Odiapua.com

ବିପର୍ଯ୍ୟୟ ପରିଚାଳନା ମକଡ୍ରିଲ ଅନୁଷ୍ଠିତ

ପୁରୀ ୧୨/୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପ୍ରାକୃତିକ ବିପର୍ଯ୍ୟୟ ଯେ କୌଣସି ସମୟରେ ଆସିପାରେ। ଆମେ ତାକୁ ରୋକି ପାରିବା ନାହିଁ। କିନ୍ତୁ ସତର୍କତା, ସଚେତନତା ଓ ପୂର୍ବ ପ୍ରସ୍ତୁତି ଧନଜୀବନ ହାନି ଓ କ୍ଷୟକ୍ଷତିକୁ ରୋକିବା ସହ ବିପର୍ଯ୍ୟୟକୁ ପ୍ରଶମିତ କରିବାରେ ସହାୟକ ହୋଇଥାଏ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ। ଆଜି ପୂର୍ବାହ୍ନରେ ସର୍କିଟ ହାଉସଠାରେ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ସମ୍ପର୍କରେ ଏକ ମକଡ୍ରିଲ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ ପୁରୀ ଏକ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ଜିଲ୍ଲା ଭାବେ ପରିଗଣିତ। ବିଶେଷ କରି ବନ୍ୟା, ବାତ୍ୟା ଚିର ସହଚର ହୋଇ ଥିବାରୁ ଏଥିପାଇଁ ସମସ୍ତେ ଅଭିଜ୍ଞତା ଓ ଅନୁଭବ ଆଧାରରେ ସତର୍କ ରହିବାକୁ ସେ ମତ ଦେଇଥିଲେ। ଏଥିରେ ଅଗ୍ନିଶମ ଵାହିନୀର ପ୍ରତିନିଧିମାନେ ଯୋଗ ଦେଇ ସୃଷ୍ଟି ହେଉଥିବା ବିଭିନ୍ନ ବିପର୍ଯ୍ୟୟର ମୁକାବିଲା ପାଇଁ ଗ୍ରହଣ କରିବାକୂ ଥିବା ପଦକ୍ଷେପ ସମ୍ପର୍କରେ ବିଷଦ ଭାବେ ମକଡ୍ରିଲ ମାଧ୍ୟମରେ ପ୍ରଦର୍ଶନ ସହ ଅବଗତ କରାଇଥିଲେ। ଏପରିକି ଦୈନନ୍ଦିନ ଜୀବନରେ ଘଟୁଥିବା ଛୋଟ ବଡ଼ ଦୁର୍ଘଟଣାକୁ କିପରି ମୁକାବିଲା କରାଯାଇ ପାରିବ ସେ ସମ୍ପର୍କରେ ମଧ୍ୟ ମକଡ୍ରିଲ ମାଧ୍ୟମରେ ସୂଚନା ପ୍ରଦାନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ଡଃ ଶରତ ଚନ୍ଦ୍ର ମହାପାତ୍ର, ଉପଜିଲ୍ଲାପାଳ ଭବତାରଣ ସାହୁ, ପୁରୀ ପୌର ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ, ଜରୁରୀ ବିଭାଗର ଡେପୁଟି କଲେକ୍ଟର ଜିତେନ୍ଦ୍ର କୁମାର ପାତ୍ର, ଜିଲ୍ଲା କ୍ରିଡା ଅଧିକାରୀ ଚନ୍ଦନ ସାହୁ ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ। ଆଜି ମଧ୍ୟ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ୧୭୯ ଗୋଟି ବହୁମୁଖୀ ଆଶ୍ରୟ ସ୍ଥଳରେ ଏହି ପରି ମକଡ୍ରିଲର ଆୟୋଜନ କରାଯାଇଥିଲା।