Odiapua.com

ବିଭିନ୍ନ ଦାବି ନେଇ କ୍ରୀଡ଼ା-କଳା ଶିକ୍ଷକ ସଂଘର ବିକ୍ଷୋଭ

ବାଲେଶ୍ୱର, ୨୩ା୯(ଓଡ଼ିଆ ପୁଅ/ଅଭୟ ଦାସ): ବିଭିନ୍ନ ଦାବି ନେଇ ବାଲେଶ୍ୱର ଜିଲ୍ଲା କଳା ଓ କ୍ରୀଡ଼ା ଶିକ୍ଷକ ସଂଘର କର୍ମକର୍ତ୍ତା ତଥା ସଦସ୍ୟମାନେ ଆଜି ସର୍ବର୍ଶିକ୍ଷା ଅଭିଯାନ ଜିଲ୍ଲା ସଂଯୋଜକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସ୍ୱଳ୍ପ ଦରମାରେ ବର୍ଷିକିଆ ଚୁକ୍ତି ଅନୁସାରେ କାର୍ଯ୍ୟ କରୁଥିବା ଏହି ଶିକ୍ଷକମାନଙ୍କ ପ୍ରତି ସରକାର ବେଶ୍ ଉଦାସୀନତା ଦେଖାଇ ଚାଲିଛନ୍ତି ବୋଲି ସେମାନେ ଆରୋପ ଉଠାଇଛନ୍ତି। ଅନ୍ୟାନ୍ୟ ନିୟମିତ ଶିକ୍ଷକଙ୍କ ଭଳି ସମାନ କାର୍ଯ୍ୟ କରୁଥିଲେ ବି ଏହି କଳା ଓ କ୍ରୀଡ଼ା ଶିକ୍ଷକଙ୍କୁ ଉଚିତ ମୂଲ୍ୟାଙ୍କନ କରାଯାଉ ନାହିଁ ବୋଲି ସଂଘ ଅଭିଯୋଗ କରିଛି। ବିଶେଷ କରି କୋଭିଡ୍ ସ୍ଥିତି ପରିଚାଳନା, ପ୍ରବାସୀ ଓଡ଼ିଆଙ୍କ ଆଗମନ ବେଳେ ଜୀବନକୁ ବାଜି ଲଗାଇ ସେମାନେ କରୋନା ଯୁଦ୍ଧାଙ୍କ ଭଳି କାର୍ଯ୍ୟ କରିଥିଲେ ବି ସେମାନଙ୍କୁ ଉଚିତ ପାରିଶ୍ରମିକ ବି ମିଳିନାହିଁ। ଅତିକମ୍‌ରେ ସରକାରଙ୍କ ସାଧାରଣ ତଥା ସର୍ବନିମ୍ନ ମଜୁରି ହାରରେ ସେମାନଙ୍କୁ ମାସିକ ଦରମା ପ୍ରଦାନ ପାଇଁ ସଂଘର କର୍ମକର୍ତ୍ତାମାନେ ଦାବି କରିଛନ୍ତି। ନତୁବା ଆଗାମୀ ଦିନରେ ସଂଘ ଆମରଣ ଅନଶନକୁ ଓହ୍ଲାଇବ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ଏହି ଅବସରରେ ସଂଘ ପକ୍ଷରୁ ଏକ ଦାବିପତ୍ର ଡିପିସିଙ୍କୁ ପ୍ରଦାନ କରାଯାଇଥିଲା। ଦାବିପତ୍ର ପ୍ରଦାନ ବେଳେ ସୁବ୍ରତ କୁମାର ଗିରି, ସବିତା ପାଲ, ଗୀତାରାଣୀ ଦାସ ପ୍ରମୁଖଙ୍କ ସମେତ ବହୁ କଳା ଓ କ୍ରୀଡ଼ା ଶିକ୍ଷକ ଉପସ୍ଥିତ ଥିଲେ।