Odiapua.com

ବିପଦସଙ୍କେତ ଉପରେ ବୈତରଣୀ ପ୍ରବାହିତ

ଭଦ୍ରକ, ୧୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ବୈତରଣୀ ନଦୀ ଶନିବାର ଦିନ ଆଖୁଆପଦା ଠାରେ ବିପଦସଙ୍କେତ ସ୍ତର ଅତିକ୍ରମ କରିଛି। ସନ୍ଧ୍ୟା ୬ଟା ସୁଦ୍ଧା ନଦୀର ଜଳସ୍ତର ବିପଦସଙ୍କେତ ସ୍ତର ୧୭.୮୩ ମିଟରକୁ ଅତିକ୍ରମ କରି ୧୮.୦୩ ମିଟରରେ ପ୍ରବାହିତ ହେଉଛି ଓ ଜଳସ୍ତର ଘଣ୍ଟାପ୍ରତି ୧ ମି.ମି. ବେଗରେ ବୃଦ୍ଧି ପାଉଥିବା ଜଣାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ନଦୀର ଉପରମୁଣ୍ଡ ଚମ୍ପୁଆରେ ୧୦.୨୦ ମି.ମି., କେଉଁଝରରେ ୨୯.୬୦ ମି.ମି., ସ୍ୱାମୀପାଟଣାରେ ୨୭.୨୦ ମି.ମି., ଠାକୁରମୁଣ୍ଡାରେ ୨୭.୦୦ ମି.ମି., ଆନନ୍ଦପୁରରେ ୧.୦ ମି.ମି. ଓ ଆଖୁଆପଦାରେ ୧୪.୦୦ ମି.ମି. ବର୍ଷା ରେକର୍ଡ କରାଯାଇଛି। ନଦୀର ଜଳସ୍ତର ଆଖୁଆପଦାରେ ୧୮.୨୦ମିଟର ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି ବୋଲି ଜଳସେଚନ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ତେବେ ଆନନ୍ଦପୁର ଠାରେ ନଦୀର ଜଳସ୍ତର ହ୍ରାସ ପାଉଥିବାରୁ ଶନିବାର ମଧ୍ୟରାତ୍ର ସୁଦ୍ଧା ଆଖୁଆପଦାରେ ଜଳସ୍ତର ସ୍ଥିର ହୋଇ ହ୍ରାସ ପାଇପାରେ ବୋଲି ବିଭାଗ ଅନୁମାନ ଲଗାଇଛି। ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଆଖୁଆପଦା, ବାଲିପୋଖରୀ ଏସକେପ ଓ କଣ୍ଟିଘାଇ ପରିଦର୍ଶନ କରିଛନ୍ତି। ବନ୍ୟା ପରିସ୍ଥିତି ସମ୍ପର୍କରେ ଆଖୁଆପଦା ଜଳସେଚନ ସହକାରୀ ନିର୍ବାହୀ ଯନ୍ତ୍ରୀ ଶଙ୍କର୍ଷଣ ବେହେରା, କନିଷ୍ଠ ଯନ୍ତ୍ରୀ ସୁଶାନ୍ତ କୁମାର ଦାସଙ୍କ ସହ ଜିଲ୍ଲାପାଳ ଆଲୋଚନା କରିଥିବା ଜଣାଯାଇଛି। ବନ୍ୟା ପରିସ୍ଥିତି ମୁକାବିଲା ଲାଗି ରାଜ୍ୟ ସରକାରଙ୍କ ଦ୍ୱାରା ସ୍ୱତନ୍ତ୍ର ଭାବେ ନିୟୋଜିତ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଧନେଶ୍ୱର ସାମଲ ଶନିବାର ରାତ୍ରରେ ଆଖୁଆପଦା ଆସୁଥିବା ଜଣାଯାଇଛି। ବ୍ଲକ ପ୍ରଶାସନ ପକ୍ଷରୁ ମଣିନାଥପୁର, ଜଳହରୀ ଓ ବନ୍ଦାଳୋ ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ କରି ରଖାଯାଇଛି। ତହସିଲ ପକ୍ଷରୁ ମଧ୍ୟ ନଦୀକୂଳ ରାଜସ୍ୱ ନିରୀକ୍ଷକଙ୍କୁ ସଜାଗ ରଖାଯାଇଛି। କ୍ରମାଗତ ଭାବେ ବର୍ଷା ଲାଗି ରହିଥିବାରୁ ତଳିହା ଅଞ୍ଚଳ ଜଳମଗ୍ନ ହୋଇ ରହିଛି।