Odiapua.com

ବିଳମ୍ବ ବର୍ଷା ସତ୍ୱେ ଖରିଫ ଚାଷର ଲକ୍ଷ୍ୟଧାର୍ଯ୍ୟ ଶତ ପ୍ରତିଶତ ଫଳପ୍ରଦ

ଭଦ୍ରକ, ୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଳମ୍ବ ବର୍ଷା ହେବା ସତ୍ୱେ ଜିଲାରେ ଚଳିତବର୍ଷ ଖରିଫ ଚାଷ ସଂପୂର୍ଣ୍ଣ ହୋଇଛି । କୃଷି ବିଭାଗର ସମୀକ୍ଷା ବୈଠକରୁ ଜଣାଯାଇଛି ଯେ ଜିଲାରେ ଚଳିତବର୍ଷ ସ୍ୱାଭାବିକ ବୃଷ୍ଟିପାତ ଯୋଗୁଁ ଜିଲାର ଧାନ ଓ ଅଣଧାନ ଚାଷର ଲକ୍ଷ୍ୟଧାର୍ଯ୍ୟ ଶତ ପ୍ରତିଶତ ଫଳପ୍ରଦ ହୋଇଛି । ଚଳିତ ଖରିଫ ପାଇଁ ଜିଲାରେ ୧ ଲକ୍ଷ ୬୧ ହଜାର ୫୦୦ ହେକ୍ଟର ଜମିରେ ଧାନ ଓ ୧୨୩୮୩ ହେକ୍ଟର ଜମିରେ ଅଣଧାନକୁ ମିଶାଇ ୧ ଲକ୍ଷ ୭୩ ହଜାର ୮୮୩ ହେକ୍ଟର ଜମିର ଲକ୍ଷ୍ୟଧାର୍ଯ୍ୟ ଥିଲା । ତେବେ ଏହି ଲକ୍ଷ୍ୟଧାର୍ଯ୍ୟ ଫଳପ୍ରଦ ହୋଇଛି । ଭଦ୍ରକ ବ୍ଲକ୍‌ରେ ଧାନ ୨୪୪୮୫ ହେକ୍ଟର ଜମିରେ ଲକ୍ଷ୍ୟଧାର୍ଯ୍ୟ ଥିବାବେଳେ ଅଣଧାନ ୧୮୬୦ ହେକ୍ଟର କୁ ମିଶାଇ ମୋଟ ୨୬୩୪୫ ହେକ୍ଟର ଜମିରେ ଖରିଫ ଚାଷପାଇଁ ଲକ୍ଷ୍ୟଧାର୍ଯ୍ୟ ରଖାଯାଇଥିଲା । ଏହା ସଂପୂର୍ଣ୍ଣ ଫଳପ୍ରଦ ହୋଇଛି । ସେହିପରି ତିହିଡି ବ୍ଲକ୍‌ରେ ଧାନ ୨୦୬୩୭ ହେକ୍ଟର ଜମିରେ ଲକ୍ଷ୍ୟଧାର୍ଯ୍ୟ ଥିବାବେଳେ ଅଣଧାନ ୨୦୧୦ ହେକ୍ଟର କୁ ମିଶାଇ ମୋଟ ୨୨୬୪୭ ହେକ୍ଟର ଜମିରେ ଖରିଫ ଚାଷପାଇଁ ଲକ୍ଷ୍ୟଧାର୍ଯ୍ୟ ରଖାଯାଇଥିଲା । ଏହା ଫଳପ୍ରଦ ହୋଇଛି । ବାସୁଦେବପୁର ବ୍ଲକ୍‌ରେ ୩୨୨୩୯ ହେକ୍ଟର ଧାନ ଓ ୧୭୧୩ ହେକ୍ଟର ଅଣଧାନ, ମୋଟ ୩୩୯୫୨ ହେକ୍ଟର ଜମିରେ ଖରିଫ ଚାଷର ଲକ୍ଷ୍ୟଧାର୍ଯ୍ୟ ଥିଲା । ସେହିପରି ଚାନ୍ଦବାଲି ବ୍ଲକ୍‌ର ୩୩୦୭୦ ହେକ୍ଟର ଜମିରେ ଧାନ ଓ ୨୭୫୨ ହେକ୍ଟର ଜମିରେ ଅଣଧାନ, ମୋଟ ୩୫୮୨୨ ହେକ୍ଟର ଜମିର ଲକ୍ଷ୍ୟଧାର୍ଯ୍ୟ ଥିଲା । ଧାମନଗର ବ୍ଲକ୍‌ରେ ୧୭୦୬୯ ହେକ୍ଟରରେ ଧାନ, ୧୩୦୮ ହେକ୍ଟରରେ ଅଣଧାନ କୁ ମିଶାଇ ୧୮୩୭୭ ହେକ୍ଟର ଜମିରେ ଚାଷ ହୋଇଛି ।

