Odiapua.com

ବିମାନ ନିଖୋଜ ଘଟଣା : ଓଡ଼ିଆ ପାଇଲଟ ଙ୍କ ପାଇଁ ଗଞ୍ଜାମ ଜିଲ୍ଲାବାସୀ ଉଦବିଗ୍ନ

ବ୍ରହ୍ମପୁର: ୯/୦୬ (ଓଡ଼ିଆ ପୁଅ/ଜ୍ୟୋତି ରଞ୍ଜନ ଦାସ) ଭାରତୀୟ ବାୟୁ ସେନାର ଏକ ବିମାନ ନିଖୋଜ ଘଟଣା ସମଗ୍ର ଦେଶରେ ଆଲୋଡନ ଖେଳାଇ ଦେଇଛି। ସେହି ବିମାନରେ ଗଞ୍ଜାମ ଜିଲ୍ଲାର ଜଣେ ଓଡ଼ିଆ ପାଇଲଟ ମଧ୍ୟ ଅଛନ୍ତି। ବିମାନ ନିଖୋଜ ଖବର ପରେ ପାଇଲଟଙ୍କ ପରିବାର ବର୍ଗଙ୍କ ସମେତ ଗଞ୍ଜାମବାସୀ ନାନା ଆଶଙ୍କାରେ ରହିଛନ୍ତି ଓ ଗଭୀର ଉଦବେଗ ପ୍ରକାଶ କରିଛନ୍ତି।

ଓଡିଆ ପାଇଲଟ ସୁନିତ ମହାନ୍ତିଙ୍କ ଘର ଗଞ୍ଜାମ ଜିଲ୍ଲାର ଆମ୍ବପୁଆ ପଞ୍ଚାୟତର ବଳିଆପଲ୍ଲି ଗ୍ରାମ। ଗାଁରେ ରହୁଥିବା ସୁନିତଙ୍କ ସମ୍ପର୍କୀୟ ବଡବାପା ପଣ୍ଡିତ ବଲ୍ଲଭ ମହାନ୍ତିଙ୍କ କହିବାନୁଯାୟୀ, ସୁନିତଙ୍କ ପିତା ସୁରେନ୍ଦ୍ର ନାଥ ମହାନ୍ତି ମଧ୍ୟ ବାୟୁ ସେନାରେ ଚାକିରି କରୁଥିଲେ। ଏହାପରେ ସେଠାରୁ ସ୍ୱେଚ୍ଛାକୃତ ଅବସର ନେବା ପରେ ସେ କୌଣସି ଘରୋଇ ସଂସ୍ଥାରେ କାର୍ଯ୍ୟ କରୁଥିଲେ। ଦିଲ୍ଲୀରେ ସୁନିତଙ୍କ ବାପା, ମା ଓ ଭଉଣୀ ରହୁଥିଲେ। ସୁନିତ ଏୟାର ଫୋର୍ସରେ ନିଯୁକ୍ତି ପାଇବା ପରେ ଆସାମ ଚାଲିଯାଇଥିଲେ। ତେବେ ସୁନିତଙ୍କ କେତେକ ସମ୍ପର୍କୀୟମାନେ ଏବେ ମଧ୍ୟ ଗାଁରେ ରହୁଛନ୍ତି। ମିଳିଥିବା ସୂଚନା ଅନୁସାରେ ଓଡ଼ିଆ ଅଫିସର୍ ସୁନିତ ମହାନ୍ତି ଏନଆଇଟି ଜାମ୍ସେଦପୁରରୁ ଇଂଜିନିୟରିଂ କରିଛନ୍ତି। ଡିଆରଡିଓରେ ଗୋଟିଏ ମାସ ଟ୍ରେନି ଭାବେ କାର୍ଯ୍ୟ କରିଛନ୍ତି। ସେ ଦୀର୍ଘବର୍ଷ ଧରି ଦିଲ୍ଲୀରେ ରହିଛନ୍ତି। ଗତ ୩ ତାରିଖରେ ଅରୁଣାଚଳ ପ୍ରଦେଶର ମେଚୁକାରୁ ଉଡାଣ ଭରିଥିବା ଏହି ବିମାନ ଆସାମର ଜୋରହାଟ୍ ଯାଉଥିଲା। ଆଉ ଏହି ସମୟରେ ଯୋଗାଯୋଗ ହରାଇଥିଲା ଏଏନ୍-୩୨ ବିମାନ। ଘଟଣାକୁ ୬ ଦିନ ବିତିଯାଇଥିଲେ ସୁଦ୍ଧା- ଏଯାଏଁ କୌଣସି ଖବର ମିଳିନାହିଁ।