Odiapua.com

ବିଭିନ୍ନ ଦାବିକୁ ନେଇ ଓ ପୁଲିସର ଅତ୍ୟାଚାର ପ୍ରତିବାଦରେ କଂଗ୍ରେସ ଦଳ ପକ୍ଷରୁ ବ୍ଲକ ଓ ଥାନା ଘେରାଓ, ଭଙ୍ଗାରୁଜା

ମାଲକାନଗିରି, ୨୦/୬ (ଓଡ଼ିଆ ପୁଅ) ଚିତ୍ରକୋଣ୍ଡା ଅଞ୍ଚଳବାସୀଙ୍କ ବିଭିନ୍ନ ଦାବି ନେଇ ଓ ପୁଲିସର ଅତ୍ୟାଚାର ପ୍ରତିବାଦରେ ଆଜି ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳର ଶହ ଶହ ଆଦିବାସି ଲୋକେ ଓ କଂଗ୍ରେସ କର୍ମୀ ମାନେ ବ୍ଲକ କାର୍ଯ୍ୟାଳୟ ଘେରାଓ କରିଥିଲେ। ନିକଟରେ ଥିବା ଚିତ୍ରକୋଣ୍ଡା ଥାନାକୁ ମଧ୍ୟ ଘେରାଓ କରି ସେଠାରେ ପୁଲିସ ବିରୋଧରେ ନାରା ଦେଇ ପୋଲିସ ଉପରେ ପୂର୍ବରୁ ରାଗ ରଖିଥିବା ଆଦିବାସୀ ଲୋକେ ଥାନା ଘେରାଓ କରିବା ସହ ଥାନାର ମୁଖ୍ୟ ଗେଟ ଭାଙ୍ଗି ଭିତରେ ପ୍ରବେଶ କରିବା ପେର ପୋଲିସ ଗାଡି ଭଙ୍ଗାରୁଜା କରିଛନ୍ତି।

ଘଟଣା ସ୍ଥଳରେ କିଛି ସମୟ ଧରି ଉତ୍ତେଜନା ଲାଗି ରହିଥିଲା ବେଳେ ଆଦିବାସି ମେଳିରେ ଯୋଗ ଦେଇଥିବା କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନି ପତି ଉତ୍ତେଜିତ ଲୋକଙ୍କୁ ବୁଝା ସୁଝା କରି ଘରକୁ ପଠାଇଥିଲେ।

ଗୁରୁପ୍ରିୟା ସେତୁ ନିର୍ମାଣ ପରେ ଚିତ୍ରକୋଣ୍ଡା ଅଞ୍ଚଳର ଆଦିବାସି ଲୋକଙ୍କୁ ସବୁ ସୁବିଧା ମିଳିଥିବା ସରକାର କହୁଛନ୍ତି ହେଲେ ବର୍ତ୍ତମାନ ସୁଦ୍ଧା ୮ ଟି ପଞ୍ଚାୟତ ଉପରେ ଜିଲ୍ଲା ପ୍ରଶାସନର ଦୃଷ୍ଟି ପଡିନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଆଦିବାସୀ ଲୋକେ। ନୁଆଗୁଡା, ଦୋରାଗୁଡା, ଗୁଣ୍ଠାବେଡା, ପାପୁଲୁର ଓ କୁର୍ମାନୁର ପରି ଦୁର୍ଗମ ଅଞ୍ଚଳର ଆଦିବାସି ଲୋକେ ବର୍ତ୍ତମାନ ସୁଦ୍ଧା ଅବହେଳିତ ରହିଥିବା ଜଣା ପଡିଛି। ଏହି ସବୁ ପଞ୍ଚାୟତରେ ଗମନାଗମନ ଲାଗି ଭଲ ରାସ୍ତା ନଥିବା ବେଳେ ଦୀର୍ଘ ବର୍ଷ ଧରି ପାନୀୟ ଜଳ ସଂଙ୍କଟ ଲାଗି ରହିଛି। ଏଠାକାର ଗରିବ ଆଦିବାସୀ ଲୋକଙ୍କୁ ଆବାସ ଯୋଜନାରେ ଘର ମିଳୁନଥିବା ବେଳେ ବୁଢାବୁଢି ମାନଙ୍କୁ ଭତ୍ତା ମଧ୍ୟ ମିଳୁ ନାହିଁ। ଏପରି ଅନେକ ଦାବି ନେଇ ଆଜି ଚିତ୍ରକୋଣ୍ଡା ଅଞ୍ଚଳର ଶହ ଶହ ଆଦିବାସୀ ଲୋକେ ବ୍ଲକ କାର୍ଯ୍ୟାଳୟ ଘେରାଓ କରିଥିଲେ। ଆଦିବାସୀଙ୍କ ଏହି ମୌଳିକ ସମସ୍ୟାକୁ ସମର୍ଥନ କରି ମେଳିରେ ଯୋଗ ଦେଇଥିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଓ ଅନ୍ୟାନ୍ୟ କଂଗ୍ରେସ ନେତା ଓ କର୍ମୀମାନେ ସେହି ସମୟରେ ଆଦିବାସୀ ଲୋକେ ଥାନାର ମୁଖ୍ୟ ଫାଟକ ଭାଙ୍ଗି ଥାନା ଭିତରେ ପ୍ରବେଶ କରିବା ସହ ପୋଲିସ ଗାଡି ଭଙ୍ଗା ରୁଜା କରିଛନ୍ତି।

