Odiapua.com

ବିବାଦୀୟ ରାସ୍ତା ସୀମା ନିର୍ଦ୍ଧାରଣ ପାଇଁ ପ୍ରଶାସନ ନିଷ୍ପତି

ଭଦ୍ରକ, ୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବଡ଼ବଜାରରେ ମୁଖ୍ୟ ପ୍ରବେଶପଥ ତଥା ଧାମନଗର -ଫଳପୁର ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କର କେତେକ ବ୍ୟକ୍ତି ବେଆଇନ ଦୋକାନ ଗୃହ କରି ଜବରଦଖଲ କରିଥିବା ଅଭିଯୋଗ ହୋଇଥିଲା । ୨୦୧୪ରେ ସେମାନଙ୍କ ଉପରେ ତହସିଲଦାରଙ୍କ ପକ୍ଷରୁ ଉଚ୍ଛେଦ ନୋଟିସ ଲାଗିଥିଲା । ପରେ ପ୍ରଶାସନିକର ଉଦାସିନତା ନେଇ ଉଚ୍ଛେଦ କାର୍ଯ୍ୟ ବନ୍ଦ ଥିଲା । ମାତ୍ର ଗତ ଶନିବାର ରାତ୍ରରେ ବିବାଦୀୟ ସ୍ଥାନରେ ଦୋକାନ ଗୃହକାନ୍ଥ ନିର୍ମାଣ ନେଇ ଧାମନଗର ନାଗରିକ ମଂଚ ପକ୍ଷରୁ ବିରୋଧ କରାଯିବା ସହ ପୋଲିସ ନିକଟରେ କାର୍ଯ୍ୟ ସ୍ଥଗିତ ନିମନ୍ତେ ଦାବି କରାଯାଇଥିଲା । ପରଦିନ ସଚେତନ ନାଗରିକ ମଂଚ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଏହାକୁ ଦୃଢ ବିରୋଧ କରାଯିବା ସହ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଗତ ୬ ତାରିଖରେ ମଂଚ ପକ୍ଷରୁ ସ୍ଥାନୀୟ ପ୍ରଶାସକଙ୍କୁ ଭେଟି ଲିଖିତ ଅଭିଯୋଗ କରାଯିବା ପରେ ଅତିରିକ୍ତ ତହସିଲଦାର ଅନୂପ କୁମାର ବେହେରା ଓ ସ୍ଥାନୀୟ ଆଇଆଇସି ପ୍ରଦୀପ କୁମାର ମହନ୍ତ ଘଟଣା ସ୍ଥଳ ପରିଦର୍ଶନ ସହ ତୁରନ୍ତ ପଦକ୍ଷେପ ପ୍ରତିଶୃତି ଦେଇଥିଲେ । ଆଜି ମଧ୍ୟ ଧାମନଗର ସଚେତନ ନାଗରିକ ମଂଚ ପକ୍ଷରୁ ବରିଷ୍ଠ ସଦସ୍ୟମାନେ ତହସିଲଦାର ଦୁର୍ଗା ଚରଣ ମୁର୍ମୁ ଓ ଧାମନଗର ପଂଚାୟତ ସମିତି ଅଧ୍ୟକ୍ଷ ଅଶୋକ କୁମାର ନାୟକଙ୍କୁ ଭେଟି ଉକ୍ତ ବିବାଦୀୟ ରାସ୍ତା ସମ୍ପର୍କରେ ଅବଗତ କରାଇଥିଲେ । ତହସିଲଦାର ଶ୍ରୀ ମୁର୍ମୁ ଚିଠି ନମ୍ବର ୨୧୩୫ ମୂଳେ ଧାମନଗର ରାଜସ୍ୱ ନିରୀକ୍ଷକ ସ୍ଥାନୀୟ ଜନସାଧାରଣଙ୍କୁ ପୁଲିସ ଉପସ୍ଥିତିରେ ସରକାରୀ ଅମିନଙ୍କ ଦ୍ୱାରା ଆସନ୍ତ ୧୩ ତାରିଖରେ ଧାମନଗର ଶ୍ୟାମପୁର ମୌଜାର ବିବାଦୀୟ ରାସ୍ତା ଖାତା ନଂ ୧୯୦୪ ଓ ପ୍ଲଟ ନଂ ୩୩୩କୁ ମାପ କରିିବାକୁ ନିର୍ଦ୍ଦେଶ ନାମା ଜାରି କରିଛନ୍ତି । ତେବେ ସ୍ଥାନୀୟ ସଚେତନ ନାଗରିକ ମଞ୍ଚର ଅଭିଯୋଗକୁ ସହମତି ଜଣାଇ ଉକ୍ତ ରାସ୍ତାକୁ ମାପ କରିବା ପାଇଁ ନିର୍ଦ୍ଦେଶ ଦେଇଥିବାରୁ ମଞ୍ଚ ପକ୍ଷରୁ ତହସିଲଦାରଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି ।