Odiapua.com

ବିରଜା ପଞ୍ଜିକା ମୂଳେ ଆଜିଠୁ ଆଖଣ୍ଡଳମଣିଙ୍କ ଶ୍ରାବଣୀ ଯାତ୍ରା ଆରମ୍ଭ : କୋଭିଡ୍ କଟକଣା ପାଇଁ ଲାଗି ହେବନାହିଁ ବୋଲବମ୍ ଭକ୍ତଙ୍କ ଜଳ, ପୀଠରେ କଡା ସୁରକ୍ଷା ଜାରି କଲା ପ୍ରଶାସନ

ଭଦ୍ରକ, ୧୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚଳିତବର୍ଷ କୋଭିଡ୍ କଟକଣା ଯୋଗୁଁ ସମଗ୍ର ରାଜ୍ୟ ସମେତ ଭଦ୍ରକର ପ୍ରସିଦ୍ଧ ଶୈବପୀଠ ଆରଡିସ୍ଥିତ ଆଖଣ୍ଡଳମଣିଙ୍କ ପୀଠରେ ଏଥର ଶୁଭିବନି କାଉଡିଆ ଭକ୍ତଙ୍କ ବୋଲେବମ୍ ଓ ହରହର ବୋମ୍ ଧ୍ୱନି। ଏବଂ ଲାଗି ହେବନାହିଁ ବୋଲେବମ୍ ଭକ୍ତଙ୍କ ଜଳ। ଏଥିପାଇଁ ଏସ୍‌ଓପି ଜାରି କରିଛନ୍ତି ରାଜ୍ୟ ସରକାର। ଏଭଳି ନିର୍ଦ୍ଦେଶ ପାଇବା ପରେ ରାଜ୍ୟର ସମସ୍ତ ପ୍ରସିଦ୍ଧ ଶୈବପୀଠମାନଙ୍କରେ କାଉଡିଆ ଭକ୍ତଙ୍କ ଜଳଲାଗି ଉପରେ ଲାଗିଛି ରୋକ୍। ଆରଡି ପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ପ୍ରଚଳିତ ବିରଜା ପଂଜିକା ଅନୁଯାୟୀ ଆଜି ପ୍ରଥମ ସୋମବାର ଠାରୁ ଆରମ୍ଭ ହୋଇଛି ଶ୍ରାବଣୀ ଜଳାଭିଷେକ। ହେଲେ କୋଭିଡ୍ କଟକଣା ଯୋଗୁଁ ଆଗନ୍ତୁକ କାଉଡିଆ ଭକ୍ତଙ୍କୁ ପ୍ରଶାସନ ବାରଣ କରିଥିବାରୁ ପୂର୍ବବର୍ଷ ପରି ଚଳିତବର୍ଷ ମଧ୍ୟ ଶୁଭିବନି ସେମାନଙ୍କ ହରହର ବୋମ୍ ଧ୍ୱନି। କେବଳ ସୀମିତ ସେବାୟତଙ୍କ ଦ୍ୱାରା ସମସ୍ତ ନୀତିକାନ୍ତି ସଂପନ୍ନ କରିବାକୁ ପରାମର୍ଶ ଦେଇଛନ୍ତି ଭଦ୍ରକ ଉପଜିଲାପାଳ ତଥା ମନ୍ଦିର ଟ୍ରଷ୍ଟି ପୀତାମ୍ବର ସାମଲ। ଅନ୍ୟପଟେ ମନ୍ଦିର ପରିସରରେ ସମସ୍ତ ନୀତିକାନ୍ତି ଯେପରି ସୂଚାରୁ ରୂପେ ସମାପନ ହେବ, ସେଥିପାଇଁ ମନ୍ଦିର ପରିଚାଳକଙ୍କୁ ପରାମର୍ଶ ଦେଇଛନ୍ତି ଟ୍ରଷ୍ଟି। ଏଥିସହ ପୀଠରେ କଡା ସୁରକ୍ଷା ବ୍ୟବସ୍ଥା କରାଯିବା ସହିତ ନଦୀଘାଟ ଓ ପୁଷ୍କରିଣୀରେ ଯେପରି କୌଣସି ଭକ୍ତ ଜଳ ନଉଠାଇବେ, ସେଥିପ୍ରତି କଡା ନଜର ରଖିବାକୁ ଭଦ୍ରକ ଜିଲାପାଳ ଜ୍ଞାନ ଦାସ ନିର୍ଦ୍ଦେଶ ଦେଇଛନ୍ତି।