Odiapua.com

ବିରୋଳିରେ ୨୨ଟି ନାଗଛୁଆ ସହିତ ୩୬ ଅଣ୍ଡା ଉଦ୍ଧାର

ଭଦ୍ରକ, ୧୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକ୍ ଅଧୀନସ୍ଥ ଷୋଳମପୁର ପଞ୍ଚାୟତର ବିରୋଳି ଶାସନ ଗ୍ରାମନିବାସୀ ଲକ୍ଷ୍ମୀଧର ପଣ୍ଡାଙ୍କ ଘରୁ ଆଜି ୨୨ଟି ନାଗଛୁଆ ସମେତ ୩୬ଟି ଅଣ୍ଡା ଉଦ୍ଧାର କରାଯାଇଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଶ୍ରୀ ପଣ୍ଡାଙ୍କ ବୋହୂ ରଶ୍ମିତା ଗୁହାଳ ଘରକୁ ଯାଇ ଜାଳେଣି କାଠ ଆଣିବା ସମୟରେ ହଠାତ୍ ଦୁଇଟି ନାଗଛୁଆ ତାଙ୍କ ଡାହାଣ ହାତ ଉପରେ ଚଢିଯାଇଥିଲେ । ସାପକୁ ଫୋପାଡି ଦେଇ ଏହି ବିଷୟରେ ଲକ୍ଷ୍ମୀଧରଙ୍କ ପୁତ୍ର ପ୍ରଦୀପଙ୍କୁ କହିବାରୁ ସେ ଯାଜପୁର ସ୍ନେକ୍ ହେଲପ୍‌ଲାଇନର ଚିତ୍ତରଂଜନ ପଣ୍ଡାଙ୍କ ସହ ଯୋଗାଯୋଗ କରିଥିଲେ । ପରବର୍ତ୍ତୀ ସମୟରେ ଚିତ୍ତ ପଣ୍ଡା ଗୁହଳ ଘର ଖନନ କରି ମୋଟ ୨୨ଟି ନାଗଛୁଆ ସମେତ ୩୬ଟି ଅଣ୍ଡା ଖୋଳ ଉଦ୍ଧାର କରିଥିଲେ । ଘଟଣାର ଏକମାସ ପୂର୍ବରୁ ସେହି ଗୁହାଳଘରୁ ୪ ଫୁଟର ଏକ ମା’ ନାଗୁଣୀ ଧରାପଡିଥିବାବେଳେ ଆଜି ୨୨ଟି ଛୁଆ ଉଦ୍ଧାର କରାଯାଇଛି । ତେବେ ୩୬ଟି ଅଣ୍ଡା ଖୋଳ ମିଳିଥିବାବେଳେ ୨୨ଟି ଛୁଆ ଉଦ୍ଧାର ହେବା ନେଇ ପରିବାରଙ୍କ ମଧ୍ୟରେ ଆଶଙ୍କା ଉପୁଜିଛି । ଅବଶିଷ୍ଟ ୧୪ଟି ନାଗଛୁଆ ମିଳିନଥିବାରୁ ଏବେ ସେମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି । ଉଦ୍ଧାର ନାଗଛୁଆଙ୍କୁ ଚିତ୍ତରଂଜନ ରଗଡି ଜଙ୍ଗଲରେ ଛାଡିଥିବାର ସୂଚନା ମିଳିଛି ।