Odiapua.com

ବିପଦସଙ୍କେତ ବହୁ ଉର୍ଦ୍ଧରେ ବୈତରଣୀ; କଣ୍ଟିଘାଇରେ ଚାଲୁଛି ବନ୍ୟାଜଳ; ପରିସ୍ଥିତି ଗମ୍ଭୀର

ଭଦ୍ରକ, ୨୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଉପରମୁଣ୍ଡରେ ନାହିଁ ନଥିବା ବର୍ଷା ହେବା ଫଳରେ ମାତ୍ର ଛଅ ଦିନ ଅନ୍ତରରେ ବୈତରଣୀ ନଦୀରେ ଦ୍ୱିତୀୟ ବନ୍ୟା ଆସି ଜଳସ୍ତର ହୁ ହୁ ହୋଇ ବଢ଼ିବାରେ ଲାଗିଛି । ବୁଧବାର ଦିନ ୧୦.୪୦ମି. ସମୟରେ ଆଖୁଆପଦା ଠାରେ ନଦୀର ଜଳସ୍ତର ବିପଦସଙ୍କେତ ସ୍ତର ୧୭.୮୩ ମିଟରକୁ ଅତିକ୍ରମ କରି ସନ୍ଧ୍ୟା ଛଅଟା ସମୟରେ ୧୮.୭୫ମିଟରେ ପ୍ରବାହିତ ହେଉଛି । ଜଳସ୍ତର ଘଣ୍ଟାପ୍ରତି ୮ସେମି ବେଗରେ ବୃଦ୍ଧି ପାଉଥିବା ନେଇ ଜଳସମ୍ପଦ ବିଭାଗ ଆଖୁଆପଦା ବନ୍ୟା ନିୟନ୍ତ୍ରଣ କକ୍ଷ ସୂଚନା ଦେଇଛି । ଗତ ୨୪ ଘଣ୍ଟା ମଧ୍ୟରେ ନଦୀ ଉପରମୁଣ୍ଡ ଆନନ୍ଦପୁରରେ ୧୦୮.୮ମି.ମି., ଆଖୁଆପଦାରେ ୮୧.୬ମି.ମି., କେନ୍ଦୁଝରରେ ୧୫୮.୪ମି.ମି., ଠାକୁରମୁଣ୍ଡାରେ ୧୬୦.୦ମି.ମି., ସ୍ୱାମୀପାଟଣାରେ ୧୭୬.୪ମି.ମି., ଚମ୍ପୁଆରେ ୨୦୧.୦ମି.ମି. ବର୍ଷା ରେକର୍ଡ଼ କରାଯାଇଛି । ନଦୀର ଜଳପତ୍ତନ ଆହୁରି ବୃଦ୍ଧି ପାଇଁ ୨୦ମିଟରକୁ ସ୍ପର୍ଶ କରିପାରେ ବୋଲି ବିଭାଗ ପକ୍ଷରୁ ଆକଳନ କରାଯାଇଛି । ବୁଧିବାର ମଧ୍ୟାନ୍ନରୁ ଭଣ୍ଡାରିପୋଖରୀର ଦୁଃଖ ବୋଲି କୁହାଯାଉଥିବା କଣ୍ଟିଘାଇ ଉପରେ ଦଶ ଫୁଟ ଉଚ୍ଚତାରେ ବନ୍ୟାଜଳ ପ୍ରବେଶ କରୁଛିି । ବ୍ଲକର ପ୍ରମୁଖ ରାସ୍ତା ଭଣ୍ଡାରିପୋଖରୀ-ମଣିନାଥପୁର ପୁର୍ତ୍ତ ବିଭାଗ ରାସ୍ତାର ସର୍ତ୍ତାନାଳ ସେତୁ ଉପରେ ୪ଫୁଟ ଉଚ୍ଚତାରେ ଜଳ ପ୍ରବାହିତ ହୋଇ ଯାଜପୁରକୁ ଯୋଗଯୋଗ ବିଚ୍ଛିନ୍ନ ହୋଇଛି । ଷୋଳମପୁର, ମାଳଦା, ରହଣିଆ, ନପଙ୍ଗ, କୁରିଗାଁ, ବାଲିପୋଖରୀ, ଝୁଟୁଣା, ବନ୍ଦାଳୋ-ମଢ଼ିଆଳି ଆଦି ପଞ୍ଚାୟତର ୩୬ଟି ଗ୍ରାମ ଜଳବନ୍ଦୀ ହୋଇଛି । ମଣିନାଥପୁର, ଷୋଳମପୁର, ତିଖିଲିଆ, ଦାଣ୍ଡକୂଳ, ବରାହନୂଆପଡ଼ା, ବିରୋଳି, ବିନ୍ଧାଣ, ମୁଢ଼ାପଦା, ମାଳଦା, ଚତୁର୍ଭୁଜପୁର, ଜଳହରୀ, ସାରଣା, ନପଙ୍ଗ, ଜୋରାଗଡ଼ିଆ, ନୌରଙ୍ଗପୁର, ଦେଉଳପଦୀ, ରାଣୀଗଡ଼ିଆ, ରହଣିଆ, ଷଠଗାଁ, ଝୁଟୁଣା, ବନ୍ଦାଳୋ, ମଢ଼ିଆଳି, ବଳିପୁର, ମହେଶପୁର ଆଦି ଗ୍ରାମ ସମ୍ପୁର୍ଣ୍ଣ ଜଳବନ୍ଦୀ ହୋଇଛି ।

