Odiapua.com

ବିପଦ ସଂକେତ ଅବସ୍ଥାରେ ଶଗଡପଟା ଗ୍ରାମ ନିକଟସ୍ଥ ରେମାଳ ନାଳର ପୋଲ, ବାରମ୍ବାର ଅଭିଯୋଗ ସତ୍ବେ ପ୍ରଶାସନର ଦୃଷ୍ଟି ଆକର୍ଷଣ ହେଉନାହିଁ

ହରିଚନ୍ଦନପୁର,ତା ୨୯ ଅଗଷ୍ଟ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଶଗଡପଟା ଗ୍ରାମରୁ ବିଲ୍ଲା ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାର ରେମାଳ ନାଳର ପୋଲ ବିପଦ ସଂକେତ ଅବସ୍ଥାରେ ଥିବା ବେଳେ ବାରମ୍ବାର ଅଭିଯୋଗ ସତ୍ବେ ପ୍ରଶାସନର ଦୃଷ୍ଟି ଆକର୍ଷଣ ହେଉନାହିଁ, ଯାହାକୁ ନେଇ ଅନେକ ଅସୁବିଧାରେ ଜନସାଧାରଣ । ସୂଚନା ଅନୁଯାୟୀ ଉକ୍ତ ରାସ୍ତାରେ ପଞ୍ଚାୟତର ୯ଟି ଓ୍ବାର୍ଡର ଲୋକମାନେ ନିର୍ଭର କରିଥିବା ବେଳେ ଦୀର୍ଘ ଦିନ ହେବ ପୋଲଟି ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି । ଯାହାକୁ ନେଇ ଅନେକ ସମୟରେ ପଞ୍ଚାୟତ ଠାରୁ ୯ଟି ଓ୍ବାର୍ଡ ଯୋଗାଯୋଗ ବିଚ୍ଛିନ୍ନ ହେଉଥିବା ଜଣାପଡ଼ିଛି ‌। ସାଧାରଣତଃ ଲଘୁଚାପ ଜନିତ ଲଗାଣ ବର୍ଷା ହେଲେ ଏହି ପୋଲ ଉପରେ ପାଣି ପ୍ରବାହିତ ହୋଇଥାଏ । ଫଳରେ ପଞ୍ଚାୟତର ୧, ୨, ୩, ୪, ୫, ୬, ୭, ୧୧, ୧୨ ନମ୍ବର ଓ୍ବାର୍ଡ ତଥା ବିଲ୍ଲା, ଟସରଅଡା, ହତୀକୁଚା, ବେଡାଦୁମା, ବକଳାମୁଣ୍ଡା ଭଳି ଅନେକ ଗ୍ରାମକୁ ଯୋଗାଯୋଗ ବିଚ୍ଛିନ୍ନ ହୋଉଥିବା ଅଭିଯୋଗ ହୋଇଛି । ଏଥିସହ ଏହି ପୋଲଟିର ଅନେକ ସ୍ଥାନରେ ଦବି ଯାଇ ଗ୍ରତ ସୃଷ୍ଟି ହୋଇଥିବା ନେଇ ଯାତାୟତ ପାଇଁ ଗ୍ରାମର ଲୋକମାନେ ପଥର ଖଣ୍ଡ ସଂଗ୍ରହ କରି ଗ୍ରତ ଗୁଡ଼ିକ ପୋତିଥିବା ଜଣାପଡ଼ିଛି ।‌ ଏହାସହ ରାସ୍ତାଟିର ଅବସ୍ଥା ଅତି ଶୋଚନୀୟ ହୋଇଥିବା କାରଣରୁ ଅନେକ ସମୟରେ ଏହି ରାସ୍ତାରେ ବିଭିନ୍ନ ଛୋଟ ବଡ଼ ଘଟଣା ଦୁର୍ଘଟଣା ଦେଖିବାକୁ ମିଳେ । ଏନେଇ ସରପଞ୍ଚ ଓ ସମିତି ସଭ୍ୟ ବାରମ୍ବାର ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇ ଲିଖିତ ସହ ମୌଖିକ ଅଭିଯୋଗ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳିନଥିବା ସୂଚନା ଦେଇଛନ୍ତି । ଯାହାକୁ ନେଇ ଏଠାକାର ସାଧାରଣରତଃ ପ୍ରତ୍ୟେକ ମାସ ପଞ୍ଚାୟତର ଯୋଗାଣ କେନ୍ଦ୍ରରୁ ରାସନ୍ ସାମଗ୍ରୀ ନେବା ପାଇଁ କିମ୍ବା ଅନ୍ୟାନ୍ୟ କାର୍ଯ୍ୟରେ ଆସୁଥିବା ହଜାର ହଜାର ଆଦିବାସୀ ଶ୍ରେଣୀର ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ହେଉଥିବା ମିଳିଛି । ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଯଥାଶୀଘ୍ର ଏଠାରେ ନୂତନ ଭାବେ ଉନ୍ନତମାନର ପୋଲ ସହ ରାସ୍ତା ନିର୍ମାଣ କରାଇବାକୁ ଏଅଞ୍ଚଳବାସୀଙ୍କ ଦାବି ହୋଇଛି ।