Odiapua.com

ବିଶ୍ୱବିଦ୍ୟାଳୟ ସ୍ଥାପନ ନହେବା ପର୍ଯ୍ୟନ୍ତ ଜାରି ରହିବ ସଂଗ୍ରାମ, ବିଦ୍ୟାର୍ଥୀ ବିକାଶ ମଞ୍ଚର ରକ୍ତଦାନ ଶିବିର ଓ ଆଲୋଚନାଚକ୍ର

ଭଦ୍ରକ, ୨୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶହୀଦ୍ ସ୍ମୃତି ଭବନ, ଭଦ୍ରକରେ ବିଶ୍ୱବିଦ୍ୟାଳୟ ସ୍ଥାପନ ନେଇ ବିଦ୍ୟାର୍ଥୀ ବିକାଶ ମଞ୍ଚର ଆଲୋଚନାଚକ୍ର । ନିମନ୍ତ୍ରଣ ସତ୍ତ୍ୱେ ଯୋଗ ଦେଲେନି ୪ ବିଧାୟକ ଓ ସାଂସଦ । ଭଦ୍ରକରେ ଅବିଳମ୍ବେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନେଇ ହେଉଥିବା ଆଲୋଚନାଚକ୍ରରେ ଜିଲ୍ଳାର ମାନନୀୟା ସାଂସଦ ଓ ସମସ୍ତ ମାନ୍ୟବର ବିଧାୟକମାନଙ୍କୁ ଯୋଗଦେବା ନେଇ ଇ-ମେଲ, ହ୍ୱାଟ୍‌ସଅପ୍‌, ଫୋନ୍ ଯୋଗେ କଥା ହୋଇ ବାରମ୍ବାର ନିବେଦନ କରିଥିଲୁ । ଜିଲ୍ଳାବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଧାମନଗରର ମାନ୍ୟବର ବିଧାୟକ ସୂର୍ଯ୍ୟବଂଶୀ ସୂରଜ ଏହି ସଭାରେ ଯୋଗ ଦେଇଥିବା ବେଳେ ଭଦ୍ରକର ମାନନୀୟା ସାଂସଦ ମଞ୍ଜୁଲତା ମଣ୍ଡଳ, ଭଣ୍ଡାରିପୋଖରୀର ମାନ୍ୟବର ବିଧାୟକ ପ୍ରଫୁଲ୍ଲ ସାମଲ, ଚାନ୍ଦବାଲିର ମାନ୍ୟବର ବିଧାୟକ ବ୍ୟୋମକେଶ ରାୟ ଓ ବାସୁଦେବପୁରର ମାନ୍ୟବର ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ଭଦ୍ରକର ମାନ୍ୟବର ବିଧାୟକ ସଞ୍ଜିବ ମଲ୍ଳିକ ସଭାରେ ଅନୁପସ୍ଥିତ ଥିଲେ । ଯାହାକୁ ନେଇ ଆଲୋଚନାଚକ୍ରରେ ଉପସ୍ଥିତ ଥିବା ଶ୍ରୋତା ଓ ବକ୍ତାମାନେ କ୍ଷୋଭ ପ୍ରକାଶ କରିବା ସହ ଏହି ଆନ୍ଦୋଳନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ପ୍ରତିଜ୍ଞା କରିଛନ୍ତି ।

ଶିକ୍ଷାବିତ୍ ପ୍ରଫେସର ଡଃ ବ୍ରଜମୋହନ ମିଶ୍ର, ଐତିହାସିକ ଭଦ୍ରକ ମହାବିଦ୍ୟାଳୟର ସ୍ୱର୍ଣ୍ଣିମ ଅତୀତକୁ ମନେ ପକାଇ ଖୁବ୍‌ଶୀଘ୍ର ଜିଲ୍ଲାବାସୀଙ୍କୁ ନ୍ୟାୟ ପ୍ରଦାନ ପାଇଁ ସରକାରଙ୍କୁ ନିବେଦନ କରିଥିଲେ । ଏହା ସତ୍ତ୍ୱେ ମଧ୍ୟ ଯଦି ସରକାର ସକାରାତ୍ମକ ଆଭିମୁଖ୍ୟ ଗ୍ରହଣ ନକରନ୍ତି ତେବେ ପ୍ରଥମେ ଜିଲ୍ଲାବ୍ୟାପୀ ଓ ପରେପରେ ରାଜ୍ୟ ରାଜଧାନୀରେ ଛାତ୍ର ଓ ଜନଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଥିଲେ । ଏହା ସତ୍ତ୍ୱେ ସରକାର ଯଦି ନଶୁଣିଲେ, ତେବେ ପୂର୍ବ ସୂଚନା ମୁତାବକ ଆତ୍ମାହୁତି ଦେବା ପାଇଁ ପଛାଇବୁ ନାହିଁ ବୋଲି କହିଥିଲେ । ଡଃ ମିଶ୍ରଙ୍କ ମତାମତକୁ ପୂର୍ଣ୍ଣ ସମର୍ଥନ ଜଣାଇବା ସହିତ ବିଧାନସଭା ଭିତରେ ଓ ବାହାରେ ଆନ୍ଦୋଳନର ସ୍ୱରକୁ ଶାଣିତ କରିବା ସହିତ ନିଜେ ଆତ୍ମାହୁତି ଦେବାକୁ ପଛେଇବେ ନାହିଁ ବୋଲି ଧାମନଗରର ମାନ୍ୟବର ବିଧାୟକ ସୂର୍ଯ୍ୟବଂଶୀ ସୂରଜ ସଭାରେ ସ୍ପଷ୍ଟ କହିଥିଲେ । ଅନ୍ୟତମ ଅତିଥି ଭାବରେ ପ୍ରଫେସର ଶୈଳେନ୍ଦ୍ର ମହାପାତ୍ର ବିଶ୍ୱବିଦ୍ୟାଳୟ ପ୍ରସଂଗରେ ନିଜେ ଜାରି ରଖିଥିବା ତଥ୍ୟଭିତ୍ତିକ ଉଦ୍ୟମ ବିଷୟ ଜଣାଇବା ସହ ଏହି ପ୍ରସଙ୍ଗରେ ଜିଲ୍ଲାର ନିର୍ବାଚିତ ପ୍ରତିନିଧିଙ୍କ ଆଚରଣକୁ ନେଇ କ୍ଷୁବ୍ଧ ହୋଇଥିଲେ । ଡଃ ରାଧାରାଣୀ ମହାପାତ୍ର ନିଜ ବକ୍ତବ୍ୟରେ ବିଦ୍ୟାର୍ଥୀ ବିକାଶ ମଞ୍ଚ, ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନହେବା ଯାଏ ସଂଗ୍ରାମ ଜାରି ରହିବ ବୋଲି କହିଥିଲେ । ମଞ୍ଚର ମୁଖ୍ୟ ଉପଦେଷ୍ଟା ପ୍ରଫେସର ଡଃ ଦେବେନ୍ଦ୍ରନାଥ ରାଉତ ସଭାରେ ଅଧ୍ୟକ୍ଷତା କରିବା ସହ ଅନୁପସ୍ଥିତ ଥିବା ନିର୍ବାଚିତ ପ୍ରତିନିଧି ଓ ସରକାରଙ୍କୁ ଈଶ୍ୱର ସଦ୍‌ବୁଦ୍ଧି ଦିଅନ୍ତୁ ବୋଲି ପ୍ରକାଶ କରିଥିଲେ । ସଭାପତି ଲକ୍ଷ୍ମୀଧର ବିଶ୍ୱାଳ ସଭା ପରିଚାଳନା କରିଥିବା ବେଳେ ଗୁରୁଜୀ ଗୌତମ ମହାରଣା ମଞ୍ଚ ଆମନ୍ତ୍ରଣ, ରୋଟାରିଆନ୍ ଅଭିଜିତ୍ ନାୟକ ଅତିଥି ପରିଚୟ ଓ ସମ୍ପାଦକ ସୁଦାମ ଭୁଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି ଆଲୋଚନାଚକ୍ରରେ ପୂର୍ବତନ ବିଧାୟକ ନରେନ ପଲେଇ, ଡାକ୍ତର ରବୀନ୍ଦ୍ର କୁମାର ନାୟକ, ଶିକ୍ଷାବିତ୍ ସଂଗ୍ରାମ୍ କେଶରୀ ମହାନ୍ତି, ଡାକ୍ତର ହରେକୃଷ୍ଣ ନାୟକ, ଅଧିବକ୍ତା ଗିରିଧାରୀ ନାଥ, ସୁଧାକର ରାଉତ, ଶାନ୍ତନୁ ରାଉତ, ବିପ୍ଳବ ହୋତା, ନଳିନୀ ମହାନ୍ତି, ଜ୍ୟୋତି ପ୍ରକାଶ ମହାନ୍ତି ଓ ଅନ୍ୟବକ୍ତାମାନେ ଆନ୍ଦୋଳନକୁ ପୂର୍ଣ୍ଣ ସମର୍ଥନ କରିବା ସହିତ ଏ ପ୍ରସଂଗରେ ଲକ୍ଷ୍ୟପ୍ରାପ୍ତି ପର୍ଯ୍ୟନ୍ତ ନିରନ୍ତର ଉଦ୍ୟମ ଜାରି ରଖିବା ପାଇଁ ଗଠନ ମୂଳକ ମତାମତ ଦେଇଥିଲେ । ସକାଳ ସମୟରେ ମଞ୍ଚ ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ବାର୍ତ୍ତା ଥିଲା ରକ୍ତ ଦେବା, ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଶପଥ ନେବା । ଏହି ଶିବିରକୁ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍‌ଘାଟନ କରାଯିବା ସହ ଅତିଥି ଭାବରେ ଡାକ୍ତର ହରେକୃଷ୍ଣ ନାୟକ, ଡଃ ରାଧାରାଣୀ ମହାପାତ୍ର, ସଂଗ୍ରାମ କେଶରୀ ମହାନ୍ତି, ଅକ୍ଷୟ କୁମାର ଜେନା, ସୁରେନ୍ଦ୍ର ପ୍ରସାଦ ଦାସ, ଅଭିଜିତ୍ ନାୟକ, ନିହାର ରଂଜନ କର, ଅତୁଲ ଦେ, ଗୀତାରାଣୀ ଆଇଚ, ରାମଚନ୍ଦ୍ର ବେହେରା, ସୁଧାକର ରାଉତ, ଗୌତମ ମହାରଣା, ପବନ ଶର୍ମା, ସାମ୍ବାଦିକ ହରିହର ନାୟକ, ତପନ ମିଶ୍ର, ନରେନ୍ଦ୍ର ସାମଲ, ସନାତନ ରାଉତ, ଭଦ୍ରକ ପୌରାଧ୍ୟକ୍ଷା ଗୁଲମକ୍କୀ ହବିବି, ଶୁଭେନ୍ଦୁ ରାୟ ମହାପାତ୍ର, ନଳିନୀକାନ୍ତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ମଞ୍ଚର ସଭାପତି ଲକ୍ଷ୍ମୀଧର ବିଶ୍ୱାଳ ସଭାପତିତ୍ୱ କରିଥିବା ବେଳେ ସମ୍ପାଦକ ସୁଦାମ ଭୁଇଁ, ସୁଧାଂଶୁ ଶେଖର ପଣ୍ଡା, ପୁରୁଷୋତ୍ତମ ଆର୍ଯ୍ୟ, ବାବା ଯଦୁମଣି ଦାସ, ବିଶ୍ୱନାଥ ରାଉତ, ବିକାଶ ନାୟକ, ଧର୍ମେନ୍ଦ୍ର ବିଶ୍ୱାଳ, ବରଜୁ ବାଗେ, ମନୋଜ ସାହୁ, ମମତା ବିଶ୍ୱାଳ, ମନୀଷା ବିଶ୍ୱାଳ, ମଧୁସ୍ମିତା ବିଶ୍ୱାଳ, ମୀନାରାଣୀ ବିଶ୍ୱାଳ ଓ ଅନ୍ୟ ୩୦ରୁ ଉର୍ଦ୍ଧ୍ୱ ତ୍ୟାଗୀ କାର୍ଯ୍ୟକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।