Odiapua.com

ବିଭିନ୍ନ ଚୋରିରେ ସଂପୃକ୍ତ ୪ ଡକାୟତ ଗିରଫ

ଭଦ୍ରକ, ୨୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଭିନ୍ନ ସମୟରେ ଡକାୟତି କରି ଫେରାର ହୋଇ ଯାଇଥିବା ୪ ଜଣ ଡକାୟତଙ୍କୁ ଭଦ୍ରକ ଗ୍ରାମାଞ୍ଚଳ ପୁଲିସ୍ ଶେଷରେ ଗିରଫ କରିଛି। ଗିରଫ ପରେ ସେମାନଙ୍କ ଠାରୁ ମାରଣାସ୍ତ୍ର ସମେତ ନଗଦ ୪ ହଜାର ଟଙ୍କା, ୫ଟି ମୋଟର ସାଇକେଲ୍ ଏବଂ ୬ଟି ମୋବାଇଲ୍ ଜବତ କରିଛି। ଅଧିକ ତଦନ୍ତ ପାଇଁ ସେମାନଙ୍କ ନାମ ପୁଲିସ୍ ପ୍ରକାଶ କରିନାହିଁ। ତେବେ ଏହି ଗିରଫ ୪ ଜଣ ଡକାୟତ ଗତ ୧୯ ତାରିଖ ରାତିରେ ଚରମ୍ପା ଅଂଚଳର ଝାଡଖଣ୍ଡ ରାଜ୍ୟର ଜଣେ ଟ୍ରକ୍ ଡ୍ରାଇଭର ଏବଂ ହେଲପରଙ୍କୁ ଭୟଭୀତ କରିବା ସହିତ ଆକ୍ରମଣ କରି ଅଭିନବ ଉପାୟରେ ଫୋନ୍ ପେ ରେ ୪ ହଜାର ଟଙ୍କା ନେଇ ଫେରାର ହୋଇଯାଇଥିଲେ। ପରେ ସେହିଦିନ ରାତିରେ ଆରଡି ଛକ ଅଂଚଳର ଜଣେ ମହିଳାଙ୍କ ଗେଟ୍ ଚାବି ଭାଙ୍ଗି ତାଙ୍କ ଗାଡି ଭାଙ୍ଗି ଡକାୟତ କରିବା ପାଇଁ ଉଦ୍ୟମ କରିଥିଲେ। କିନ୍ତୁ ସ୍ଥାନୀୟ ଲୋକମାନେ ଉଠି ପାଟି କରିବାରୁ ସେମାନେ ପଳାଇ ଯାଇଥିଲେ। ପରେ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଦୁଇଟି ଅଭିଯୋଗ ହେବା ପରେ ପୁଲିସ୍ ସେମାନଙ୍କୁ ଧରିବା ପାଇଁ ଏକ ଟିମ୍ ଗଠନ କରିବା ସହିତ ମୋବାଇଲ୍ ଲୋକେସନ୍ ଓ ବ୍ୟା ଡିଟେଲସ୍‌କୁ ଆଧାର କରି ତଦନ୍ତ କରିଥିଲେ। ପରେ ଏହି ୪ ଜଣ ଡକାୟତ ଚରମ୍ପା ରେଳ ଓଭର ବ୍ରିଜ୍ ପାଖରେ ନିଶାସକ୍ତ ଅବସ୍ଥାରେ ଥିବା ଖବର ପାଇ ଚଢାଉ କରି ସେମାନଙ୍କୁ କାବୁ କରିଥିଲେ। ସେମାନଙ୍କ ଠାରୁ ଏହି ସବୁ ମାରଣାସ୍ତ୍ର, ଟଙ୍କା, ମୋବାଇଲ୍ ଏବଂ ମୋଟର ସାଇକେଲ୍ ଜବତ କରିବା ସହିତ ସେମାନଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ପୁଲିସ୍। ତେବେ ଏହି ଡକାୟତ ମାନଙ୍କ ନାମରେ ଜିଲାର ବିଭିନ୍ନ ଥାନାରେ ମାମଲା ଥିବା ପୁଲିସ୍ କହିଛି।