Odiapua.com

ବିଭିନ୍ନ ପେଟ୍ରୋଲ ପମ୍ପରେ ତେଲର ଅଭାବୀ ବିକ୍ରିକୁ ନେଇ ପ୍ରଶାସନ ଓ ପୋଲିସର ମିଳିତ ଯାଂଚ

ଭଦ୍ରକ, ୧୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରେ ପେଟ୍ରୋଲର ଅଭାବ ଦେଖା ଦେଇଥିବା ବେଳେ ଅନେକ ପେଟ୍ରୋଲ ପମ୍ପ ବନ୍ଦ ରହିଛି। କେତେକ ପେଟ୍ରୋଲ ପମ୍ପରେ ୧୦୦/୨୦୦ ଟଙ୍କାରେ ପେଟ୍ରୋଲ ଦିଆଯାଉଛି। ପେଟ୍ରୋଲର ଅଭାବ ବିକ୍ରି ପାଇଁ ଜିଲ୍ଲାପାଳଙ୍କ ନିର୍ଦେଶରେ ଆଜି ଭଦ୍ରକ ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ, ଜିଲା ଯୋଗାଣ ଅଧିକାରୀ ମନମୋହନ ପଟ୍ଟନାୟକ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅରୂପ ଅଭିଷେକ ବେହେରାଙ୍କ ତରଫରୁ ମା’ ଦକ୍ଷିଣେଶ୍ୱର କାଳୀ ମନ୍ଦିର ସମ୍ମୁଖ ଟାଙ୍କି, ବୀଣା ଫିଲିଂ ଷ୍ଟେସନ, ଡାହାଣୀଗଡିଆ ଦୀକ୍ଷିତ ଫିଲିଂ ଷ୍ଟେସନ, ବରାଙ୍ଗ ନିକଟସ୍ଥ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଟାଙ୍କିର ଷ୍ଟକର ମିଳିତ ଯାଂଚ କରାଯାଇଛି। ଉପଜିଲ୍ଲାପାଳ ଶ୍ରୀ ଚକ୍ରବର୍ତୀ ଲୋକମାନଙ୍କୁ ବ୍ୟସ୍ଥ ହୁଅନ୍ତୁ ନାହିଁ , ତେଲ ଯୋଗାଣରେ ସାମାନ୍ୟ ସମସ୍ୟା ଅଛି । କିନ୍ତୁ ଲୋକେ ଗୁଜବକୁ ବିଶ୍ୱାସ ନକରି ଅଧିକ ତେଲ ନକିଣି ଯେତିକି ଆବଶ୍ୟକ ସେତିକି କିଣନ୍ତୁ, ଇଭି ଗାଡି ଥିଲେ ବ୍ୟବହାର କରନ୍ତୁ। ଖୁବ୍ ଶୀଘ୍ର ସମସ୍ୟା ସମାଧାନ ହୋଇଯିବ ବୋଲି କହିଛନ୍ତି। ପେଟ୍ରୋଲ ପମ୍ପର କର୍ମଚାରୀଙ୍କ କହିବା କଥା ଯେ ଆବଶ୍ୟକତା ଠାରୁ କମ ପେଟ୍ରୋଲ ମିଳୁଛି । ଭିଡକୁ ଦେଖି ୨ ଶହ ରୁ ୫ ଶହ ଟଙ୍କାର ପେଟ୍ରୋଲ ଦିଆଯାଉଛି । ତେବେ ତେଲ ପାଇଁ ବିଭିନ୍ନ ଟାଙ୍କିରେ ଲମ୍ବା ଲାଇନ ଦେଖିବାକୁ ମିଳୁଛି। ଏଠାରେ ସୂଚନାଯୋଗ୍ୟ ଜିଲାରେ ୬୪ ଟି ପେଟ୍ରୋଲ ପମ୍ପ ଏବେ କାର୍ଯ୍ୟ କରୁଛି।