Odiapua.com

ବିଶିଷ୍ଟ ଶିକ୍ଷାବିତ, ସାହିତ୍ୟିକ, ଗବେଶକ ଓ ଅନୁବାଦକ ଡ.କାର୍ତ୍ତିକେଶ୍ୱର ବେହେରାଙ୍କ ପରଲୋକ

ହାଟଡିହି- ୧୪ /୫ (ଓଡିଆପୁଅ / ବିକାଶ ବିଶ୍ୱାଳ) ଶିକ୍ଷା, ସାହିତ୍ୟ, ସଂସ୍କୃତି, ଆଧ୍ୟାତ୍ମିକ ଜୀବନ ଦର୍ଶନ, ସାଂପ୍ରତିକ ଘଟଣାବଳୀ ଆଦି ବହୁବିଧ ବିଭାଗରେ ସ୍ୱତନ୍ତ୍ର ପାରଦର୍ଶିତା ପ୍ରତିପାଦନ କରିଥିବା କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ବଞ୍ଚୋ ଗ୍ରାମର ବିଶିଷ୍ଟ ଡ. କାର୍ତ୍ତିକେଶ୍ୱର ବେହେରାଙ୍କର ୬୯ବର୍ଷ ବୟସରେ ପରଲୋକ ଘଟିଛି । ସେ ଏକାଧାରରେ ଜଣେ ସୁଦକ୍ଷ ସାହିତ୍ୟ ସମାଲୋଚକ, ଲବ୍ଧ ପ୍ରତିଷ୍ଠିତ କବି, ସୁବକ୍ତା, ଶିକ୍ଷାବିତ, ବୁଦ୍ଧିଜୀବୀ ଥିଲେ ତା ନୁହଁ ପାଠ୍ୟପୁସ୍ତକ ସମିକ୍ଷକ, ସର୍ବୋପରି ନିସ୍ୱାର୍ଥପର ପରୋପକାରୀ ମଣିଷ ଭାବେ ବେଶ ଲୋକପ୍ରୀୟତା ହାସଲ କରିପାରିଥିଲେ । ଡ. ବେହେରା ପ୍ରଥମେ ବଞ୍ଚୋ ଓ ପରେ ପନ୍ଦାଡୋ ୟୁଜିଏମଇ ବିଦ୍ୟାଳୟରୁ ଶିକ୍ଷକତା ଆରମ୍ଭ କରି ସଫଳତାର ସୋପାନ ଚଢ଼ି ଜିଲ୍ଲା ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ପଦବୀରୁ ଅବସର ଗ୍ରହଣ କରିଥିଲେ । ତାଙ୍କ ସହଧର୍ମଣୀ ତିଳୋତ୍ତମା ବେହେରା ମଧ୍ୟ ସ୍ୱାମୀଙ୍କ ମୃତ୍ୟୁର ଦୁଇଦିନ ପୁର୍ବରୁ ମୃତ୍ୟୁ ବରଣ କରିଥିଲେ । ଡକ୍ଟର ବେହେରା କରୋନାରେ ଆକ୍ରାନ୍ତ ହେବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ ।
ତାଙ୍କ ଲିଖିତ ପୁସ୍ତକ ଚିକିମିକି ତାରାଫୁଲ, ଚୁନାଚୁନା ନୀଳ ଢ଼େଉ, ସମ୍ପର୍କର ପରିଭାଷା, ଧର୍ମ ଧାରଣା ଏ ଜଗତେ, ଆମ ସ୍ଥିତି ଅନୁଭତି ଓ ପ୍ରଗତି ଆଦି ପ୍ରବନ୍ଧ ପୁସ୍ତକ ସମେତ ଏକାଧିକ ପୁସ୍ତକକୁ ଇଂରାଜିରେ ଅନୁବାଦ କରିବା ଥିଲା ତାଙ୍କ ପାରଦର୍ଶିତାର ଅନ୍ୟଏକ ଦିଗ । ତାଙ୍କର ଏ ଦୁଖଃଦ ମୃତ୍ୟୁରେ ସମଗ୍ର ବଞ୍ଚୋ ଗ୍ରାମରେ ଶୋକର ଛାୟା ଖେଳି ଯାଇଥିବାବେଳେ ବରିଷ୍ଠ ଲେଖକ ରତ୍ନାକର ଦାସ, କବି ଡ. ଅଶୋକ କୁମାର ପୁହାଣ, ସାମ୍ବାଦିକ କିଶୋର ଆଚାର୍ଯ୍ୟ, କବି ଶ୍ରୀକାନ୍ତ ପଟ୍ଟନାୟକ, ହାଟଡିହି ସମ୍ବାଦ ସାହିତ୍ୟଘରର ସଭାପତି ଅନ୍ତର୍ଯ୍ୟାମୀ ରାଉତ, ସୁବାସ ଚନ୍ଦ୍ର ପାତ୍ର, ଡ. ଆଶୋକ କୁମାର ରଣା, ଲେଖିକା ବିଦ୍ୟୁତପ୍ରଭା ଦେଓ, ନାରାୟଣ ସାହୁ, ସୁରେନ୍ଦ୍ର କୁମାର ପରିଡା, ଅମୁଲ୍ୟ କୁମାର ମିଶ୍ର, ନାରାୟଣ ଚନ୍ଦ୍ର ଲେଙ୍କା, ସମାଜସେବୀ ଦୁର୍ଗାଚରଣ ଦଳେଇ, କିର୍ତ୍ତନ ସାହୁଙ୍କ ସମେତ ସମଗ୍ର ରାଜ୍ୟର ବହୁ ସାହିତ୍ୟକ, ଶିକ୍ଷାବିତ, ବୁଦ୍ଧିଜିବୀ ଓ କବିମାନେ ଶୋକ ପ୍ରକାଶ କରିଛନ୍ତି ।