Odiapua.com

ବିଭିନ୍ନ ସମସ୍ୟା ମଧ୍ୟରେ ନରଣପୁର ଠାରୁ ବ୍ରାହ୍ମଣୀପାଳ ଭିଆଇପି ରାସ୍ତା, ପ୍ରଶାସନର ଦୃଷ୍ଟି ପଡୁନାହିଁ, ଦୁର୍ଘଟଣା ବଢୁଛି

ହରିଚନ୍ଦନପୁର, ତା ୨୩ ନଭେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ନରଣପୁର-ବ୍ରାହ୍ମଣୀପାଳ ରାସ୍ତାକୁ ସରକାରୀସ୍ତରରେ ଭିଆଇପି ରାସ୍ତାର ମାନ୍ୟତା ଦିଆଯାଇଛି, ଏଥିସହ ରାସ୍ତାରେ ଭାରିଯାନ ଚଳାଚଳକୁ ନିଷେଧ ଘୋଷଣା କରାଯାଇଛି । ଏହାକୁ ବେଖାତିର କରି ଚଳାଚଳ କରୁଥିବା ଭାରିଯାନ ବନ୍ଦ କରିବା ନିମନ୍ତେ ପ୍ରଶାସନ ପକ୍ଷରୁ ବ୍ରାହ୍ମଣୀପାଳ ଓ ନରଣପୁର ଠାରେ ପୋଲିସ କ୍ୟାମ୍ପ ସହ କର୍ମଚାରୀ ନିୟୋଜିତ କରାଯାଇଛି । ହେଲେ ବି ଏହି ରାସ୍ତାରେ ବେନିୟମ ଭାବେ ବେଧଡକ ଦୃତଗତିରେ ଭାରିଯାନ ଚଳାଚଳ ବୃଦ୍ଧି ପାଇବାକୁ ଲାଗିଛି, ଯାହାକୁ ନେଇ ନିରହଙ୍କ ଜୀବନ ଯାଉଛି । ରାସ୍ତାର ବିଭିନ୍ନ ସ୍ଥାନ ତଥା ପଣ୍ଡାପଡା ଓ ହରିଚନ୍ଦନପୁର ଥାନା ଅନ୍ତର୍ଗତ କୁଆଝରଣ ଘାଟି ରାସ୍ତାର ଦୁଇ ପାର୍ଶ୍ବରେ ଚାଳକଙ୍କୁ ସୁରକ୍ଷା ଓ ସୂଚିତ କରାଇବା ନିମନ୍ତେ ପୃର୍ତ୍ତ ବିଭାଗ ପକ୍ଷରୁ ବିଭିନ୍ନ ସଂକେତ ବା ସୂଚନା ଫଳକ ଲଗାଯାଇଛି । ହେଲେ ଲଗାଯାଇଥିବା ଫଳକ ଗୁଡ଼ିକ ଲିଭିଯାଇଥିବା ସହ ଅନେକ ଫଳକ ଗୁଡ଼ିକ ଭାଙ୍ଗି ପଡ଼ିଥିବା କାରଣରୁ ଲୋକମାନେ ଅନେକ ଦୁର୍ଘଟଣାର ଶିକାର ହେଉଛନ୍ତି । ସୂଚନା ଅନୁଯାୟୀ ଉକ୍ତ ଫଳକ ଗୁଡ଼ିକ ଆଜକୁ ଦୀର୍ଘଦିନ ହେବ ଲିଭିଯାଇଥିବା ସହ ଅନେକ ଭାଙ୍ଗିଯାଇ ତଳେ ପଡିରହିଛି । ଏଥିସହ ପୋଲିସର ଚେକ୍ ପୋଷ୍ଟ ନାମରେ ବିଭିନ୍ନ ସଂସ୍ଥାର ବିଜ୍ଞାପନ ଛପା ଯାଇଥିବା ବୋର୍ଡ଼ ଗୁଡିକୁ ରାସ୍ତାର ବିଭିନ୍ନ ଛକମାନଙ୍କରେ ବେନିୟମ ଭାବେ ଛିଡ଼ା କରିଯାଇଥିଲା । ଯୋଉଁ ବୋର୍ଡ଼ ଗୁଡିକ ବର୍ତ୍ତମାନ ଉକ୍ତ ରାସ୍ତା ଉପରେ ପଥରଗଦା ସହ ପଡ଼ିରହିବା ଯୋଗୁଁ ଅଧିକ ଦୁର୍ଘଟଣା ଘଟୁଥିବା ବୁଦ୍ଧିଜୀବି ମହଲରେ ମତ ପ୍ରକାଶ । ଏହି ରାସ୍ତାରେ ଟୋଲଗେଟ୍ ଦ୍ବାରା କୋଟି କୋଟି