ସେହିପରି ରେବ ଓ କପାଳି ନଦୀରେ ବନ୍ୟା ଆସି ବିଷ୍ଣୁପୁର, ନଗୁଆଁ, ନିର୍ଗୁଣ୍ଡି, ସାନଶାସନ ଓ ଜଳମଣ୍ଡୁଆ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଜଳ ପ୍ରବେଶ କରିବା ସହ ଧାନଜମି ଜଳମଗ୍ନ ହୋଇଛି । ବୁଧିବାର ମଧ୍ୟ ବର୍ଷା ଲାଗି ରହିଥିବାରୁ ପରିସ୍ଥିତି ଅଧିକ ଗମ୍ଭୀର ହେବ ବୋଲି ଆଶଙ୍କା କରାଯାଉଛି । ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ, ଉପଜିଳ୍ଲାପାଳ ପିତାମ୍ବର ସାମଲ, ବିଡିଓ ବିଜୟ କୁମାର ସାହୁ, ତହସିଲଦାର ମୃତ୍ୟୁଞ୍ଜୟ ଭୂୟାଁ ବନ୍ୟାଞ୍ଚଳ ପରିଦର୍ଶନ କରି ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିଛନ୍ତି । ବନ୍ୟାପ୍ରବଣ ପଞ୍ଚାୟତଗୁଡିକରେ ଶୁଖିଲା ଖାଦ୍ୟ ମହଜୁଦ ରଖିବା ସହ ବନ୍ୟା ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ କରି ରଖି ଉଦ୍ଧାର ଓ ରିଲିଫ ପାଇଁ କର୍ମଚାରୀ ମୁତୟନ କରାଯାଇଛି । ତଳିହା ଅଞ୍ଚଳର ଜନସାଧାରଣଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି । ବ୍ଲକରେ ଦୁଇ ଟିମ ଏନଡିଆରଏଫ ଆସି ପହଞ୍ôଚଛନ୍ତି । ଜଳସମ୍ପଦ ବିଭାଗ ପକ୍ଷରୁ ନଦୀବନ୍ଧର ବିଭିନ୍ନ ସମ୍ବେଦନଶୀଳ ସ୍ଥାନଗୁଡିକରେ ସତର୍କ ଦୃଷ୍ଟି ରଖାଯାଇ ବାଲିବସ୍ତା ମହଜୁଦ କରି ରଖାଯାଇଛି ।