Odiapua.com

ବିପଦ ସଙ୍କୁଳ ଅବସ୍ଥାରେ ବୈତରଣୀ ସେତୁ; ସ୍ଥାୟିତ୍ୱକୁ ନେଇ ପ୍ରଶ୍ନବାଚୀ

ଭଦ୍ରକ, ୧୨ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଓ କେନ୍ଦ୍ରାପଡା ଜିଲାକୁ ସିଧା ସଳଖ ସଂଯୋଗ କରୁଥିବା ଚାନ୍ଦବାଲି ଠାରେ ବୈତରଣୀ ନଦୀ ଉପରେ ନିର୍ମିତ ବୃହତ ବୈତରଣୀ ସେତୁ ଏବେ ବିପଦସଙ୍କୁଳ ହୋଇ ପଡିଛି । ସେତୁ ନିର୍ମାଣ ହେବାର ମାତ୍ର କେଇ ବର୍ଷ ମଧ୍ୟରେ ସେତୁ ଦବି ଯିବା ଏବଂ ଭାରି ଯାନ ଚଳାଚଳ ବେଳେ ସେତୁରେ ଅହେତୁକ କମ୍ପନ ସୃଷ୍ଟି ହେବା ଘଟଣାକୁ ନେଇ ସେତୁ ଉପରେ ନିର୍ଭରଶିଳ ଲୋକେ ଏବେ ଆତଙ୍କିତ ହୋଇ ପଡିଛନ୍ତି । ପୂର୍ବରୁ ଏହି ସେତୁର ପୁର୍ନରୁଦ୍ଧାର ଏବଂ ମରାମତି ସକାସେ ପ୍ରାୟ ୬ କୋଟିରୁ ଉର୍ଦ୍ଧ ଟଙ୍କାର ଏକ ବ୍ୟୟ ବରାଦ କରାଯାଇଥିଲେ ମଧ୍ୟ ଏହି ଅର୍ଥ ସେତୁ ପୁର୍ନରୁଦ୍ଧାର ସକାସେ ପର୍ଯ୍ୟାପ୍ତ ହୋଇନଥିବା ଦର୍ଶାଇ ଏହାର ପୁର୍ନରୁଦ୍ଧାର କରାଯାଇ ନଥିବା ଜଣାପଡିଛି । ଯାହାକୁ ନେଇ ଗତ ସପ୍ତାହ ପୁର୍ତ ବିଭାଗର ମୁଖ୍ୟ ନିର୍ବାହୀ ଯନ୍ତ୍ରୀ ମନୋରଞନ ମିଶ୍ରଙ୍କ ନେତୃତ୍ୱରେ ଏକ ଉଚସ୍ତରିୟ ବୈଷୟିକ ପ୍ରତିନିଧି ଦଳ ସେତୁ ପରିଦର୍ଶନରେ ଆସି ସେତୁ ନିର୍ମାଣର ତୃଟି ସଂର୍ପକରେ ଅନୁଧ୍ୟାନ କରି ଫେରିଛନ୍ତି । ଗତ ୨୦୦୮ ମସିହାରେ ପ୍ରାୟ ୧୭ କୋଟି ଟଙ୍କା ବ୍ୟୟ ଅଟକଳରେ ୪ ସ୍ପାନ ଏବଂ ୨୮୭ ମିଟର ଲମ୍ଭର ଏହି ସେତୁର ଲୋକାର୍ପଣ କରାଯାଇଥିଲା । ଏହି ସେତୁ ନିର୍ମାଣ ହେବା ଫଳରେ ଚାନ୍ଦବାଲି ଏବଂ କଟକ ମଧ୍ୟରେ ପ୍ରାୟ ୫୦ କିମି ଦୁରତା ହ୍ରାସ ପାଇବା ସହିତ କେନ୍ଦ୍ରାପଡା ଏବଂ କଟକକୁ ସିଧା ସଳଖ ସଂର୍ପକ ଯୋଡି ହୋଇ ପାରିଥିଲା । ସେତୁ ନିର୍ମାଣରେ ୧୨ କୋଟି ଏବଂ ବିସ୍ଥାପନ ଥଇଥାନରେ ପ୍ରାୟ ୫ କୋଟି ଏହି ପରି ମୋଟ ପ୍ରାୟ ୧୭ କୋଟି ଟଙ୍କା ଖର୍ଚ କରାଯାଇଥିଲା ।