ଗତ କିଛି ଦିନ ତଳେ ପୋଲିସ ଆର.ଏସ.ସି ୧୩ ଗାଁକୁ ଯାଇଥିଲେ ଗଞ୍ଜେଇ ଧରିବା ଲାଗି। ଗାଁର କିଛି ଯୁବକଙ୍କୁ ପୋଲିସ ଉଠାଇ ଆଣିଥିଲା। ଏହା ସହ ଘରେ ଥିବା ମୋଟର ସାଇକେଲ ଓ ଆସବାହ ପତ୍ରକୁ ପୋଲିସ ନଷ୍ଟ କରିଦେଇଥିବା ବେଳେ ଆଦିବାସି ମହିଳାଙ୍କୁ ନିସ୍ତୁକ ଭାବେ ପିଟିଥିଲା। ଘଟଣାରେ ପ୍ରାୟ ୨୦ ଜଣ ଆଦିବାସୀ ମହିଳା ଆହତ ହୋଇଥିଲେ। ଘଟଣାକୁ ନେଇ ଆଦିବାସୀ ଲୋକେ ମାଲକାନଗିରି ଏସ.ପି.ଙ୍କୁ ଅବଗତ କରିଥିଲେ ହେ ଏସ.ପି ବର୍ତ୍ତମାନ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବାରୁ ଯାହାକୁ ନେଇ ଆଜି ଶତାଧିକ ଆଦିବାସୀ ଲୋକେ ଉତ୍ତକ୍ତ ହୋଇ ଥାନା ଘେରାଓ କରିଥିଲେ।

ନିଜର ହକ୍ ପାଇଁ ଚିତ୍ରକୋଣ୍ଡାରେ ଆଦିବାସୀଙ୍କ ଶୋଭାଯାତ୍ରା ଓ ଘେରାଓ ହୋଇଛି ହେଲେ ସରକାର ସେମାନଙ୍କ ଅସୁବିଧାକୁ ଯଦି ଗୁରୁତ୍ୱ ନଦିଅନ୍ତି ତାହା ହେଲେ ଏହି ଆନ୍ଦୋଳନ ଆଗାମୀ ଦିନରେ ଉଗ୍ର ରୁପ ଧାରଣ କରିବ ଏଥିରେ ସନ୍ଦେହ ନାହିଁ। ଚିତ୍ରକୋଣ୍ଡା ଥାନା ପୁଲିସ ପକ୍ଷରୁ ଆନ୍ଦୋଳନକାରୀ କେତେଜଣଙ୍କୁ ଅଟକ ରଖି ତଦନ୍ତ କରୁଥିବାର ଜଣା ପଡ଼ିଛି।