Odiapua.com

ବିଭାଗୀୟ ଅବହେଳା ଯୋଗୁଁ କରୋନା ସହାୟତାରୁ ବଞ୍ଚିତ ଶ୍ରମିକ ଜିଲ୍ଲାପାଳଙ୍କଠାରେ ମହିଳା ନିର୍ମାଣ ଶ୍ରମିକଙ୍କ ଫେରାଦ

ବାଲେଶ୍ୱର, ୫ା୧୦(ଓଡ଼ିଆ ପୁଅ/ଅଭୟ ଦାସ): ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାରେ କରୋନା ପ୍ରଭାବିତ ଅସଂଗଠିତ ନିର୍ମାଣ ଶ୍ରମିକଙ୍କୁ ସରକାରୀ ପ୍ରଦତ୍ତ ଆର୍ଥିକ ସହାୟତା ପ୍ରଦାନ ଶେଷ ହୋଇଥିବା ବେଳେ ଜିଲ୍ଲା ଶ୍ରମ ବିଭାଗର ତ୍ରୁଟିପୂର୍ଣ୍ଣ କାର‌୍ୟ୍ୟଧାରା ଯୋଗୁଁ ବାଲେଶ୍ୱରରେ ଅଦ୍ୟାବଧି ବହୁ ପଞ୍ଜୀକୃତ ଶ୍ରମିକ ସମ୍ପୃକ୍ତ ଅର୍ଥ ନ ପାଇବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ବିଭିନ୍ନ ମହଲରୁ ମତ ପ୍ରକାଶ ପାଇଛି। ଶ୍ରମ ବିଭାଗର ଅବହେଳା ଯୋଗୁଁ ଲକ୍ଷ ଲକ୍ଷ ଟଙ୍କା ଏବେ ବଣ୍ଟନ ହୋଇ ନପାରି ପଡ଼ି ରହିଥିବା ବେଳେ ସହାୟତା ପାଇଁ ପ୍ରତିଦିନ ଶହ ଶହ ଶ୍ରମିକ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରୁ ଫେରୁଥିବା ଲକ୍ଷ୍ୟ କରାଯାଇଛି। ଏହି ପରିପ୍ରେକ୍ଷୀରେ ସଦର ବ୍ଲକ କସିପଦା ଅଞ୍ଚଳର ବହୁ ମହିଳା ନିର୍ମାଣ ଶ୍ରମିକ ଆଜି ଜିଲ୍ଲାପାଳଙ୍କୁ ଭେଟି ଶ୍ରମ ବିଭାଗର ଖାମଖିଆଲି କାର୍ଯ୍ୟଧାରା ଯୋଗୁଁ ଅଦ୍ୟାବଧି ସେମାନଙ୍କୁ କରୋନାକାଳୀନ ଆର୍ଥିକ ସହାୟତା ମିଳିନଥିବା ଅବଗତ କରିଛନ୍ତି। କରୋନା ସଂକ୍ରମଣ ଏବଂ ଲକ୍ ଡାଉନ୍ ବେଳେ ଶ୍ରମ ବିଭାଗର କର୍ମଚାରୀମାନେ ବିଭିନ୍ନ ପଞ୍ଚାୟତକୁ ଯାଇ ପଞ୍ଜୀକୃତ ଶ୍ରମିକଙ୍କୁ ଦେଢ଼ ହଜାର ଲେଖାଏଁ ଟଙ୍କାର ସରକାରୀ ସହାୟତା ଦେଇଥିଲେ। ମାତ୍ର କସିପଦା ପଞ୍ଚାୟତକୁ ଅର୍ଥ ବଣ୍ଟନ ପାଇଁ ଯାଇଥିବା କର୍ମଚାରୀ ନେଇଥିବା ତାଲିକାରେ ସମ୍ପୃକ୍ତ ଅଞ୍ଚଳର ପଞ୍ଜୀକୃତ ଶ୍ରମିକଙ୍କ ନାମ ନଥିବା ଦେଖିବାକୁ ମିଳିଥିଲା। କର୍ମଚାରୀମାନେ ପଞ୍ଜୀକୃତ ଶ୍ରମିକଙ୍କ ଶ୍ରମକାର୍ଡ଼ ଯାଞ୍ଚ କରିଥିବା ବେଳେ ସେମାନଙ୍କ ନାମ ଅନ୍ୟ ପଞ୍ଚାୟତ ତାଲିକାରେ ଉଠିଯାଇଥିବା ଜଣାପଡ଼ିଥିଲା। ସେହିଦିନଠାରୁ ଏହି ଶ୍ରମିକମାନେ ବାରମ୍ବାର ଶ୍ରମ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲା ପରେ ବି ସେମାନଙ୍କୁ ସରକାରୀ ସହାୟତା ମିଳପାରି ନଥିବା ଶ୍ରମିକମାନେ କହିଛନ୍ତି। ଶେଷରେ ବାଧ୍ୟ ହୋଇ ଜିଲ୍ଲାପାଳଙ୍କଠାରେ ସେମାନେ ଆଜି ଆପତ୍ତି କରିଛନ୍ତି। ଏନେଇ ତୁରନ୍ତ ଉଚିତ ପଦକ୍ଷେପ ନେବାକୁ ଶ୍ରମିକମାନେ ଜିଲ୍ଲାପାଳଙ୍କୁ ଗୁହାରୀ କରିଛନ୍ତି। ଏନେଇ ସେମାନେ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି। ଦାବିପତ୍ର ପ୍ରଦାନ ବେଳେ ଚନ୍ଦ୍ରିକା ବେହେରା, ରଙ୍ଗଲତା ବେହେରା, ଆରତୀ ମୁଣ୍ଡା, ବାସନ୍ତି କରଙ୍କ ସମେତ ବହୁ ମହିଳା ଶ୍ରମିକ ଉପସ୍ଥିତ ଥିଲେ।