ଭଦ୍ରକ, ୧୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କନିକା ପ୍ରଜା ଆନ୍ଦୋଳନର ଅନ୍ୟତମ ନେତା ବିପ୍ଳବୀ ବୀର କୃଷ୍ଣଚନ୍ଦ୍ର ପରିଡାଙ୍କ ପ୍ରତିମୂର୍ତ୍ତି ଚାନ୍ଦବାଲି ବ୍ଲକ୍ ଅନ୍ତର୍ଗତ ମଉସୁଧା ଠାରେ ନବଯୁଗ ଜନକଲ୍ୟାଣ ପରିଷଦ ପକ୍ଷରୁ ଉନ୍ମୋଚିତ ହୋଇଯାଇଛି। ଏହି ପ୍ରତିମୂର୍ତ୍ତି ଉନ୍ମୋଚନ ଉତ୍ସବରେ ଆଇନ୍ଜୀବୀ ନରେନ୍ଦ୍ର ବିଶ୍ୱାଳ ସଭାପତିତ୍ୱ କରିଥିବାବେଳେ ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ପଞ୍ଚାନନ ପଲାଇ ଯୋଗଦେଇ ବିପ୍ଳବୀ କୃଷ୍ଣଚନ୍ଦ୍ର ପରିଡାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ। ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଶିକ୍ଷକ କମଳାକାନ୍ତ ମହାନ୍ତି, ଅନ୍ୟତମ ଅତିଥି ଭାବେ ସଂଗଠନର ସଂପାଦକ ମୁରଲୀଧର ପରିଡା, ସାଧୁଚରଣ ନାୟକ, ସିପିଆଇ(ଏମ୍) ଭଦ୍ରକ ଜିଲା କମିଟି ସଭ୍ୟ ବିକାଶ ନାଥ, ଆଇନ୍ଜୀବୀ ମଳୟ ଭୋଇ ପ୍ରମୁଖ ଯୋଗଦେଇ ବିପ୍ଳବୀ କୃଷ୍ଣଚନ୍ଦ୍ର ପରିଡାଙ୍କ ଜୀବନୀ, କନିକା ପ୍ରଜା ଆନ୍ଦୋଳନରେ କୃଷ୍ଣଚନ୍ଦ୍ର ପରିଡାଙ୍କ ଭୂମିକା, ସଂଘର୍ଷ ଓ ତ୍ୟାଗ ସଂପର୍କରେ ଆଲୋଚନା କରିଥିଲେ। ବିପ୍ଳବୀ କୃଷ୍ଣଚନ୍ଦ୍ର ପରିଡା ୧୯୦୨ ମସିହା ମାର୍ଚ୍ଚ ମାସରେ ମୃଗନୟନୀ ନିକଟସ୍ଥ ଗୋଡିପଦା ଠାରେ କନିକା ରାଜାର ୬୪ ପ୍ରକାରର କର, ବେଠି, ବେଗାରୀ ବିରୁଦ୍ଧରେ ଏକ ବୃହତ୍ ଚାଷୀ ଭାଗଚାଷୀ ମେଳି କରି ତତ୍କାଳୀନ କନିକା ରାଜାଙ୍କୁ ଭୟଭୀତ କରାଇପାରିଥିଲେ। କନିକା ରାଜା ପ୍ରତିବର୍ଷ ମୃଗନୟନୀ ଠାରେ ଏକ ସପ୍ତାହ ବ୍ୟାପୀ ରାଜତନ୍ତ୍ର ସପକ୍ଷରେ ଏକ ଉତ୍ସବ ପାଳନ କରୁଥିଲେ।
ବିପ୍ଳବୀ କୃଷ୍ଣଚନ୍ଦ୍ର ପରିଡାଙ୍କ ନେତୃତ୍ୱରେ ରାଜତନ୍ତ୍ର ବିରୁଦ୍ଧରେ ଲଢେଇ କରାଯାଇ ମୃଗନୟନୀ ଠାରେ ରାଜାଙ୍କ ସପ୍ତା ଉତ୍ସବକୁ ସବୁଦିନ ପାଇଁ ବନ୍ଦ କରାଯାଇଥିଲା। ୧୯୨୨ ମସିହାରେ କନିକା ଗୁଳିକାଣ୍ଡରେ ସହୀଦ ହୋଇଥିବା ବିପ୍ଳବୀ ବାସୁ ସେଠୀ ଓ ବିପ୍ଳବୀ ବିଶୁନୀ ମଢୁଆଳଙ୍କ ସହୀଦ ଦିବସ ପ୍ରଥମେ ମୃଗନୟନୀ ମାଟିରେ ବିପ୍ଳବୀ କୃଷ୍ଣଚନ୍ଦ୍ର ପରିଡାଙ୍କ ନେତୃତ୍ୱରେ ପାଳନ କରାଯାଇଥିଲା। କନିକା ଗୁଳିକାଣ୍ଡକୁ ବିରୋଧ କରି ବିପ୍ଳବୀ ବୀର ଚକ୍ରଧର ବେହେରା, ବୀର ବନମାଳୀ ନାୟକ ଓ ବୀର କୈଳାସ ସାମଲଙ୍କ ସହ ବିପ୍ଳବୀ କୃଷ୍ଣଚନ୍ଦ୍ର ପରିଡା କନିକାର ବିଭିନ୍ନ ପ୍ରାପ୍ତରେ ସେତେବେଳେ ସଭାସମିତିମାନ କରିଥିଲେ ବୋଲି ପ୍ରତିମୂର୍ତ୍ତି ଉନ୍ମୋଚନ ଉତ୍ସବରେ ଯୋଗ ଦେଇଥିବା ବକ୍ତାମାନେ ବୀର କୃଷ୍ଣଚନ୍ଦ୍ର ପରିଡାଙ୍କ ସ୍ମୃତିପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇବା ପୂର୍ବକ ଆଲୋଚନା କରିଥିଲେ। ଆମ ରାଜ୍ୟର ଇତିହାସ ଓ ଭାରତ ଇତିହାସରେ ବିପ୍ଳବୀ କୃଷ୍ଣଚନ୍ଦ୍ର ପରିଡାଙ୍କ ସଂପର୍କରେ କୌଣସି ତଥ୍ୟ ପ୍ରକାଶ ପାଇନଥିବାରୁ ବକ୍ତାମାନେ କ୍ଷୋଭ ପ୍ରକାଶ କରିଥିଲେ। ଆମ ଦେଶର ଇତିହାସରେ ବିପ୍ଳବୀ କୃଷ୍ଣଚନ୍ଦ୍ର ପରିଡାଙ୍କ ବିପ୍ଳବର ଇତିହାସକୁ ଲିପିବଦ୍ଧ କରିବାକୁ ଏକ ପ୍ରତିନିଧି ଦଳ ମାଧ୍ୟମରେ ଭାରତ ସରକାରଙ୍କ ଶିକ୍ଷାମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ଶିକ୍ଷା ମନ୍ତ୍ରୀ ମାନଙ୍କୁ ଭେଟି ଦାବି କରିବା ପାଇଁ ଏକ ସାର୍ବଜନୀନ ପ୍ରସ୍ତାବ ସଭାରେ ପାରିତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ମହିଳା ନେତ୍ରୀ କାମିନୀ ଭୋଇ, କୃଷ୍ଣଚନ୍ଦ୍ର ବିଶ୍ୱାଳ, ପୁରୁଷୋତ୍ତମ ନାୟକ, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ଅକ୍ଷୟ ପରିଡା, ଶମ୍ଭୁନାଥ ପରିଡା, ଶଙ୍କର୍ଷଣ ପରିଡା, ପିତାମ୍ବର ଦାସ, ସୁରେନ୍ଦ୍ର ବେହେରା, ବେଣୁଧର ନାୟକ, ଅର୍ଜୁନ ନାୟକ, ମହେଶ୍ୱର ଦାସ, ଉପେନ୍ଦ୍ର ବିଶ୍ୱାଳ ପ୍ରମୁଖ ବିପ୍ଳବୀ କୃଷ୍ଣଚନ୍ଦ୍ର ପରିଡାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ। ଏହି ପ୍ରତିମୂର୍ତ୍ତି ଉନ୍ମୋଚନ ଉତ୍ସବରେ ଚାନ୍ଦବାଲି, ମତୋ, ମଉସୁଧା, ମୃଗନୟନୀ ଅଂଚଳର ଅନେକ ଚାଷୀ, ଭାଗଚାଷୀ, କ୍ଷେତ ମଜଦୁର, ଶ୍ରମିକ, କର୍ମଚାରୀ, ବୁଦ୍ଧିଜୀବୀ, ଛାତ୍ର ଓ ଯୁବବନ୍ଧୁମାନେ ଯୋଗ ଦେଇଥିଲେ।