍ୟ ସରକାର ଓ ୨୦ଟି ଉଦ୍ୟୋଗ ଏଥିପାଇଁ ମଧ୍ୟ ସମସ୍ୟା ମାନ ପଠାଇଛନ୍ତି। ପ୍ରତ୍ୟେକ ସମସ୍ୟାର ସମାଧାନ ପାଇଁ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ବ୍ୟବସ୍ଥା କରାଯାଇଛି। ସେହିଭଳି ଇନୋଭେସନ ଥିମ୍‌ରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ୩ଟି ଲେଖାଏଁ ପୁରସ୍କାର ବ୍ୟବସ୍ଥା କରାଯାଇଛି। ପ୍ରଥମ ପୁରସ୍କାର ବାବଦରେ ୧ ଲକ୍ଷ, ଦ୍ୱିତୀୟ ପାଇଁ ୭୫ ହଜାର ଏବଂ ତୃତୀୟ ପାଇଁ ୫୦ ହଜାର ଟଙ୍କାର ବ୍ୟବସ୍ଥା କରାଯାଇଛି। ସେ କହିଛନ୍ତି ଯେ ଏଭଳି ୩ଟି ହାକାଥନ ସରକାର ସଫଳତାର ସହ ଆୟୋଜିତ କରିଛନ୍ତି। ୨୦୧୭ରେ ଅନୁଷ୍ଠିତ ପ୍ରଥମ ହାକାଥନରେ ୪୨ ହଜାର, ୨୦୧୮ ଦ୍ୱିତୀୟ ହାକାଥନରେ ଏକ ଲକ୍ଷ ଏବଂ ୨୦୧୯ ତୃତୀୟ ହାକାଥନରେ ୨ ଲକ୍ଷ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଗତବର୍ଷ ତୁଳନାରେ ଚଳିତ ବର୍ଷର ହାକାଥନ ଆହୁରି ବିରାଟ ଏବଂ ଏଥିରେ ଅଂଶଗ୍ରହଣକାରୀଙ୍କ ସଂଖ୍ୟା ୪-୫ ଲକ୍ଷ। ଦେଶର ଶିକ୍ଷାନୁଷ୍ଠାନଗୁଡିକରେ ନବସୃଜନ ଓ ଉଦ୍ୟମିତାର ଧାରା ସୃଷ୍ଟି କରିବାକୁ ଆମେ ବିଶେଷ ଆଗ୍ରହୀ। ସେଥିପାଇଁ ସରକାରୀ ଓ ବେସରକାରୀ ସହଯୋଗରେ ଉଦ୍ୟମ ଚାଲିଛି ଏବଂ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରାଯାଉଛି।

ଚଳିତବର୍ଷର ସ୍ମାର୍ଟ ଇଣ୍ଡିଆ ହାକାଥନ ପାଇଁ ଏ ପର୍ଯ୍ୟନ୍ତ ପ୍ରାୟ ୩୩୧ଟି ପ୍ରକଳ୍ପ (ପ୍ରୋଟୋଟାଇପ) ବିକଶିତ ହୋଇଛି। ଏହାଛଡା ୭୧ଟି ଷ୍ଟାର୍ଟଅପ୍‌ର ତିଆରି ଚାଲିଛି। ଏବେ ୧୯ଟି ଷ୍ଟାର୍ଟଅପ୍‌ପଞ୍ଜୀକୃତ ହୋଇସାରିଛି। ଆହୁରି ମଧ୍ୟ ବିଭିନ୍ନ ବିଭାଗରେ ୩୯ଟି ସମାଧାନ ସୂତ୍ର ପ୍ରୟୋଗ କରାଯାଇଛି ଏବଂ ଆଉ ୬୪ଟି ସମ୍ଭାବନାପୂର୍ଣ୍ଣ ସଲ୍ୟୁସନ ପାଇଁ ପାଣ୍ଠି ଯୋଗାଣ ବ୍ୟବସ୍ଥା କରାଯାଇଛି। ମାନବ ସମ୍ବଳ ବିକାଶ ମନ୍ତ୍ରୀ କହିଛନ୍ତି ଯେ ସ୍ମାର୍ଟ ଇଣ୍ଡିଆ ହାକାଥନ ଦ୍ୱାରା ଯେଉଁସବୁ ଆଇଡିଆ ବାହାରୁଛି ସେଗୁଡିକ ଉପରେ ନିରନ୍ତର ଦୃଷ୍ଟି ରଖି ତାହାର ବିକାଶ ଓ ବିନିଯୋଗ ଦିଗରେ କାର୍ଯ୍ୟ କରାଯିବା ଉଚିତ। ଏଥିପାଇଁ ମେଣ୍ଟରମାନଙ୍କର ବିଶେଷ ଭୂମିକା ରହିଛି। ଏହା ଯେପରି ଅକାରଣ ନ ଯାଏ ସେଥିପାଇଁ ବିଭାଗ ଓ ମନ୍ତ୍ରଣାଳୟ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ।

ସେ କହିଛନ୍ତି ଯେ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ସଚିବ ଏ କ୍ଷେତ୍ରରେ ସବୁ ବିଭାଗର ସଚିବଙ୍କ ସହ ସମନ୍ୱୟ ରକ୍ଷାକରି ମନୋନୀତ ଆଇଡିଆଗୁଡିକର ରୂପାୟନ ଦିଗରେ କାର୍ଯ୍ୟ କରିବେ। ଏହିସବୁ ଆଇଡିଆକୁ ଷ୍ଟାର୍ଟଅପ୍‌ରେ ପରିଣତ କରିବା ପାଇଁ ବାହ୍ୟ ସୁଯୋଗ ନମିଳିଲେ ସେଗୁଡିକୁ ସରକାର ବିଭାଗ ଓ ମନ୍ତ୍ରଣାଳୟ କାର୍ଯ୍ୟକାରୀ କରିବେ।

ମନ୍ତ୍ରୀ କହିଛନ୍ତି ଯେ ଆମ ଦେଶରେ ନବସୃଜନର ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ସ୍କୁଲସ୍ତରରୁ ଉଦ୍ୟମ ଆରମ୍ଭ ହୋଇଛି। ସେଥିପାଇଁ ଅଟଳ ଟିଙ୍କରିଂ ଲ୍ୟାବ ମାନ ଖୋଲାଯାଇଛି। ଏ କ୍ଷେତ୍ରରେ ସ୍କୁଲର ଛାତ୍ରଛାତ୍ରୀ ଓ ଇଂଜିନିୟରିଂ କଲେଜ ମଧ୍ୟରେ ଉପଯୁକ୍ତ ସମନ୍ୱୟର ଆବଶ୍ୟକତା ରହିଛି।