Odiapua.com

ବିଭିନ୍ନ ଦାବି ନେଇ ଆଇଏନଟିୟୁସି ପକ୍ଷରୁ ବିକ୍ଷୋଭ

ବାଲେଶ୍ୱର, ୧୮ା୧ (ଓଡ଼ିଆ ପୁଅ/ଅଭୟ ଦାସ): ବିଭିନ୍ନ ଦାବିନେଇ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ(ଆଇଏନଟିୟୁସି) ଯୁବଶାଖା, ବାଲେଶ୍ୱର କମିଟି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ବିକ୍ଷୋଭ ପ୍ରଦର୍ଶିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବିଭିନ୍ନ ବର୍ଗର ଶ୍ରମିକ, ଦିନମଜୁରିଆ, ରିକ୍ସାଚାଳକ, ସ୍କମ ୱାର୍କରଙ୍କୁ ନେଇ ଏକ ଶୋଭାଯାତ୍ରା ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା। ସେଠାରେ ଆୟୋଜିତ ପ୍ରତିବାଦ କାର୍ଯ୍ୟକ୍ରମରେ ସଂଗଠନର ଜିଲ୍ଲା ସଭାପତି ଯୁବନେତା ବିକାଶ ଦାସ ସଭାପତିତ୍ୱ କରିବା ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତା ଯୋଗୁଁ ସାମ୍ପ୍ରତିକ ସ୍ଥିତିରେ ସାଧାରଣ ଜନତାଙ୍କ ଜୀବନଧାରଣର ମାନ ହ୍ରାସ ପାଇଛି ବୋଲି ଆରୋପ ଉଠାଇଥିଲେ। ଜୀବନ କୃଷ୍ଣ ବାରିକ, ସୁରେଶ ଚନ୍ଦ୍ର ବେହେରା, ତପନ କୁମାର ଜେନା, ପ୍ରଫୁଲ୍ଲ ରାଉଳ, ବିଧାନ ଚନ୍ଦ୍ର ରାୟ, ଦିଲ୍ଲୀପ କୁମାର ଦେ, ବାସନ୍ତ ସାମଲ, ପ୍ରଦୀପ କୁମାର ଦାସ ପ୍ରମୁଖ ସଂଗଠନର କାର୍ଯ୍ୟକର୍ତ୍ତା ଓ ଉପଦେଷ୍ଟାମାନେ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନ ବିରୋଧୀ ନୀତିକୁ କଡ଼ା ସମାଲୋଚନା କରିଥିଲେ। କୃଷି ଓ ଶ୍ରମ ଆଇନ୍ ସଂଶୋଧନ ଆଳରେ କେନ୍ଦ୍ର ସରକାର ଶ୍ରମିକ ଓ କୃଷକଙ୍କୁ ଶୋଷଣ କରି ଚାଲିଥିବା ବେଳେ ଅନୁରୂପ ଭାବେ ଦୁର୍ନୀତିଗ୍ରସ୍ତ ରାଜ୍ୟ ସରକାରଙ୍କ ପାଇଁ ଓଡ଼ିଶାରେ ଜନଜୀବନ ପ୍ରଭାବିତ ହେବାରେ ଲାଗିଛି ବୋଲି କହିଥିଲେ। ତୁରନ୍ତ ରାଜ୍ୟର ବେକାର ଯୁବକଙ୍କୁ ମାସିକ ୬ହଜାର ଟଙ୍କାର ସରକାରୀ ଭତ୍ତା ପ୍ରଦାନ କରିବା, କରୋନା, ଜିଏସଟି ଓ ବିମୁଦ୍ରୀକରଣରେ ପ୍ରଭାବିତ ଶ୍ରମିକଙ୍କୁ ନିଯୁକ୍ତି ଓ ତାଲାବନ୍ଦ ବେଳର ଦରମା ପ୍ରଦାନ କରିବା, ଶ୍ରମିକ ଓ କୃଷକ ବିରୋଧୀ କୃଷି ଏବଂ ଶ୍ରମ ଆଇନ ପ୍ରତ୍ୟାହାର, ରାଷ୍ଟ୍ରାୟାତ୍ତ ଉଦ୍ୟୋଗର ଘରୋଇକରଣ ବନ୍ଦ କରିବା, ରାଜ୍ୟର ସବୁ ବର୍ଗର ଲୋକଙ୍କୁ ମାଗଣାରେ କରୋନା ଟିକା ପ୍ରଦାନ ପାଇଁ ସେମାନେ ଦାବି କରିଥିଲେ। ନତୁବା ଆଗାମୀ ଦିନରେ ସଂଗଠନ ପକ୍ଷରୁ ଆନ୍ଦୋଳନ ଆହୁରୀ ତୀବ୍ର ହେବ ବୋଲି ସେମାନେ ଚେତାବନୀ ଦେଇଥିଲେ। ଏହି ଅବସରରେ ସଂଗଠନ ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବି ସମ୍ବଳିତ ଏକ ସ୍ମାରକପତ୍ର ବାଲେଶ୍ୱର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା।