Odiapua.com

ବିଶ୍ୱର କଲ୍ୟାଣ ପାଇଁ ସ୍ୱଚ୍ଛ ଉର୍ଜାକୁ ପ୍ରାଥମିକତା ଦେଉଛି ଭାରତ – ଧର୍ମେନ୍ଦ୍ର ପ୍ରଧାନ

ଆଟ୍‌ଲାଂଟିକ୍ କାଉନସିଲ୍ ଏନର୍ଜି ଫରୋମରେ କେନ୍ଦ୍ରମନ୍ତ୍ରୀ

– ୨୦୨୧ ଗ୍ଲୋବାଲ ଏନର୍ଜି ଏଜେଣ୍ଡା’ ଶୀର୍ଷକ ଉପରେ ଆଲୋଚନା
– ବିଦେଶୀ ରାଷ୍ଟ୍ର ମାନଙ୍କ ସହ ଭାରତ ଉର୍ଜା ସମ୍ପର୍କ ମଜବୁତ୍ ହୋଇଛି
– ଗ୍ୟାସ ଆଧାରିତ ଅର୍ଥନୀତି ଦିଗରେ ଅଗ୍ରସର ହେଉଛି ଭାରତ
– ବିକଳ୍ପ ଉର୍ଜା ସମେତ ସୌର ଉର୍ଜାକୁ ବଢାଇବା ପାଇଁ ଉଦ୍ୟମ କରାଯାଉଛି

ନୂଆଦିଲ୍ଲୀ/ଭୁବନେଶ୍ୱର, ଜାନୁଆରୀ ୧୯ (ଓଡ଼ିଆ ପୁଅ) – ଆମେରିକା ଏବଂ ଚୀନ ପରେ ତୃତୀୟ ସର୍ବବୃହତ ଉର୍ଜା ଉପଭୋକ୍ତା ରାଷ୍ଟ୍ର ଭାରତ କେବଳ ଦେଶବାସୀଙ୍କ ପାଇଁ ନୁହେଁ ବରଂ ବିଶ୍ୱବାସୀଙ୍କ କଲ୍ୟାଣ ପାଇଁ ସ୍ୱଚ୍ଛ ଓ ସବୁଜ ଉର୍ଜାକୁ ସର୍ବାଧିକ ପ୍ରାଥମିକତା ଦେଉଅଛି ବୋଲି ଆଟଲାଂଟିକ୍ କାଉନସିଲ୍ ଏନର୍ଜି ଫରୋମରେ ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

‘୨୦୨୧ ଗ୍ଲୋବାଲ ଏନର୍ଜି ଏଜେଣ୍ଡା’ ଶୀର୍ଷକ ଉପରେ ଆୟୋଜିତ ଏହି ଆଲୋଚନା କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ ଭାରତ ଗ୍ୟାସ ଆଧାରିତ ଅର୍ଥନୀତି ଅର୍ଥବ୍ୟବସ୍ଥା ଆଡ଼କୁ ଗତି କରୁଥିବା ବେଳେ ଏଥିପାଇଁ ତୃଣମୂଳ ସ୍ତରରେ ଅନେକ ଯୋଜନା ମାନ ପ୍ରସ୍ତୁତ କରାଯାଇଛି। ଦେଶରେ ଗ୍ୟାସ ଭିତିଭୂମିକୁ ସୁଦୃଢ କରିବା ପାଇଁ ବିଗତ ବର୍ଷ ମାନଙ୍କରେ ଅନେକ ଗୁଡ଼ିଏ ସଂସ୍କାର ଅଣାଯାଇଛି। ବିଶ୍ୱ ଉର୍ଜା ଦୃଶ୍ୟପଟ୍ଟରେ ଆମେ ଉର୍ଜା ସଂରକ୍ଷଣକୁ ପ୍ରାଥମିକତା ଦେଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆମେରିକା ସମେତ ବିଦେଶୀ ରାଷ୍ଟ୍ର ମାନଙ୍କ ସହ ଭାରତର ଉର୍ଜା ସମ୍ପର୍କ ବହୁଗୁଣା ବା ମଜବୁତ୍ ହୋଇଛି। ଭାରତ ସରକାର ଉର୍ଜା ସଂରକ୍ଷଣକୁ ପ୍ରାଥମିକତା ଦେବା ସହ ସବୁଜ ଇନ୍ଧନ କିମ୍ବା ବିକଳ୍ପ ଉର୍ଜା ସମେତ ସୌର ଉର୍ଜାକୁ ବଢାଇବା ପାଇଁ ଉଦ୍ୟମ କରୁଛନ୍ତି। ଅତ୍ୟାଧୁନିକ ଉପାୟରେ ଟେକ୍ନୋଲୋଜି ଜରିଆରେ ପେଟ୍ରୋଲ ଏବଂ ଡିଜେଲ ସହ ହାଇଡ୍ରୋଜେନ୍ ବ୍ଲେଣ୍ଡି କରାଯାଇ ସ୍ୱଚ୍ଛ ଇନ୍ଧନ ତିଆରି କରାଯାଉଛି। ଜୈବ ଇନ୍ଧନ, ଇଥାନଲ ବ୍ଲେଣ୍ଡିଂ, ଆନୁଷଙ୍ଗିକ ବ୍ୟବସ୍ଥା ଓ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ୱଚ୍ଛ ଇନ୍ଧନକୁ ପ୍ରୋତ୍ସାହନ ଦିଆଯାଉଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।