ଟଙ୍କା ରାଜସ୍ବ ଆଦାୟ ହେଉଥିବା ବେଳେ ରାସ୍ତା ଉପରେ ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ପଡ଼ୁନଥିବା କାରଣରୁ ମରାମତି ହେଉନାହିଁ, ଯାହାକୁ ନେଇ ଦିନକୁ ଦିନ ଦୁର୍ଘଟଣା ବୃଦ୍ଧି ପାଇବାକୁ ବସିଛି । ଏହାସହ ମନୋହରପୁର ବାଇପାସ୍ ରାସ୍ତାର ଅନେକ ସ୍ଥାନ ଦବି ପିଚୁ ଉଠି ଅତି ଶୋଚନୀୟ ହୋଇଯାଇଥିବା ବେଳେ ଅଧିକାଂଶ ସ୍ଥାନରେ ରାସ୍ତା ମଧ୍ୟରେ ଥିବା ଟ୍ରାକ୍ ଲାଇନ୍ ଚିହ୍ନ ଗୁଡିକ ଲିଭିଗଲାଣି । ମୁଖ୍ୟ କଥା କୁଆଝରଣ ଘାଟି ରାସ୍ତାରେ ସୂଚିତ ଫଳକ ଓ ସଂକେତ ଗୁଡିକ ଲିଭିଯାଇଥିବା ସହ ଆବଶ୍ୟକୀୟ ଅନୁସାରେ ରାସ୍ତାର ଦୁଇ ପାର୍ଶ୍ବରେ ଧାରଣା ବା ବାଡା ଲଗାଯାଇନଥିବା କାରଣରୁ ପ୍ରତ୍ୟେକ ଦିନ ଛୋଟ ବଡ଼ ଦୁର୍ଘଟଣା ଘଟୁଥିବା ନଜିର ରହିଛି । ଘାଟି ସହ ସମ୍ପୂର୍ଣ୍ଣ ରାସ୍ତାର ପାର୍ଶ୍ବରେ ଅନାବନା ଗଛଲତା ଓ ଘାସ ରାସ୍ତା ମଧ୍ୟକୁ ମାଡ଼ି ଆସି ଲୋକମାନଙ୍କ ଯାତାୟାତରେ ବାଧା ସୃଷ୍ଟି କରୁଛି ‌। ଏହି ରାସ୍ତାରେ ବିଭିନ୍ନ ବିଭାଗର ଅଧିକାରୀ ଯାତାୟାତ କରୁଥିବା ବେଳେ ଦୃଷ୍ଟି ଥାଇ ମଧ୍ୟ ଏଥିପ୍ରତି ଦୃଷ୍ଟି ଦିଆଯାଉନଥିବା କାରଣରୁ ଜନସାଧାରଣରେ ଅସନ୍ତୋଷର ଦାନା ବାନ୍ଧୁଛି । ରାସ୍ତାର ବିଭିନ୍ନ ସ୍ଥାନରେ ଆଇନ୍ ବା ବେଆଇନ୍ ଭାବେ ହମ୍ପ୍ ଗଢିଥିଲେ ମଧ୍ୟ ତାହାର ହିସାବ ବିଭାଗରେ ନଥିବା ବେଳେ ହମ୍ପ୍ ପାଇଁ ସୂଚିତ ଫଳକ, ବା ଟ୍ରାକ ଲାଇନ୍ ମାଧ୍ୟମରେ ସୂଚିତ କରାଯାଇନାହିଁ । ରାସ୍ତାର ଏଭଳି ଅବସ୍ଥାକୁ ନେଇ ପ୍ରତ୍ୟେକ ଦିନ ନରଣପୁର ଠାରୁ ବ୍ରାହ୍ମଣୀପାଳ ୭୬ କିଲୋମିଟର ମଧ୍ୟରେ ଅନେକ ଛୋଟ ବଡ଼ ଘଟଣା ଦୁର୍ଘଟଣା ଘଟି ଅନେକ ନିରିହ ଲୋକଙ୍କ ଜୀବନ ଯାଉଛି । ତେଣୁ ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଯଥାଶୀଘ୍ର ରାସ୍ତାର ଆବଶ୍ୟକୀୟ ହମ୍ପ୍, ସୂଚିତ ଫଳକ ଓ ସିମ୍ବଲ ଗୁଡ଼ିକର ମରାମତି ସହ ରାସ୍ତାର ଖରାପ ଥିବା ସ୍ଥାନଗୁଡିକର ମରାମତି କରାଇବାକୁ ଜନସାଧାରଣରେ ଦାବି ହୋଇଛି ।