Odiapua.com

ବିପ୍ଲବୀ ବୀର ଚକ୍ରଧର ବେହେରାଙ୍କ ଜିଲ୍ଲାସ୍ତରୀୟ ଜୟନ୍ତୀ ସମାରୋହ

ଭଦ୍ରକ, ୧୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୂର୍ବ ପ୍ରସ୍ତୁତି ଅନୁଯାୟୀ ଭଦ୍ରକ ଜିଲ୍ଲାର ବରପୁତ୍ର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, କନିକା ପ୍ରଜା ଆନ୍ଦୋଳନର ଜନନେତା ତଥା କନିକା ଗାନ୍ଧୀ ଭାବେ ଖ୍ୟାତ ବିପ୍ଲବୀ ଚକ୍ରଧର ବେହେରାଙ୍କ ଜିଲ୍ଲାସ୍ତରୀୟ ଜୟନ୍ତୀ ସମାରୋହ ଆଜି ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପ୍ରଶାସନର ସୂଚନା ଓ ଲୋକ ସମ୍ପର୍କ ଅନୁଭାଗ ଆନୁକୂଲ୍ୟରେ ସଂସ୍କୃତି ଭବନର ଜିଲ୍ଲା ପାଠାଗାର ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ଉତ୍ସବକୁ ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍‌ଘାଟନ କରିବା ସହିତ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ। ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ଼. ଗୋଲକ ବିହାରୀ ସାହୁ, ସମ୍ମାନିତ ବକ୍ତା ସେବାନିବୃତ୍ତ ଅଧ୍ୟକ୍ଷ ଡ଼.ରାମଚନ୍ଦ୍ର ପଲାଇ ଏବଂ ସମ୍ମାନିତ ଅତିଥିଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ତନୁଜା ସିର୍କା ଓ ସ୍ମୃତି କମିଟିର ସମ୍ପାଦିକା ଶାନ୍ତିଲତା ନାଗ ଯୋଗ ଦେଇଥିଲେ। ଗାନ୍ଧୀବାଳାଶ୍ରମର ଅନ୍ତେବାସୀଙ୍କ ଦ୍ୱାରା ବନ୍ଦେ ଉତ୍କଳ ଜନନୀ ଉଦ୍‌ଘାଟନୀ ସଂଗୀତ ଓ ଅନ୍ୟ ଏକ ଦେଶାତ୍ମବୋଧକ ସଂଗୀତ ପରିବେଷଣ କରାଯାଇଥିଲା।

ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ସଭା କାର୍ଯ୍ୟକ୍ରମକୁ ସେ ପରିଚାଳନା କରିଥିଲେ। ସମାଜସେବୀ ସାହିତ୍ୟିକ ଅଜୟ କୁମାର ନାକୟ, ପ୍ରାକ୍ତନ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହରମୋହନ ଜେନା, ବରିଷ୍ଠ ଶିକ୍ଷାବିତ୍ ପ୍ରୋଫେସର ବାସୁଦେବ ବାରିକ ମଧ୍ୟ ଚକ୍ରଧର ବେହେରାଙ୍କ ଆଦର୍ଶ ବ୍ୟକ୍ତିତ୍ୱ ଓ ସଂଘର୍ଷମୟ ଜୀବନ କାହାଣୀ ଉପରେ ବକ୍ତବ୍ୟ ରଖିଥିଲେ। ବିପ୍ଲବୀ ଚକ୍ରଧର ବେହେରା କିପରି ଏକାଧାରରେ ଜଣେ ବିପ୍ଲବୀ, ସଂଗ୍ରାମୀ, କବି, ସମାଜସେବୀ, କୃଷକ ନେତା ସର୍ବୋପରି ବିଧାୟକ ଥିଲେ ତାର ବିଭିନ୍ନ ଦିଗ ଉପରେ ଅତିଥିମାନେ ଆଲୋକପାତ କରିଥିଲେ। ସମାଜ ପାଇଁ ଦେଶ ପାଇଁ ଅନନ୍ୟ ଅବଦାନ ରଖିଥିବା ଯୋଗଜନ୍ମା ମହାମାନବ ମାନଙ୍କ ତ୍ୟାଗ, ସେବା ସଂଘର୍ଷ ସହିତ ଉତ୍ତର ପୀଢ଼ିକୁ ପରିଚିତ କରାଇବା ଆମ ମାନଙ୍କର ପରମ କର୍ତ୍ତବ୍ୟ ହେଉ ବୋଲି ମତ ପ୍ରକାଶ ପାଇଥିଲା। ସୂଚନା ଯୋଗ୍ୟକି ଏ ଜୟନ୍ତୀକୁ ସରକାରୀ ଭାବେ ପାଳନ କରାଯିବା ପାଇଁ ୨୦୧୮ ରୁ ନିଷ୍ପତ୍ତି ନିଆଯାଇ ଆରମ୍ଭ କରାଯାଇଥିଲେ ମଧ୍ୟ କୋଭିଡ଼୍ କଟକଣା ପାଇଁ ପରବର୍ତ୍ତୀ ବର୍ଷ ମାନଙ୍କରେ ପାଳନ କରାଯାଇପାରିନଥିଲା। ଏହି ଜୟନ୍ତୀ ପାଳନ ଉପଲକ୍ଷେ ପୂର୍ବରୁ ଅନୁଷ୍ଠିତ ହାଇସ୍କୁଲ ସ୍ତରୀୟ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଶେଷରେ ଗାନ୍ଧୀବାଳାଶ୍ରମର ସମ୍ପାଦକ ଅଶୋକ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।