Odiapua.com

ବିବାହର ୫ ମାସ ପରେ ନବବଧୂଙ୍କ ମୃତ୍ୟୁ, ହତ୍ୟା ନା ଆତ୍ମହତ୍ୟା ରହସ୍ୟ ଘେରରେ

କୋଦଳା : ୪ ଅଗଷ୍ଟ (ଓଡ଼ିଆ ପୁଅ/ସୁଶାନ୍ତ କୁମାର ପଟ୍ଟନାୟକ) ବାହାଘର ୫ ମାସ ନ ବିତୁଣୁ ନବବଧୂଙ୍କ ମୃତ୍ୟୁ ଘଟିଛି। ଏହା ଆତ୍ମହତ୍ୟା କି ହତ୍ୟା ତାହା ପୋଲିସ ସଠିକ୍ ଭାବେ ତଦନ୍ତ କରି ପାରିଲେ ରହସ୍ୟ ଉନ୍ମୋଚନ ହେବ ବୋଲି କୁହାଯାଉଛି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଂଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ଫାଶୀ ପଞ୍ଚାୟତ କାଣ୍ଡସର ସାହିରେ। ସୂଚନା ଅନୁସାରେ ବାବୁ ମୁଦୁଲିଙ୍କ ପୁଅ ନରେନ୍ଦ୍ର ମୁଦୁଲି ରମ୍ଭା ଥାନା ଅନ୍ତର୍ଗତ ବଳରାମପୁର ଗ୍ରାମର ନଟବର ମୁଦୁଲିଙ୍କ ଝିଅ ସନ୍ତୋଷିନୀ ମୁଦୁଲିଙ୍କୁ ଚଳିତ ବର୍ଷ ମାର୍ଚ୍ଚ ୩ ରେ ବିବାହ କରିଥିଲେ। କିନ୍ତୁ ସ୍ତ୍ରୀ ସନ୍ତୋଷିନୀଙ୍କ ଆଉ କାହାରି ସହ ସମ୍ପର୍କ ରହିଥିବା ନେଇ ସ୍ୱାମୀ ନରେନ୍ଦ୍ର ପ୍ରକାଶ କରିଛନ୍ତି। ଏହି ବିଷୟକୁ ନରେନ୍ଦ୍ର ମାର୍ଚ୍ଚ ୨୭ ତାରିଖରେ ନିଜ ଶାଶୁଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା କହିଛନ୍ତି ମୃତ ସନ୍ତୋଷିନୀଙ୍କ ସ୍ବାମୀ ନରେନ୍ଦ୍ର। ସନ୍ତୋଷିନୀ ସବୁବେଳେ ଅନ୍ୟ କୌଣସି ପୁରୁଷ ସହ ସମ୍ପର୍କରେ ରହୁଥିବା ଏବଂ ତାଗିଦ୍ ପରେ ବି ସେ ପରିବର୍ତ୍ତନ ହେଉ ନଥିବା ନରେନ୍ଦ୍ର କହିଛନ୍ତି। ଗତକାଲି ଅର୍ଥାତ୍ ସୋମବାର ସେହି ପୁଅ ସହିତ ସନ୍ତୋଷିନୀ କଥାବାର୍ତ୍ତା ହେବାର ସ୍ୱାମୀ ଦେଖିଥିଲେ। ଯାହାକୁ ନେଇ ସ୍ବାମୀ ସ୍ତ୍ରୀ ଦୁହିଁଙ୍କ ଭିତରେ କଥା କଟାକଟି ହୋଇଥିଲା। ଏହାପରେ ରାତି ୮ ଘଣ୍ଟା ସମୟରେ ବାରିପଟ ଥିବା ପାଇଖାନାରେ ଏକ ଗାମୁଛା ସାହାଯ୍ୟରେ ଆତ୍ମହତ୍ୟା କରିଥିଲେ ବୋଲି ସ୍ବାମୀ ଓ ତାଙ୍କର ପରିବାର ଲୋକେ କହିଛନ୍ତି। ସ୍ବାମୀ ଓ ଶାଶୁ ଦୁହେଁ ସନ୍ତୋଷିନୀକୁ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ସନ୍ତୋଷିନୀ ୪ ମାସର ଗର୍ଭବତୀ ଥିବା ଜଣା ପଡିଛି। ଏନେଇ ଘଟଣା ସ୍ଥଳରେ କୋଦଳା ଥାନା ଏସଆଇ ମହେଶ୍ୱର ବେହେରା, ଏସଆଇ ଆରତୀ ପରିଡା ପହଞ୍ଚି ଶବକୁ ବ୍ୟବଛେଦ ପାଇଁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ସନ୍ତୋଷିନୀଙ୍କ ଏହି ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ତାହା ବ୍ୟବଛେଦ ରିପୋର୍ଟ ଆସିଲା ପରେ ଜଣାପଡିବ ବୋଲି ଥାନା ଅଧିକାରୀ ଦେବାଶିଷ ମହାନ୍ତି କହିଛନ୍ତି।