ଗତ ୨୦୦୮ ମସିହା ମଇମାସ ୨୭ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଏହି ସେତୁ ଏବଂ ଏହାର ସଂଯୋଗକାରୀ ରାସ୍ତାର ଶୁଭ ଉଦଘାଟନ କରାଯାଇଥିଲା । ତେବେ ସେତୁ ନିର୍ମାଣ ହେବାର ମାତ୍ର ୭/୮ ବର୍ଷରେ ସେତୁର କିଛି ଅଂଶ ଧିରେ ଧିରେ ଦବିବାକୁ ଲାଗିଥିବା ବେଳେ ସେତୁ ଉପରେ ଭାରୀଯାନ ଚଳାଚଳ ବେଳେ ସେତୁରେ ଅହେତୁକ କମ୍ପନ ସୃଷ୍ଟି ହେବାକୁ ଲାଗିଥିଲା । ତେବେ ସେତୁ ନିର୍ମାଣକାରୀ ସଂସ୍ଥା ଏହାକୁ ହାଲୁକା ଭାବେ ଗ୍ରହଣ କରିବା ଯୋଗୁ ଧିରେ ଧିରେ ସେତୁ ଅଧିକରୁ ଅଧିକ ଦୁର୍ବଳ ଏବଂ ବିପଦ ସଙ୍କୁଳ ହେବାରେ ଲାଗିଥିଲା । ସେତୁ କାର୍ଯ୍ୟକ୍ଷମ ହେବାର ମାତ୍ର କେଇବର୍ଷ ପରେ ସେତୁର ଏହି ଦୁର୍ବଳତା ପଦାକୁ ଆସିଥିଲେ ମଧ୍ୟ କର୍ତ୍ତୃପକ୍ଷ ଏହାକୁ ଗୁରୁତ୍ୱ ଦେଇନଥିଲେ । ଫଳରେ ସେତୁ ର ସ୍ଥାଇତ୍ୱକୁ ନେଇ ଏବେ ସାଧାରଣ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସ୍ଥାନୀୟ ଲୋକେ ଏହାକୁ ସେତୁ ନିର୍ମାଣକାରୀ ସଂସ୍ଥାଙ୍କ ବିଫଳତା କହୁଥିବା ବେଳେ ଆଉକିଛି ପୂର୍ତବିଭାଗର ଅଦୁରଦର୍ଶିତା ବୋଲି କହୁଛନ୍ତି । ସେତୁ ନିର୍ମାଣ ସକାସେ ମଞ୍ଜୁର ଅର୍ଥକୁ ଯଥାର୍ଥଭାବେ ବିନିଯୋଗ କରାନଯାଇ ଏହାର ବ୍ୟାପକଅର୍ଥ ବାଟମାରଣା କରାଯିବା ଯୋଗୁ ଏହି ଅବସ୍ଥା ସୃଷ୍ଟି ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି । ତେବେ ଏଥିନେଇ ପୂର୍ତ୍ତ ବିଭାଗର ଚାନ୍ଦବାଲି ସେକସନର ସହକାରୀ ଇଂଜିନିୟର ସିଦ୍ଧେଶ୍ୱର ବେହେରାଙ୍କ ସହ ଯୋଗା ଯୋଗ କରାଯାଇଥିବା ବେଳେ ସେ କହିଥିଲେ ଯେ ଗତ କିଛିଦିନ ହେବ ଏହି ସେତୁରେ କିଛି ଡିପ୍ଲେକସନ ଅନୁଭୁତ ହେବା ସହିତ କିଛି ଅଂଶ ଦବି ଯିବା ଭଳି ମନେ ହେଉଛି । ତେବେ ଏଥିନେଇ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ସେ କହିଛନ୍ତି । ତଥାପି ଏହାର ପୁର୍ନରୁଦ୍ଧାର ଏବଂ ସ୍ଥାଇ ମରାମତି ସକାସେ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଗାମୀ ୬ ମାସ ମଧ୍ୟରେ ସେତୁ ମରାମତି ଏବଂ ପୁର୍ନରୁଦ୍ଧାର ପ୍ରକ୍ରିୟା ଚୁଡାନ୍ତ ହେବ ବୋଲି ସେ କହିଛନ୍ତି ।