Odiapua.com

ବିଫଳ ଶିକ୍ଷାନୀତି ବିରୋଧରେ ଆନ୍ଦୋଳନକୁ ଓହ୍ଲାଇବ ଏବିଭିପି

ବାଲେଶ୍ୱର, ୧୩ା୩(ଓଡ଼ିଆ ପୁଅ/ଅଭୟ ଦାସ): ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ରାଜ୍ୟସ୍ତରୀୟ ସମ୍ମିଳନୀ ଓ କର୍ମକର୍ତ୍ତା ଚୟନ ଅବସରରେ ଶିକ୍ଷା ଓ ସାମାଜିକ ବିକାଶ କ୍ଷେତ୍ରରେ ଗ୍ରହଣ କରାଯାଇଥିବା ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ସମ୍ପର୍କରେ ନବନିର୍ବାଚିତ ରାଜ୍ୟ ସମ୍ପାଦିକ ବାଲେଶ୍ୱରର ସୌଭାଗ୍ୟ ମହାନ୍ତି ସୂଚନା ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଶନିବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ଶ୍ରୀ ମହାନ୍ତି ରାଜ୍ୟ ରାଷ୍ଟ୍ରୀୟ ଶିକ୍ଷାନୀତି କାର୍ଯ୍ୟକାରିତାରେ ଓଡ଼ିଶା ସରକାରଙ୍କ ଅବହେଳାକୁ ତୀବ୍ର ସମାଲୋଚନା କରିଛନ୍ତି। ସମ୍ପ୍ରତି ରାଜ୍ୟ ସରକାର ଓଡ଼ିଶାରେ ବନ୍ଦ କରିବାକୁ ଯାଉଥିବା ବିଏଡ ମହାବିଦ୍ୟାଳୟକୁ ତୁରନ୍ତ କାର୍ଯ୍ୟକ୍ଷମ ପାଇଁ ଏବିଭିପି ପକ୍ଷରୁ ଦାବି ହୋଇଥିବା ଶ୍ରୀ ମହାନ୍ତି କହିଛନ୍ତି। ସେହିପରି ରାଜ୍ୟର ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଅତ୍ୟାଧୁନିକ ପାଠାଗାର ପ୍ରତିଷ୍ଠା ସାଙ୍ଗକୁ ଯୁବପିଢ଼ିଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ନିମନ୍ତେ ମଧ୍ୟ ଦାବି ହୋଇଛି।ଏଥି ସହିତ ଓଡ଼ିଶାରେ ବିପର୍ଯ୍ୟସ୍ଥ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସେ ସମାଲୋଚନା କରିଛନ୍ତି। ବିଶେଷ କରି ଶମିଳିପାଳରେ ଲାଗିଥିବା ନିଆଁ ଲିଭାଇବାରେ ରାଜ୍ୟ ସରକାରଙ୍କ ଇଚ୍ଛାଶକ୍ତିର ଅଭାବ, କୋଟିଆ ଭଳି ରାଜ୍ୟରେ ଦେଖାଦେଇଥିବା ସୀମା ବିବାଦ ସମାଧାନ ଦିଗରେ ଉଚିତ ପଦକ୍ଷେପ ନିଆ ନଯିବା, ସମ୍ପ୍ରତି ରାଜ୍ୟର ନାରୀ ସମାଜକୁ ସୁରକ୍ଷା ଦିଗରେ ଉଚିତ ପଦକ୍ଷେପ ନିଆଯାଉ ନଥିବା ଏବିଭିପି ପକ୍ଷରୁ ଆରୋପ ହୋଇଛି। ଏ ଦିଗରେ ସରକାର ଉଚିତ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ଛାତ୍ର ସଂଗଠନ ଆନ୍ଦୋଳନ ମୁଖୀ ହେବା ନେଇ ରାଜ୍ୟ ସମ୍ମିଳନୀରେ ନିଷ୍ପତି ନିଆଯାଇଛି ବୋଲି ଶ୍ରୀ ମହାନ୍ତି ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଏବିଭିପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦେବାଶିଷ ବ୍ରହ୍ମଚାରୀ, ବିଶ୍ୱ ବିଦ୍ୟାଳୟ ସହସଂଯୋଜକ ଲକ୍ଷ୍ମୀନାରାୟଣ ନାୟକ, କାର୍ଯ୍ୟକାରିଣୀ ସଦସ୍ୟ ପ୍ରତୀକ ଧଳ ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।