Odiapua.com

ବିଶିଷ୍ଟ ଶିଶୁ ସାହିତ୍ୟିକ ଗୋବିନ୍ଦ ପ୍ରସାଦ ଭଟ୍ଟାଚାର୍ଯ୍ୟଙ୍କ ପରଲୋକରେ ଶୋକ

ଭଦ୍ରକ, ୧୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଶିଷ୍ଟ ଶିଶୁ ସାହିତ୍ୟିକ, ଗବେଷକ ତଥା ପ୍ରବାସରେ ଓଡ଼ିଆ ଭାଷାର ପ୍ରସାର କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ନିର୍ବାହ କରିଥିବା ତ୍ୟାଗଭୂମି ଭଦ୍ରକର କୃତିସନ୍ତାନ ଗୋବିନ୍ଦ ପ୍ରସାଦ ଭଟ୍ଟାଚାର୍ଯ୍ୟଙ୍କ ଦେହାନ୍ତ ହୋଇଯାଇଛି । ସେ କିଛିଦିନ ତଳେ ମସ୍ତିଷ୍କଜନିତ ଆଘାତ ପାଇ ଏମସ୍‌ରେ ଚିକିତ୍ସିତ ହୋଇ ପ୍ରତ୍ୟାବର୍ତନ କରିଥିଲେ । ତେବେ ଆଜି ତାଙ୍କର ତିହିଡ଼ି ବଉଳପାଳ ବାସଭବନରେ ଦେହାନ୍ତ ହୋଇଯାଇଛି । ତାଙ୍କର ଏହି ମୃତ୍ୟୁ ଖବର ପାଇବା ପରେ ସମଗ୍ର ଭଦ୍ରକ ଜିଲାରେ ଶୋକର ଛାୟା ଖେଳିଯାଇଛି । ଏବଂ ବହୁ ଅନୁଷ୍ଠାନ ଓ ବିଶିଷ୍ଟ ବ୍ୟକ୍ତିବିଶେଷ ତାଙ୍କ ବାସଭବନରେ ପହଂଚି ମରଶରୀରରେ ଶ୍ରଦ୍ଧାସୁମନ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ବଙ୍ଗୀୟ ବଂଶୋଦ୍ଭବ ହୋଇ ମଧ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ କେବଳ ଓଡ଼ିଶା ନୁହେଁ ରାଜ୍ୟ ବାହାରେ ବ୍ୟାପକ କରାଇ ଏହାର ଉତରୋତର ଉନ୍ନତି କରିବାରେ ତାଙ୍କ ଜୀବନବ୍ୟାପୀ ସାଧନାର ପଟାନ୍ତର ନାହିଁ । ତାଙ୍କର ମୃତ୍ୟୁରେ ସାଂସଦ ଅଭିମନ୍ୟୁ ସେଠୀ, ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ପ୍ରଫେସର ଡ. ଶୈଳେନ୍ଦ୍ର ମହାପାତ୍ର, ପ୍ରଫେସର ଡ. ଶଶଧର ଦାସ, ଡ. ବଳରାମ ମିଶ୍ର, ସମାଜସେବୀ ଏସ ଏମ ଫାରୁକ, ଡ. ପବିତ୍ର ପାଣିଗ୍ରାହୀ, ଡ. ଅଟଳ ବିହାରୀ ନାୟକ ପ୍ରମୁଖ ଶୋକବ୍ୟକ୍ତ କରିଥିବାବେଳେ ତ୍ୟାଗଭୂମିର ସଭାପତି ଅଜୟ ନାୟକ ତାଙ୍କ ବାସଭବନରେ ପହଂଚି ଶେଷ ଦର୍ଶନ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।