ଭଦ୍ରକ, ୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଗ୍ରାମାଞ୍ଚଳ ଥାନା ବାଗୁରାଇ ମାଧବନଗର ଠାରେ ଆଜି କୀର୍ତ୍ତନ ବିହାରୀ ଲକ୍ଷ୍ମୀ ଦେବୀ ସ୍ମତି ପରିଷଦ ଆନୁକୁଲ୍ୟରେ ଅବସରପ୍ରାପ୍ତ ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ନାରାୟଣ ସେନାପତିଙ୍କ ଦ୍ୱାରା ରଚିତ ‘ବିବିଧ ପ୍ରସଙ୍ଗ’ ପୁସ୍ତକ ଉନ୍ମୋଚନ ଓ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏହି ଉତ୍ସବରେ ଆନନ୍ଦପୁର ଆଞ୍ଚଳିକ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ଉମାକାନ୍ତ ଖଣ୍ଡେଇ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ବିଶିଷ୍ଟ ବାଗ୍ମୀ ଅବସରପ୍ରାପ୍ତ ପ୍ରଫେସର ବ୍ରଜମୋହନ ମିଶ୍ର, ମୁଖ୍ୟ ଅତିଥି ଉତ୍ତର ଓଡ଼ିଶାର ପ୍ରାକ୍ତନ ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ଅଟଳ ବିହାରୀ ନାୟକ, ମୁଖ୍ୟ ଆଲୋଚକ ପ୍ରଫେସର ଯୋଗେନ୍ଦ୍ର ଜେନା, ବରେଣ୍ୟ ଅତିଥି ବର୍ଷିୟାନ କବି ମାୟାଧର ନାୟକ, ବିଶିଷ୍ଟ ଅତିଥି ପ୍ରେମ ପୃଥିବୀର ସମ୍ପାଦକ ତଥା ସାହିତ୍ୟିକ କୈଳାଶ ଚନ୍ଦ୍ର ପଣ୍ଡା ପ୍ରମୁଖ ଯୋଗଦେଇ ଓଡ଼ିଆ ସାହିତ୍ୟ ଓ ସ୍ରଷ୍ଟାମାନଙ୍କ ବିଷୟରେ ଆଲୋକପାତ କରିଥିଲେ । ଜଣେ ଉଚ୍ଚତର ଚେତନାରେ ନ ରହିଲେ ସାହିତ୍ୟ ସୃଷ୍ଟି ସମ୍ଭବ ନୁହେଁ । ସାହିତ୍ୟ ସମାଜକୁ ଦିଗଦର୍ଶନ ଦେଇଥାଏ । ଶରୀର ପାଇଁ ଖାଦ୍ୟର ଯେପରି ଆବଶ୍ୟକତା ରହିଛି ସେହିଭଳି ମନର ଖାଦ୍ୟ ହେଉଛି ସାହିତ୍ୟ । ଯେଉଁ ସାହିତ୍ୟ ମଣିଷକୁ ଉଚ୍ଚତର ଚେତନାକୁ ନେବାରେ ସାହାଯ୍ୟ କରେ ସେହି ସ୍ରଷ୍ଟା ଚିର ନମସ୍ୟ ହୋଇ ରହିଛନ୍ତି । ସାହିତ୍ୟ ସମ୍ପର୍କ ଓ ସମ୍ବନ୍ଧକୁ ଯୋଡ଼ିଥାଏ । ସାହିତ୍ୟର ବିଷୟବସ୍ତୁ ହୃଦୟକୁ ଛୁଇଁ ପାରିଲେ ତାହା କାଳଜୟୀ ହୋଇଥାଏ । ଏହି ଅବସରରେ ‘ବିବିଧ ପ୍ରସଙ୍ଗ’ ପୁସ୍ତକ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ପ୍ରାରମ୍ଭରେ ନାରଣ ସାହୁ ଅତିଥିଙ୍କୁ ମଞ୍ଚକୁ ଆମନ୍ତ୍ରଣ, କବି ଶ୍ରୀକାନ୍ତ ପଟ୍ଟନାୟକ ଅତିଥି ପରିଚୟ, ଅଧ୍ୟାପକ ରଘୁଦିପ୍ତ ନାୟକ ସ୍ୱାଗତ ଭାଷଣ ଓ ଶେଷରେ ଶିକ୍ଷକ ରଞ୍ଜନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଗବେଷିକା ଚନ୍ଦ୍ରିକା ପଣ୍ଡା ପୁସ୍ତକ ସମୀକ୍ଷା କରିଥିଲେ । କାର୍ଯ୍ୟକ୍ରମକୁ ସ୍ମୃତିରଞ୍ଜନ ସେନାପତି, ସୁବ୍ରତ ପଣ୍ଡା, ସୌମ୍ୟରଞ୍ଜନ ସେନାପତି, ଅଭିଜିତ ସେନାପତି, ରଶ୍ମିରଞ୍ଜନ ଦେହୁରୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।