Odiapua.com

ବିପ୍ଳବ ବହ୍ନିର ବିସ୍ମୟ ଯାଜ୍ଞିକ ବାଞ୍ଛାନିଧି

ଭଦ୍ରକ, ୨୧ା୪ (ଓଡ଼ିଆ ପୁଅ /ସ୍ନିଗ୍ଧା ରାୟ) – ‘ଓଡ଼ିଶା ସାହିତ୍ୟ ଏକାଡେମୀ’ ଏବଂ ‘ଜାତୀୟକବି ବାଞ୍ଛାନିଧି ସ୍ମୃତି ପରିଷଦ’ ମିଳିତ ଆନୁକୂଲ୍ୟରେ ଉତ୍କଳର ଚାରଣ ତଥା ବିପ୍ଳବୀ କବି ବାଞ୍ଛାନିଧି ମହାନ୍ତିଙ୍କ ୧୨୫ତମ ଜୟନ୍ତୀ ଶହୀଦ୍ ସ୍ମୃତି ଭବନ, ଭଦ୍ରକଠାରେ ଅନୁଷ୍ଠିତ ହୋଇ ଯାଇଛି। ରୋଟାରିଆନ ଡ. ପ୍ରଭାସ ମହାନ୍ତିଙ୍କ ଆହ୍ୱାନ କ୍ରମେ ଅତିଥିବୃନ୍ଦ ପ୍ରଦୀପ ପ୍ରଜ୍ୱଳନ ଏବଂ କବିଙ୍କ ଆଲୋକଚିତ୍ରରେ ପୂଷ୍ପମାଲ୍ୟ ଅର୍ପଣ ପୂର୍ବକ ସଭା ଆରମ୍ଭ ହୋଇଥିଲା। ଅତିଥି ପରିଚୟ ଦେଇଥିଲେ କବି ରତିକାନ୍ତ ବେହେରା। ପ୍ରାରମ୍ଭିକ ସଂଗୀତ ରୂପେ ବାଞ୍ଛାନିଧିଙ୍କ ରଚନାରୁ ‘ହେ ମା’ ଉତ୍କଳ ଜୟ ମା’ ବନ୍ଦେ’ ଗାନ କରିଥିଲେ ଭଦ୍ରକ ସଂଗୀତ ମହାବିଦ୍ୟାଳୟର ଛାତ୍ରଛାତ୍ରୀଗଣ। ମୁଖ୍ୟଅତିଥି ପ୍ରଫେସର ଡା. ଉପେନ୍ଦ୍ର ନାୟକ କବିଙ୍କୁ ଦେଶାତ୍ମବୋଧକ ଚେତନାର କବି କହିଲା ବେଳେ ମୁଖ୍ୟବକ୍ତା ପ୍ରଫେସର ଡ. ବେଣୁଧର ପାଢୀ ତାଙ୍କୁ ବିପ୍ଳବ ବହ୍ନିର ବିସ୍ମୟ ଯାଜ୍ଞିକ ରୂପେ ଉପସ୍ଥାପନା କରିଥିଲେ। ବିଶିଷ୍ଟ ଅତିଥି ପ୍ରଫେସର ଡ. ଶଶଧର ଦାସ କବିଙ୍କୁ ଯଥୋଚିତ ସମ୍ମାନ ମିଳି ନାହିଁ ବୋଲି କ୍ଷୋଭ ପ୍ରକାଶ କରିଥିଲେ। ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ପୂର୍ଣ୍ଣଚନ୍ଦ୍ର ବହଳୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ସମ୍ମାନିତ ଅତିଥି ସାହିତ୍ୟ ଏକାଡେମୀର ସଦସ୍ୟ ପ୍ରଫେସର ପବିତ୍ର ପାଣିଗ୍ରାହୀ ବାଞ୍ଛାନିଧିଙ୍କର ବହୁବିଧ କାବ୍ୟ ପ୍ରତିଭା ସମ୍ପର୍କରେ ଆଲୋଚନା କରିଥିଲେ। ଇତ୍ୟବସରରେ ପ୍ରଗତିଶୀଳ ତିନିଜଣ କବି ସର୍ବଶ୍ରୀ ଚକ୍ରଧର ବେହେରା, ବସନ୍ତ ମାଝୀ ଏବଂ ଶ୍ରୀଦେବଙ୍କୁ ସ୍ମୃତି ପରିଷଦ ତରଫରୁ ଉତ୍ତରୀୟ, ସମ୍ବର୍ଦ୍ଧନା ଫଳକ ଏବଂ ଆର୍ôଥକ ପୁରସ୍କାର ଦିଆଯାଇଥିଲା। ପ୍ରତିଭାଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ପତ୍ର ପାଠ କରିଥିଲେ ଅଧିବକ୍ତା ଗଦାଧର ବଳ। ସଭାମୁଖ୍ୟ ଭାବରେ ସ୍ମୃତି ପରିଷଦର ସଭାପତି ଡ. ଦୁର୍ଯ୍ୟୋଧନ ଦାସ କହିଥିଲେ ‘ତାଙ୍କ ମରଦେହ ଗ୍ରାସିଛି ଶ୍ମଶାନ ପାତ୍ର, ଯଶୋଦେହେ ସେ ଯେ ଆୟୁଷ୍ମାନ’। କବିଙ୍କ ବଡ଼ନାତି ଅଧିବକ୍ତା ପୂର୍ଣ୍ଣଚନ୍ଦ୍ର ମହାନ୍ତି ମଞ୍ଚ ସଂଯୋଜନା କରିଥିଲେ। ପରିଷଦର ବାର୍ଷିକ ବିବରଣୀ ଯୁଗ୍ମ ସମ୍ପାଦିକା ବସୁମିତ୍ରା ସାହୁ ପାଠ କରିଥିଲା ବେଳେ ଧନ୍ୟବାଦ ଦେଇଥିଲେ ସମ୍ପାଦକ କୃଷ୍ଣଚନ୍ଦ୍ର ମହାନ୍ତି।