Odiapua.com

ବିଶିଷ୍ଟ ସମାଜସେବୀ ହରିହର ସାହୁଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଓ ‘ବଣିକ ସମ୍ରାଟ’ ସ୍ମରଣିକା ଉନ୍ମୋଚିତ

ଭଦ୍ରକ, ୧୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲିର ବିଶିଷ୍ଟ ସମାଜସେବୀ ତଥା ପ୍ରତିଷ୍ଠିତ ବ୍ୟବସାୟୀ ହରିହର ସାହୁଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ସ୍ଥାନୀୟ ପାଞ୍ଚପଡାସ୍ଥିତ ବାସଭବନରେ ଅନୁଷ୍ଠିତ ହୋଇଯାଇଛି । ସମ୍ବାଦ ସାହିତ୍ୟଘର ସଂଗଠନ ସଂପାଦକ ଅମୂଲ୍ୟ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟ ଅତିଥି ଭାବେ ଚାନ୍ଦବାଲି ବିଧାୟକ ତଥା ଯୋଜନାବୋର୍ଡ ଅଧ୍ୟକ୍ଷ ଡ. ବ୍ୟୋମକେଶ ରାୟ ଯୋଗଦାନ କରି ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ସଭାର ଶୁଭ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ସେ ‘ବଣିକ ସମ୍ରାଟ’ ସ୍ମରଣିକ ଉନ୍ମୋଚନ କରିବା ସହ ହରି ବାବୁ ମୁକୁଟ ବିହୀନ ସମ୍ରାଟ ଥାଇ ରାଜନୀତିର ଉର୍ଦ୍ଧ୍ୱରେ ରହି ଚାନ୍ଦବାଲିରେ ହାଇସ୍କୁଲ, ଏମ୍‌ଇ ସ୍କୁଲ, ମହାବିଦ୍ୟାଳୟ ଭଳି ବହୁ ଶିକ୍ଷାନୁଷ୍ଠାନ ଗଢିବାରେ ତାଙ୍କର ଭୂମିକା ଅଗ୍ରଗଣ୍ୟ ବୋଲି କହିଥିଲେ । ଏଥିସହ ଚାନ୍ଦବାଲିର ଅଧିଷ୍ଠାତ୍ରୀ ଦେବୀ ମା’ ଦକ୍ଷିଣେଶ୍ୱରୀ କାଳୀ ମନ୍ଦିର ଏବଂ ବିଗ୍ରହ ପ୍ରତିଷ୍ଠା କରି ଧାର୍ମିକ ଅନୁଷ୍ଠାନର ନିର୍ମାଣ କରି ସମାଜକୁ ଦେଇଯାଇଥିବା ଅତୁଳନୀୟ ଅବଦାନ ତାଙ୍କୁ ଚିର ସ୍ମରଣୀୟ କରି ରଖିବ ବୋଲି କହିଥିଲେ । ତାଙ୍କ ଜୀବିତ ଅବସ୍ଥାରେ ଚାନ୍ଦବାଲି ଛକକୁ ହରି ସାହୁ ଛକ ନାମରେ ନାମିତ କରାଯିବା ତାଙ୍କ ପ୍ରତି ଶ୍ରେଷ୍ଠ ଅବଦାନ ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ ବରେଣ୍ୟ ଅତିଥି ଭାବେ ଜିଲା ପରିଷଦ ଅଧ୍ୟକ୍ଷ ଦ୍ୱିଜବର ରାଉତ ଯୋଗ ଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ପ୍ରାଧ୍ୟାପକ ଶାନ୍ତନୁ କୁମାର ମହାନ୍ତି, ସମ୍ମାନନୀୟ ବକ୍ତା ଭାବେ ଆକାଶବାଣୀ ଗୀତିକାର ଇଂ ଅଭୟ ସୂତାର, ସାହିତ୍ୟିକ ପ୍ରଫୁଲ ଦାସ ଯୋଗଦେଇଥିଲେ ।

