Odiapua.com

ବିବାଦ ଘେରରେ ଛୋଟ ଟଙ୍କାକିଆ କଏନ

ରାଉରକେଲା ୨୧-୫ (ଓଡ଼ିଆ ପୁଅ/ସୁବୋଧ ନାୟକ) : ବଜାରରେ କାଗଜ ଟଙ୍କା ଠାରୁ ମୁଦ୍ରାର ପ୍ରଚଳନ ବହୁ ମାତ୍ରାରେ ଚାଲୁଛି। ରାତି ପାହିଲେ ହାଟ, ବଜାରରେ ଦୌଡ଼ୁଛି ଟଙ୍କିକିଆ, ୨ଟଙ୍କା, ୫ ଟଙ୍କା ଓ ୧୦ ଟଙ୍କାର କଏନ। ଉଭୟ ଗ୍ରାହକ ଓ ବେପାରୀ କଏନକୁ ନେଇ କିଣାବିକା କରୁଥିବା ବେଳେ, ସମୟ ସମୟରେ କଏନ ମୁଦ୍ରାକୁ ନେଇ ଗ୍ରାହକ ଓ ବେପାରୀ ମାନଙ୍କ ମଧ୍ୟରେ କଥା କଯାକଟି ଠାରୁ ଆରମ୍ଭ କରି ଯୁକ୍ତିତର୍କ ପର୍ଯ୍ୟନ୍ତ କଥା ଯାଉଛି। କ୍ରମଶଃ ଗ୍ରାହକ ଓ ବେପାରୀଙ୍କ ଏହି ଯୁକ୍ତିତର୍କ ପରବର୍ତ୍ତୀ ମୂହୂର୍ତରେ କଳହର ରୂପ ନେଉଛୀି। ଗତ କିଛି ମାସ ତଳେ ଦକ୍ଷିଣ ରାଉରକେଲା ସମେତ ସାରନଗରୀ ଅଂଚଳରେ ୧୦ ଟଙ୍କିଆ ମୁଦ୍ରାକୁ ନେବାକୁ କିଛି ବେପାରୀ ଅମଙ୍ଗ ହେଉଥିଲେ। ଉପଯୁକ୍ତ ଜନସଚେତନତା ଅଭାବରୁ ଅଂଚଳରେ ଏପରି କିଛି ଦିନ ହେବା ପରେ ଏବେ ପୂର୍ବପରି ୧୦ ଟଙ୍କିଆ କଏନ କାରବାର ସୁରୁଖରେ ଚାଲୁଥିବା ବେଳେ, ଛୋଟ ୧ ଟଙ୍କିଆ କଏନକୁ ନେଇ ଆରମ୍ଭ ହୋଇଛି ବିବାଦ। ପ୍ରାୟ ୮୦ ପ୍ରତିଶତ ଦୋକାନୀ ଛୋଟ ୧ ଟଙ୍କିଆ କଏନ ନେଉ ନାହାନ୍ତି। ଏପରିକି ସହରର ଅଧିକାଂଶ ଜାଗାରେ ଛୋଟ ୧ ଟଙ୍କିଆ କଏନ ଚାଲୁନାହିଁ! ୧ଟଙ୍କାରେ ଅନେକ ଛୋଟ ଜିନିଷ ଯେପରି ଦିଆସିଲି, ପ୍ଲାଷ୍ଟିକ ଗ୍ଲାସ, ଛୁଂଚି ଆଦି ମିଳୁଥିବାରୁ ଗ୍ରାହକଙ୍କୁ ଛୋଟ ୧ ଟଙ୍କା ବଦଳରେ ୨ ଟଙ୍କାର ମୂଲ୍ୟ ଦେବାକୁ ପଡୁଛି। ଯାହାକି ଗ୍ରାହକଙ୍କ ପକେଟକୁ ବାଧୁଛି ବୋଲି ସାରନଗରୀ ଇ ବ୍ଲକ ଅଂଚଳରେ ରହୁଥିବା ଜଣେ ବ୍ୟକ୍ତି ପ୍ରକାଶ କରିଛନ୍ତି। ଅପରପକ୍ଷରେ ଏହି ଛୋଟ ୧ ଟଙ୍କିଆ କଏନ ପଡୋଶୀ ରାଜ୍ୟ ଝାଡଖଣ୍ଡର ସିମଡେଗା, ମନୋହରପୁର, ରାଂଚି ଆଦି ଅଂଚଳରେ ଚାଲୁଥିବା ବେଳେ, ରାଉରକେଲାର ଅଧକାଂଶ ଜାଗାରେ ଅଚଳ ହୋଇ ପଡ଼ିଥିବାରୁ ଗ୍ରାହକ ମାନଙ୍କ ମଧ୍ୟରେ ଏହି ଛୋଟ କଏନକୁ ନେଇ ଚିନ୍ତାର ବାତାବରଣ ଦେଖିବାକୁ ମିଳିଛି। ଏହି ଛୋଟ ୧ ଟଙ୍କିଆ କଏନ, ଅଚଳ ନା’ ସଚଳ ଏହାକୁ ନେଇ ଉଭୟ ବେପାରୀ ଓ ଗ୍ରାହକ ଦ୍ୱନ୍ଦରେ ପଡ଼ିଥିବା ସ୍ପଷ୍ଟ ରୂପେ ବାରି ହୋଇ ପଡୁଛି।