Odiapua.com

ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ସହ କାର୍ ଜବତ, ୭ ଗିରଫ

ଭଦ୍ରକ, ୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲାପାଳ ଡ. ଜ୍ଞାନ ଦାସଙ୍କ ନିର୍ଦ୍ଦେଶ କ୍ରମେ ଓ ଉପଜିଲାପାଳ ପୀତାମ୍ବର ସାମଲଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଜିଲା ଅବକାରୀ ବିଭାଗ ପକ୍ଷରୁ ଭଦ୍ରକ ଭ୍ରାମ୍ୟମାଣ ସ୍କ୍ୱାର୍ଡର ଭାରପ୍ରାପ୍ତ ଅଧିକାରୀ ବ୍ରଜମୋହନ ମଲ୍ଲିକଙ୍କ ନେତୃତ୍ୱରେ ଗଠିତ ଏକ ସ୍ୱତନ୍ତ୍ର ଟିମ୍ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ୧୬ନଂ ଜାତୀୟ ରାଜପଥର ରାଣୀତାଲ ଛକ ନିକଟରେ ପାଟ୍ରୋଲିଂ କରୁଥିବା ସମୟରେ ଓଆର-୦୪କେ-୨୦୭୭ ନମ୍ବରର ଏକ ଟାଟା ଇଣ୍ଡିକା କାର୍‌ରୁ ୩୦୦ ଲିଟର ଦେଶୀ ରନ୍ଧାମଦ ଜବତ କରିବା ସହ ଏଥିରେ ସଂପୃକ୍ତ ବାଲେଶ୍ୱର ଶିଳ୍ପାଞ୍ଚଳ ଥାନା ଅଧୀନସ୍ଥ ରେମୁଣା ଗୋଲେଇ ଗ୍ରାମର ରବିନ୍ଦ୍ର ମହାନ୍ତି ଓ ଧୁଷୁରୀ ଥାନା ଅଧୀନସ୍ଥ ଖପରପଦା ଗ୍ରାମର ଉଜ୍ଜ୍ୱଳ ସେଠୀଙ୍କୁ ଗିରଫ କରିଥିବାବେଳେ ଅନ୍ୟ ଜଣେ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ସେହିପରି ଚାନ୍ଦବାଲି ଥାନା ଅଧୀନସ୍ଥ ମତୋ, ବାଣପୁର, ମହୁଲିଆ ଛକ, ଦିଗଛିଆ ଛକ ଅଂଚଳରେ ଚଢାଉ କରାଯାଇ ମୋଟ ୧୫୦ ଲିଟର ଦେଶୀ ରନ୍ଧାମଦ, ୩.୬୦୦ ଲିଟର ବିଦେଶୀ ମଦ ଓ ୧୦ ଲିଟର ଆସ୍କା ଫଟି ଜବତ କରିବା ସହ ଏଥିରେ ସଂପୃକ୍ତ ୫ ଜଣଙ୍କୁ ଗିରଫ କରାଯାଇଥିବାବେଳେ ୨ ଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ଗିରଫ ବ୍ୟକ୍ତିମାନେ ହେଲେ ଚାନ୍ଦବାଲି ଥାନା ଅଧୀନସ୍ଥ ମତୋ ଗ୍ରାମର କମଳାକାନ୍ତ ବାରିକ ଓ ପଂଚାନନ ବେହେରା, ବାଣପୁର ଗ୍ରାମର ସନାତନ ମହାଳିକ, ମହୁଲିଆ ଗ୍ରାମର କ୍ଷୀରୋଦ ମହଲା ଏବଂ ବାଂଶଡା ଥାନା ଅଧୀନସ୍ଥ ଦିଗଛିଆ ପାତ୍ରସାହି ଗ୍ରାମର ଚୈତନ୍ୟ ପାତ୍ର । ଜବତ ମଦ ଓ ଗାଡିର ଆନୁମାନିକ ମୂଲ୍ୟ ୨ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଏହି ଚଢାଉରେ ଏଏସ୍‌ଆଇ ଭବେଶ ଦାସ, ପ୍ରହ୍ଲାଦ ସାମଲ ଓ କନେଷ୍ଟବଳ ପ୍ରଦୀପ ମଲ୍ଲିକ, ସତ୍ୟରଂଜନ ସେଠୀ, ଅନବାଦିତ୍ୟ ବାରିକ, ଖଗେଶ୍ୱର ଜେନା, ଜେମାମଣି ଜାମୁଡା ପ୍ରମୁଖ ସାମିଲ୍ ଥିଲେ । ଏହି ଘଟଣାରେ ଅବକାରୀ ବିଭାଗ ପକ୍ଷରୁ ୭ ଜଣଙ୍କୁ ଗିରଫ କରାଯାଇ ପୃଥକ୍ ପୃଥକ୍ ୬ଟି ମାମଲା ରୁଜୁ କରାଯାଇଛି ।