Odiapua.com

ବିର୍ଲା ଟାୟାର୍ସ ଶ୍ରମିକଙ୍କୁ ମିଳୁନି ୮ ମାସର ବକେୟା ଦରମା – ଜିଲ୍ଲାପାଳଙ୍କୁ ଦୁଃଖ ଜଣାଇଲେ ୭ ସଂଗଠନର କର୍ମକର୍ତ୍ତା

ବାଲେଶ୍ୱର, ୧୨-୮(ଓଡ଼ିଆ ପୁଅ/ଅଭୟ ଦାସ): ପ୍ରଶାସନର ମଧ୍ୟସ୍ଥତା ଓ ପ୍ରତିଶ୍ରୁତି ପରେ ବି ଶ୍ରମିକଙ୍କ ବକେୟା ଦରମା ଏବଂ ଅନ୍ୟାନ୍ୟ ଅର୍ଥ ପ୍ରଦାନରେ ବିରଳା ଟାୟାର୍ସ କର୍ତ୍ତୃପକ୍ଷଙ୍କ ଉଦାସୀନତାକୁ ନେଇ ବିଭିନ୍ନ ଶ୍ରମିକ ସଂଗଠନ ସୋମବାରଦିନ ମିଳିତ ଭାବେ ଜିଲ୍ଲାପାଳଙ୍କଠାରେ ଫେରାଦ ହୋଇଛନ୍ତି। ବିଜୁ ପଟ୍ଟନାୟକ କର୍ମଚାରୀ ସଭା, ବିଜୁ ଶ୍ରମିକ ସଂଘ, ବିର୍ଲା ଟାୟାର୍ସ କର୍ମଚାରୀ ସଗ୍ରାମୀ ସାମ୍ମୁଖ୍ୟ, ଭାରତୀୟ ମଜଦୁର ସଂଘ, ବିର୍ଲା ଟାୟାର୍ସ ଶ୍ରମିକ କଂଗ୍ରେସ ପ୍ରଭୃତିର ପ୍ରତିନିଧିମାନେ ଆଜି ଜିଲ୍ଳାପାଳଙ୍କୁ ସାକ୍ଷାତ କରିବା ସହ ବିର୍ଲା ଟାୟାର୍ସ କର୍ତ୍ତପକ୍ଷଙ୍କ ଶ୍ରମିକ ମାରଣ ନୀତି ସମ୍ପର୍କରେ ଅବଗତ କରିଥିଲେ। ପୂର୍ବରୁ ପ୍ରତିମାସ ଅଧାଦିନ ଉତ୍ପାଦନ ହେଉଥିବା ବେଳେ ସମ୍ପ୍ରତି କରୋନା ଓ ଅନ୍ୟାନ୍ୟ କାରଣ ପାଇଁ ଉତ୍ପାଦନ ସମ୍ପୂର୍ଣ୍ଣ ବନ୍ଦ ରହିଛି। ମାତ୍ର କରୋନା ପାଇଁ ଶ୍ରମିକମାନେ ଅନ୍ୟ କେଉଁଠି ବି କାର୍ଯ୍ୟ କରିବାକୁ ଯାଇ ପାରୁ ନାହାନ୍ତି। ଏଭଳି ସଙ୍ଗୀନ ସ୍ଥିତିରେ ପରିବାର ପ୍ରତିପୋଷଣ କରିବା ଶ୍ରମିକଙ୍କ ପକ୍ଷେ କଷ୍ଟକର ହୋଇଯାଇଛି। ଜିଲ୍ଲା ପ୍ରଶାସନ, ଶ୍ରମ ବିଭାଗ ଓ ନିର୍ବାଚିତ ଲୋକ ପ୍ରତିନିଧିଙ୍କଠାରେ ଆପତ୍ତି କରି ମଧ୍ୟ କିଛି ଫଳ ନମିଳିବାରୁ ଶେଷରେ ଗତ ଜୁଲାଇ ମାସ ୩ ତାରିଖରେ ଶ୍ରମିକମାନେ ପରିବାର ସହ କାରଖାନା ସମ୍ମୁଖରେ ଅହୋରାତ୍ର ଧାରଣା ଦେଇଥିଲେ। ବିଳମ୍ବିତ ରାତିରେ ଜିଲ୍ଲା ପ୍ରଶାସନିକ ଅଧିକାରୀ ଓ ପୁଲିସର ଉପସ୍ଥିତିରେ ବିର୍ଲା ଟାୟାର୍ସ ପରିଚାଳନା କର୍ତ୍ତୃପକ୍ଷ ଶ୍ରମିକଙ୍କ ସମସ୍ତ ଦାବି ମାନି ନେଇଥିଲେ ବି ଅଦ୍ୟାବଧି ୮ ମାସର ଦରମା ଓ ଅନ୍ୟାନ୍ୟ ବକେୟା ଅର୍ଥ ପ୍ରଦାନ କରାଯାଇ ନାହିଁ। ତୁରନ୍ତ ଏ ବାବଦରେ ଉଚିତ ପଦକ୍ଷେପ ନେବାକୁ ବିର୍ଲା ଟାୟାର୍ସର ବିଭିନ୍ନ ଶ୍ରମିକ ସଂଗଠନ କର୍ମକର୍ତ୍ତାମାନେ ଜିଲ୍ଲାପାଳଙ୍କଠାରେ ଗୁହାରୀ କରିଛନ୍ତି। ଏନେଇ ସେମାନେ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ। ଦାବିପତ୍ର ପ୍ରଦାନ ବେଳେ ଶ୍ରମିକ ନେତା ଅଶୋକ ରାଉତ, ଛବିନ୍ଦ୍ର ମହାନ୍ତି, ମାନସ ରଂଜନ ପଣ୍ଡା, ରଣ୍ମିରଂଜନ ରାଉତ, ରାମାୟଣ ଯାଦବ, ଶିବ ପ୍ରସାଦ ଦାସ, ଦେବେନ୍ଦ୍ର ସିଂ ପ୍ରମୁଖ ଉପସ୍ଥିତ ଥିଲେ।