Odiapua.com

ବିପ୍ଳବୀ ପ୍ରାଣନାଥଙ୍କ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର, ୫ା୧୦ (ଓଡ଼ିଆ ପୁଅ) : ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ, ସାମ୍ୟବାଦୀ ଆନ୍ଦୋଳନର ଅଗ୍ରଦୂତ, ଶିକ୍ଷାବିତ୍‌, ସାହିତ୍ୟିକ, ବିପ୍ଳବୀ ପ୍ରାଣନାଥ ପଟ୍ଟନାୟକଙ୍କ ୫୦ତମ ଶ୍ରାଦ୍ଧବାର୍ଷିକୀରେ ତାଙ୍କ ସ୍ମୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ପୂର୍ବାହ୍ନରେ ଶ୍ରୀୟାଛକ ଠାରେ ତାଙ୍କର ପ୍ରତିମୂର୍ତ୍ତିରେ ବହୁ ବିଶିଷ୍ଟ ବ୍ୟକ୍ତି ମାଲ୍ୟାର୍ପଣ କରିଥିଲେ। ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ପରିଷଦର ସଭାପତି ପ୍ରଦ୍ୟୁମ୍ନ ଶତପଥୀଙ୍କ ନେତୃତ୍ୱରେ ଅନୁଷ୍ଠାନର ସଭ୍ୟମାନେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ମଞ୍ଜରୀଦେବୀ ନର୍ସିଂ କଲେଜ, କ୍ୟାପିଟାଲ୍ ଏକାଡେମୀ ଅଫ୍ ନର୍ସିଂ ଓ ମଞ୍ଜରୀ ଦେବୀ ପବ୍ଲିକ୍ ସ୍କୁଲ୍‌ର ପ୍ରତିଷ୍ଠାତାନ୍ରତ ଚନ୍ଦ୍ର ବିଶ୍ୱାଳ ଓ ଉପସଭାପତି ଜ୍ୟୋତ୍ସ୍ନା ଦାସଙ୍କ ସମେତ ଅନ୍ୟ କର୍ମକର୍ତ୍ତା ଏବଂ କର୍ମଚାରୀମାନେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ପ୍ରାଣନାଥଙ୍କ ସ୍ମୃତିଚାରଣ କରିଥିଲେ।

ଓଡ଼ିଶାରେ କମ୍ୟୁନିଷ୍ଟ ପାର୍ଟିର ଅନ୍ୟତମ ପ୍ରତିଷ୍ଠାତା ବିପ୍ଳବୀ ପ୍ରାଣନାଥଙ୍କ ୫୦ତମ ଶ୍ରାଦ୍ଧ ସଭା ଭଗବତୀ ଭବନ ଠାରେ କାର୍ଯ୍ୟକାରୀ କମିଟି ସଭ୍ୟ ସୁର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଛି। ଏଥିରେ ସି-ପି-ଆଇ ରାଜ୍ୟ ସମ୍ପାଦକ ଆଶିଷ କାନୁନ୍‌ଗୋ ଓ ଜାତୀୟ କାର୍ଯ୍ୟକାରିଣୀ ସଭ୍ୟ ରାମକୃଷ୍ଣ ପଣ୍ଡା ଶ୍ରଦ୍ଧାଞ୍ଜଳି ଅର୍ପଣ କରି ପ୍ରାଣନାଥଙ୍କ ସଂଗ୍ରାମମୟ ଜୀବନ ସମ୍ପର୍କରେ ଆଲୋଚନା କରିଥିଲେ। ବର୍ତ୍ତମାନ ପରିସ୍ଥିତିରେ କେନ୍ଦ୍ରର ବିଜେପି ସରକାର ଦେଶର ଗଣତନ୍ତ୍ର, ସମ୍ବିଧାନ, ସଂଘୀୟ ବ୍ୟବସ୍ଥା ଓ ଧର୍ମନିରପେକ୍ଷତା ଉପରେ ଆକ୍ରମଣ ଚଳାଇଥିବାରୁ ଏହା ବିରୋଧରେ ସମସ୍ତ ବାମପନ୍ଥୀ, ଗଣତାନ୍ତ୍ରିକ ଓ ଧର୍ମନିରପେକ୍ଷ ଦଳ ଓ ଶକ୍ତି ଏ୍ୟୌକ୍ୟବଦ୍ଧ ହେବାକୁ ବକ୍ତାମାନେ ଆହ୍ୱାନ ଦେଇଥିଲେ। କ୍ଷେତ ମୂଲିଆ ନେତା ଲୋକନାଥ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ। ସାମାଜିକ ଦୂରତ୍ୱ ରକ୍ଷାକରି ଆୟୋଜିତ ଏହି ସଭାରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପ୍ରତିନିଧିମାନେ ଉପସ୍ଥିତ ଥିଲେ।