ଭଣ୍ଡାରିପୋଖରୀରେ ୧୬୯୩୮ ହେକ୍ଟରରେ ଧାନ, ୯୦୫ ହେକ୍ଟରରେ ଅଣଧାନ, ମୋଟ ୧୭୮୪୩ ହେକ୍ଟରରେ ଜମିରେ ଖରିଫ ଚାଷ ହୋଇଛି । ବନ୍ତ ବ୍ଲକ୍‌ରେ ୧୭୦୬୨ ହେକ୍ଟର ଜମିରେ ଧାନ, ୧୮୩୫ ହେକ୍ଟରରେ ଅଣଧାନ କୁ ମିଶାଇ ସମୁଦାୟ ୧୮୮୯୭ ହେକ୍ଟର ଚାଷଜମିରେ ଖରିଫ ଚାଷର ଲକ୍ଷ୍ୟଧାର୍ଯ୍ୟ ଥିଲା । ଚଳିତବର୍ଷ ଏପ୍ରିଲ ମାସରେ ସାଧାରଣ ବୃଷ୍ଟିପାତ ୫୧.୨ ମିଲିମିଟର ଥିବାବେଳେ ବୃଷ୍ଟିପାତ ହେଉଛି ୬୮.୮ । ସେହିପରି ମଇ ମାସରେ ସାଧାରଣ ବୃଷ୍ଟିପାତ ୯୧.୪ ଥିବାବେଳେ ବୃଷ୍ଟିପାତ ଥିଲା ୫୨.୮ ମିମି । ଜୁନ୍ ମାସରେ ସାଧାରଣ ବୃଷ୍ଟିପାତ ୧୯୮.୩ ମିମି ଥିବାବେଳେ ୧୪୫ ମିମି ବର୍ଷା ହୋଇଛି । ସେହିପରି ଜୁଲାଇ ମାସରେ ୨୯୩.୬ ସାଧାରଣ ବୃଷ୍ଟିପାତ ଥିବାବେଳେ ୩୪୨.୭ ମିମି ବର୍ଷା ହୋଇଛି । ଅଗଷ୍ଟ ମାସରେ ୩୧୧.୭ ମିମି ସାଧାରଣ ବୃଷ୍ଟିପାତ ଥିବାବେଳେ ୨୪୭ ମିମି ବୃଷ୍ଟିପାତ ହୋଇଛି । ସେପ୍ଟେମ୍ବର ମାସରେ ସାଧାରଣ ବୃଷ୍ଟିପାତ ୨୧୬ ମିମି ଥିବାବେଳେ ୨୮୭ ମିମି ବର୍ଷା ହୋଇଛି । ତେବେ କେତେକ ଜମିରେ ରୋଗ ପୋକ ଲାଗିବାର ଚାଷୀ ମହଲରୁ ଅଭିଯୋଗ ହୋଇଥିବାବେଳେ କୃଷି ବିଭାଗ ଏହାକୁ ଖଣ୍ଡନ କରିଛି । କୃଷି ବିଭାଗର ସୂଚନା ଅନୁଯାୟୀ ଫସଲରେ ସେମିତି କୌଣସି ଅଧିକ (ଆର୍ଥିକ ଦହଳି) ରୋଗପୋକ ଦ୍ୱାରା ସୀମା ଅତିକ୍ରମ କରିନାହିଁ । ତେବେ ଏଥିପ୍ରତି କୃଷି ବିଭାଗ ପକ୍ଷରୁ ସତର୍କ ଦୃଷ୍ଟି ରଖାଯାଇଛି । ବିଭିନ୍ନ ବ୍ଲକ୍‌ରେ ରୋଗପୋକକୁ ନିୟନ୍ତ୍ରଣ କରିବା ପାଇଁ କୃଷି ବିଭାଗ ପକ୍ଷରୁ ଚାଷୀମାନଙ୍କୁ ପରାମର୍ଶ ଦିଆଯାଉଛି । ଏହାଛଡା କୀଟନାଶକ ଔଷଧ ରିହାତି ଦରରେ ସରକାରଙ୍କ ତରଫରୁ ଯୋଗାଇ ଦିଆଯିବାକୁ ନିର୍ଦ୍ଦେଶ ରହିଛି । ହେକ୍ଟର ପିଛା ୫୦୦ ଓ ୧୦୦୦ ଟଙ୍କା ରିହାତି ବ୍ୟବସ୍ଥା ରହିଛି ବୋଲି ଦାୟିତ୍ୱରେ ଥିବା ମୁଖ୍ୟ ଜିଲା କୃଷି ଅଧିକାରୀ ଶ୍ରୀଧର ଦାସ ସୂଚନା ଦେଇଛନ୍ତି ।