ସ୍ୱର୍ଗତଃ ସାହୁଙ୍କ ଜ୍ୱାଇଁ ତଥା ସ୍ମରଣିକାର ସଂପାଦକ ଡ. ଶଶିକାନ୍ତ ନାୟକ ସଂପାଦକୀୟ ପାଠ କରିଥିବାବେଳେ ତାଙ୍କର ଅଧୁରା ସ୍ୱପ୍ନ ପୂରଣ କରିବାକୁ ଚାନ୍ଦବାଲି ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଅନ୍ୟତମ ଅତିଥି କେନ୍ଦ୍ରାପଡାସ୍ଥିତ ଠାକୁର ଅନକୂଳ ଚନ୍ଦ୍ର ସତସଙ୍ଗ ବିହାରର ସଭାପତି ଗୁରୁଚରଣ ପରିଡା । କେନ୍ଦ୍ରାପଡା କୋରୁଆ ସମାଜ ପ୍ରତିନିଧି ଶ୍ରୀକାନ୍ତ ନାୟକ, କଂଗ୍ରେସ ନେତା ଦିଗମ୍ବର ଦାସ, ବିଜେଡି ଜିଲା ଉପସଭାପତି ପ୍ରତାପ ଚନ୍ଦ୍ର ଧଳ, ମହିଳା କଂଗ୍ରେସ ସଂପାଦିକା ସୁଲୋଚନା ନାୟକ, ବିଜେପି ଜିଲା ଉପସଭାପତି କମଳାକାନ୍ତ ସୂତାର, ନରେନ୍ଦ୍ରନାଥ ଯତି, ଶିକ୍ଷାବିତ୍ ବନମାଳୀ ସାହୁ, ସମ୍ବାଦ ସାହିତ୍ୟଘର ସଭାପତି ଜୟକୃଷ୍ଣ ନାୟକ, ଉପସଭାପତି ରଜନୀକାନ୍ତ ମହାନ୍ତି, ବଡଜ୍ୱାଇଁ ଅବସରପ୍ରାପ୍ତ ସୁବେଦାର ଆର୍ମି ମେଜର ଗଂଗାଧର ସାହୁ, ପ୍ରାକ୍ତନ ବ୍ଲକ୍ ଅଧ୍ୟକ୍ଷ ନରେଶ ମାଝୀ, ପୂର୍ବତନ ବିଜେଡି ଏନ୍‌ଏସି ସଭାପତି ଖଗେଶ୍ୱର ବଳ, ବରିଷ୍ଠ କଂଗ୍ରେସ ନେତା ନୁର ମହମ୍ମଦ ଇସ୍‌ମାଇଲ୍‌, କଂଗ୍ରେସ ବ୍ଲକ୍ ସଭାପତି କିଣୁରାମ ଜେନା, ଡାକ୍ତର ପୁରନ୍ଦର ଆଚାର୍ଯ୍ୟ, କଣ୍ଠଶିଳ୍ପୀ ଉପେନ୍ଦ୍ର ରାଉତ ପ୍ରମୁଖ ଦିବଂଗତ ହରି ସାହୁଙ୍କ ବହୁମୁଖୀ ପ୍ରତିଭା ସଂପର୍କରେ ବକ୍ତବ୍ୟ ରଖିଥିଲେ । ଅଭାବ ଅନାଟନରେ ବଢି ଅଧାରୁ ପାଠ ଛାଡିଥିବା ସ୍ୱର୍ଗତଃ ସାହୁ ଜୀବନରେ ବହୁ ସଂଘର୍ଷ କରି ନିଜ ପରିଚୟ ନିଜେ ସୃଷ୍ଟି କରିପାରିଥିବା ବିଷୟ ବକ୍ତାମାନେ କହିଥିଲେ । ଏହି କାର୍ଯ୍ୟକ୍ରମକୁ ଲଛମନ ସାହୁ, ଅଶୋକ କୁମାର ସାହୁ, ପରମେଶ୍ୱର ସାହୁ, ଅମର କୁମାର ସାହୁ, ଅରୁଣ କୁମାର ସାହୁ ଓ ନୟନ ରଂଜନ ସାହୁ ପ୍ରମୁଖ ପରିଚାଳନା କରିଥିବାବେଳେ ତାଙ୍କୁ ଭଲ ପାଉଥିବା ବହୁ ବିଶିଷ୍ଟ ବ୍ୟକ୍ତି ଏଥିରେ ଯୋଗ ଦେଇଥିଲେ ।