Odiapua.com

ବିରିଆଡିଆ ଗାଁରୁ ୧୦ ଦିନର ଶିଶୁପୁତ୍ର ଉଦ୍ଧାର, ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ ସିଡବ୍ଲ୍ୟୁସି କୁ ହସ୍ତାନ୍ତର

ଭଦ୍ରକ, ୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲି ବ୍ଲକ୍ ଖଦାଳପୋଖରୀ ପଂଚାୟତ ଅଧୀନ ବିରିଆଡିଆ ଗାଁରୁ ବେଆଇନ୍ ଭାବେ ପାଳିଥିବା ଏକ ୧୦ ଦିନର ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି । ଜିଲା ଶିଶୁ ମଙ୍ଗଳ ସମିତିର ନିର୍ଦ୍ଦେଶ କ୍ରମେ ଚାନ୍ଦବାଲି ସବ୍‌ସେଣ୍ଟର ପକ୍ଷରୁ ଏଭଳି ଉଦ୍ଧାର କରାଯାଇଥିବାର ସୂଚନା ମିଳିଛି । ଏକ ବିଶେଷ ସୂତ୍ରରୁ ସୂଚନା ପାଇବା ପରେ ବିରିଆଡିଆ ଗ୍ରାମର ଅଙ୍ଗନୱାଡି କର୍ମୀଙ୍କୁ ପଚରାଉଚୁରା କରିଥିଲା ଏହି ସମିତି । ତେବେ ଯେଉଁ ମହିଳା ଏହି ଶିଶୁପୁତ୍ରକୁ ଘରେ ରଖିଥିଲେ, ସେ ଇତିମଧ୍ୟରେ ଗର୍ଭବତୀ ହୋଇନଥିବା ଏଭଳି ସେ ପିଲା ଜନ୍ମ କରିନଥିବାର ଜଣାପଡିଥିଲା । ଫଳରେ ଘଣ୍ଟେଶ୍ୱର ଫାଣ୍ଡି ପୁଲିସ୍ ସହଯୋଗରେ ଚାନ୍ଦବାଲି ଚାଇଲ୍ଡ ଲାଇନ୍ ସବସେଣ୍ଟରର ମହେଶ୍ୱର ଦାସ ଓ ଅନ୍ୟ କର୍ମକର୍ତ୍ତାମାନେ ବିରିଆଡିଆ ଗାଁର ମନୋଜ ଦାସଙ୍କ ଘରୁ ଉକ୍ତ ଶିଶୁପୁତ୍ରକୁ ଉଦ୍ଧାର କରିଥିଲେ । ଉଦ୍ଧାର ପରେ ଶିଶୁଟିକୁ ସି.ଡବ୍ଳ୍ୟୁସିକୁ ହସ୍ତାନ୍ତର କରାଯିବା ପରେ ଚିକିତ୍ସା ପାଇଁ ତାକୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବାର ସୂଚନା ମିଳିଛି । ତେବେ ଶିଶୁପୁତ୍ରଟିକୁ ଘରେ ରଖିଥିବା ମନୋଜ ସାହୁଙ୍କ ପରିବାର ଲୋକେ ତାକୁ କେଉଁଠାରୁ ପାଇଥିବା ବିଷୟ କହିଛନ୍ତି । ଏଥିସହ ଗତ ସେପ୍ଟମ୍ବର ୨୭ ରେ ଶିଶୁଟିର ଜନ୍ମ ହୋଇଥିବା କଥା କହିଥିଲେ ମଧ୍ୟ କୌଣସି ପ୍ରମାଣପତ୍ର ଦାଖଲ କରିନଥିବାର ଜଣାଯାଇଛି । ତେବେ ମାତ୍ର ୧୦ ଦିନର ଶିଶୁପୁତ୍ରଟି କେଉଁଠୁ ଆସିଲା, କିଏ ଦେଲା ଏବଂ ମନୋଜ ସାହୁଙ୍କ ପରିବାର କେଉଁ ଉଦ୍ଦେଶ୍ୟରେ ତାକୁ ଆଣି ଏଭଳି ବେଆଇନ୍ ଭାବେ ରଖିଥିଲେ, ତାହା ଏକ ବଡ ପ୍ରଶ୍ନ ହୋଇଛି । ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ ଆଗକୁ ଅଧିକ ଖୋଳତାଡ ହେବାର ସମ୍ଭାବନା ରହିଛି ।