ଭଦ୍ରକ, ୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କଣ୍ଟିଘାଇ ଠାରୁ ମଣିନାଥପୁର ପର୍ଯ୍ୟନ୍ତ ବିପର୍ଯ୍ୟସ୍ତ ୩ କିଲୋମିଟର ବ୍ୟାପି ବୈତରଣୀ ନଦୀବନ୍ଧର ଗର୍ତ୍ତଗୁଡିକୁ ଗୁରୁବାର ବାଲିବସ୍ତା ପକାଇ ଜଳସମ୍ପଦ ବିଭାଗ ସୁରକ୍ଷିତ କରିଛି । ସେହିପରି ନଦୀବନ୍ଧର ବିନ୍ଧାଣ ରାଜସ୍ୱ ଗ୍ରାମରେ ଥିବା ସ୍ଲୁଇସ ଗେଟକୁ ବାଲିବସ୍ତା ବ୍ୟାପକ ଭାବେ ପକାଯାଇ ସୃଦୃଢୀକରଣ କରାଯାଇଛି । ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ ଶରତ ଚନ୍ଦ୍ର ଘଡେଇଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରାୟ ୩୦ ରୁ ଅଧିକ ଗର୍ତ୍ତଗୁଡିକ ସହ ସ୍ଲୁଇସ ଗେଟକୁ ବାଲିବସ୍ତା ଦ୍ୱାରା ମରାମତି କରାଯାଇଛି । ବର୍ଷାଋତୁ ପରେ ଏହି ନଦୀବନ୍ଧକୁ ସ୍ଥାୟୀଭାବେ ନିର୍ମାଣ କରାଯିବ ବୋଲି ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ଘଡେଇ ସୂଚନା ଦେଇଛନ୍ତି । ଆଜିର ଏହି ମରାମତି ପରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଆଶ୍ୱସ୍ତି ପ୍ରକାଶ ପାଇଛି । ଦୀର୍ଘ ଦିନ ଧରି ନଦୀବନ୍ଧର ଏଭଳି ଅବସ୍ଥାର ସୁଧାର ଆସିଥିବାରୁ ବର୍ଷାଋତୁ ପରେ ପୁନଃନିର୍ମାଣ ଆଶା ପ୍ରକାଶ ପାଇଛି । ଏହା ସହ ବଲ୍ଲଭିଘାଟ-ମଣିନାଥପୁର ବୈତରଣୀ ସେତୁ ଠାରୁ ଭଣ୍ଡାରିପୋଖରୀ-ମଣିନାଥପୁର ପୁର୍ତ୍ତରାସ୍ତା ପର୍ଯ୍ୟନ୍ତ ୨ ଶହ ମିଟର ନଦୀବନ୍ଧକୁ ପ୍ରଶସ୍ତିକରଣ କରାଯାଇ କଂକ୍ରିଟକରଣ କରାଯିବାକୁ ବିଭାଗ ପଦକ୍ଷେପ ଗ୍ରହଣ କରିଛି ବୋଲି ଇଂ ଶ୍ରୀ ଘଡେଇ ସୂଚନା ଦେଇଛନ୍ତି ।