Odiapua.com

ବିଭିନ୍ନ ଦାବି ନେଇ ଆଶାକର୍ମୀ ସଂଘ ପକ୍ଷରୁ ବିକ୍ଷୋଭ

ବାଲେଶ୍ୱର, ୮ା୧(ଓଡ଼ିଆ ପୁଅ/ଅଭୟ ଦାସ): ବିଭିନ୍ନ ଦାବି ନେଇ ଓଡ଼ିଶା ରାଜ୍ୟ ଆଶାକର୍ମ ସଂଘ ବାଲେଶ୍ୱର ଶାଖା ପକ୍ଷରୁ ସୋମବାର ଦିନ ବିକ୍ଷୋଭ ପ୍ରଦର୍ଶିତ ହୋଇଯାଇଛି। ଏନେଇ ବାଲେଶ୍ୱର ରେଳ ଷ୍ଟେସନ ନିକଟରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା ସହ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା। ସେଠାରେ ଆୟୋଜିତ ପ୍ରତିବାଦ କାର୍ଯ୍ୟକ୍ରମରେ ଭାରତୀୟ ମଜଦୁର ସଂଘର ରାଜ୍ୟ ସଭାପତି ପୃଥ୍ୱୀରାଜ ପଣ୍ଡା ଅଧ୍ୟକ୍ଷତା କରିବା ସହିତ ଆଶାକର୍ମୀଙ୍କ ପ୍ରତି ସରକାରଙ୍କ ଉଦାସୀନତା ତୀବ୍ର ସମାଲୋଚନା କରିଥିଲେ। ଆଶାକର୍ମୀଙ୍କ ନିଷ୍ଠାପର କାର୍ଯ୍ୟଧାରା ଯୋଗୁଁ ରାଜ୍ୟରେ ଶିଶୁ ଓ ମାତୃ ମୃତ୍ୟୁହାର ହ୍ରାସ ପାଇଥିଲେ ବି ସେମାନଙ୍କ ସାମାଜିକ ସୁରକ୍ଷା ପ୍ରତି ସରକାର ଗୁରୁତ୍ୱ ନଦେବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ଶ୍ରୀ ପଣ୍ଡା କହିଥିଲେ। ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ କାର୍ଯ୍ୟରତ ସମସ୍ତ ଆଶା କର୍ମୀଙ୍କ ନିଯୁକ୍ତିକୁ ସ୍ଥାୟୀ କରିବା, ସରକାରୀ କର୍ମଚାରୀ ଭାବେ ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ପ୍ରଦାନ କରିବା, ମାସିକ ସର୍ବନିମ୍ନ ୨୧ ହଜାର ଟଙ୍କା ଦରମା ପ୍ରଦାନ କରିବା, କୋଭିଡ କାଳରେ କାର୍ଯ୍ୟରତ କରି ମୃତ୍ୟୁ ବରଣ କରିଥିବା ଆଶା କର୍ମୀଙ୍କୁ ସରକାରୀ ଘୋଷଣା ଅନୁସାରେ ୫୦ ଲକ୍ଷ ଟଙ୍କାର ବୀମାରାଶି ପ୍ରଦାନ ପାଇଁ ଶ୍ରୀ ପଣ୍ଡା ଦାବି କରିଥିଲେ। ଆଶକର୍ମୀ ସଂଘ ବାଲେଶ୍ୱର ଜିଲା ସଭାପତି ଶକୁନ୍ତଳା ଗୋଚ୍ଛାୟତ, ଜିଲା ସମ୍ପାଦକ ପଦ୍ମଭୂଷଣ ରାୟ, ରାଜ୍ୟ ଉପ-ସଭାପତି କୁମମଣି ଦେଇ, ଜିଲା ସମ୍ପାଦିକା କଳ୍ପଲତା ଦାସ, ଉର୍ମିଳା ସାହୁ, ଅନ୍ନପୂର୍ଣ୍ଣା ରାଉତ, ମଞ୍ଜୁ ବାହାଦୁର ପ୍ରମୁଖ ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ସଂଗଠନ ପକ୍ଷରୁ ମୁୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ଦାବି ସମ୍ବଳିତ ଏକ ସ୍ମାରକପତ୍ର ବାଲେଶ୍ୱର ଜିଲାପାଳଙ୍କୁ ପ୍ରଦାନ କରାଯାଇଥିଲା।