Odiapua.com

ବିଲ ମଝିରୁ ମୃତଦେହ ଉଦ୍ଧାର ଘଟଣା, ପରିବାର ପକ୍ଷରୁ ଅଭିଯୁକ୍ତଙ୍କ ଗିରଫ ଦାବୀରେ ଏସ୍‌ପିଙ୍କ ଅଫିସ୍ ସମ୍ମୁଖରେ ଧାରଣା

ଭଦ୍ରକ, ୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତମାସ ୧୮ ତାରିଖରେ ବିଲରୁ ମିଳିଥିବା ଏକ ମୃତଦେହ ଉଦ୍ଧାର ଘଟଣାରେ ଆଜି ତାଙ୍କ ପରିବାର ପକ୍ଷରୁ ତାଙ୍କ ସ୍ତ୍ରୀ ସମେତ ଶ୍ୱଶୁରଘର ଲୋକଙ୍କ ବିରୁଦ୍ଧରେ ହତ୍ୟା ଅଭିଯୋଗ କରି ଆସାମୀମାନଙ୍କୁ ଗିରଫ ଦାବି ନେଇ ଜିଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି । ସୂଚନା ଅନୁସାରେ ଗତମାସ ୧୮ ତାରିଖ ଦିନ ତିହିଡି ଥାନା ମଙ୍ଗଳପୁର ପଂଚାୟତର କେଶବ ମାଇତିଙ୍କ ଶବ ତାଙ୍କ ଶ୍ୱଶୁରଘର ଭଦ୍ରକ ଜିଲା ଗ୍ରାମାଞ୍ଚଳ ଥାନା ଓଲଙ୍ଗ ନିକଟ ଏକ ବିଲ ମଝିରୁ ଉଦ୍ଧାର କରାଯାଇଥିଲା । କେଶବ ଓଲଙ୍ଗସ୍ଥିତ ତାଙ୍କ ଶ୍ୱଶୁରଘରେ ରହୁଥିବାର ଜଣାପଡିଛି । ତେଣୁ ଶ୍ୱଶୁରଘର ଲୋକେ ତାଙ୍କୁ ହତ୍ୟା କରି ବିଲ ମଝିରେ ଫୋପାଡି ଦେଇଥିବା ଅଭିଯୋଗ କରିଛନ୍ତି କେଶବଙ୍କ ମା, ଭାଇଙ୍କ ସମେତ ପରିବାର ଲୋକେ । ତେବେ ଏନେଇ ପୁଲିସ୍ ବିହିତ ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି । ତୁରନ୍ତ ଏନେଇ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୁଲିସ୍ ପକ୍ଷରୁ ପ୍ରତିଶ୍ରୁତି ମିଳିବା ପରେ ଧାରଣା ପ୍ରତ୍ୟାହୃତ ହୋଇଛି । ତେବେ ଏନେଇ ପୁଲିସ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ ।