Odiapua.com

ବିପଦରେ ଧୀବର କୂଳ, ଟ୍ରଲରରେ ଲାଗିପାରୁନି ସତର୍କ ସୂଚନା ଯନ୍ତ୍ର, ୧୧ ବର୍ଷ ହେଲା ସଂପୂର୍ଣ୍ଣ ହେଉନି ଯୋଜନା

ଭଦ୍ରକ, ୨୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗଭୀର ସମୁଦ୍ରରେ ହଜିଯାଉଛନ୍ତି, ବୁଡିଯାଉଛନ୍ତି ଧୀବରମାନେ । ଏମାନଙ୍କୁ ସୁରକ୍ଷା ଦେବାପାଇଁ ତିଆରି ହେଲା ଯୋଜନା । ସମୁଦ୍ର ମଝିରେ କିଛି ଦୁର୍ଘଟଣାର ସମ୍ମୁଖୀନ ହେଲେ ଏହି ଧୀବରମାନଙ୍କୁ କେବଳ ଦୁଇଟି ବଟମ୍ ଟିପିବାକୁ ପଡିବ । ବାସ୍ ଏହି ବଟମ୍ ଟିପାର ଦୁଇ ମିନିଟ୍ ମଧ୍ୟରେ ସତର୍କ ହୋଇଯିବେ ସମୁଦ୍ରରେ ପ୍ରହରା ଦେଉଥିବା ସୁରକ୍ଷା ବାହିନୀ । ବଂଚିଯିବ ଟ୍ରଲର ଓ ସେଥିରେ ଥିବା ବହୁ ମୂଲ୍ୟ ଜୀବନ । ମାତ୍ର ମତ୍ସ୍ୟଜୀବୀଙ୍କ ସୁରକ୍ଷା କେବଳ କାଗଜପତ୍ରରେ ରହିଯାଇଛି । ୨୦୧୦ ରୁ ଆରମ୍ଭ ହୋଇଥିବା ଏହି ସୁରକ୍ଷା ଯୋଜନା ଆଜିଯାଏ ସଂପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହୋଇପାରୁନି । ତଥ୍ୟ ଅନୁସାରେ ୧୯୭୬ ମସିହାରେ ପ୍ରତିଷ୍ଠା ହୋଇଥିଲା ଉପକୂଳର ସୁରକ୍ଷା ପାଇଁ ତଟରକ୍ଷୀ ବାହିନୀ । ୨୦୦୯ ରେ ପ୍ରତିଷ୍ଠା ହେଲା ସାମୁଦ୍ରିକ ଥାନା । ଶେଷରେ ୨୦୧୦ ରେ ଯୋଜନା ହେଲା ସମୁଦ୍ରରେ ମାଛ ମାରୁଥିବା ଧୀବରମାନଙ୍କ ସୁରକ୍ଷା ପାଇଁ ଆଗରୁ ପ୍ରତିଷ୍ଠା ହୋଇଥିବା ତଟରକ୍ଷୀ ବାହିନୀ ଓ ସାମୁଦ୍ରିକ ଥାନା ବାହିନୀ ତୁରନ୍ତ ସାହାଯ୍ୟ ଦେବାର ବନ୍ଦୋବସ୍ତ । ସମୁଦ୍ରକୁ ମାଛ ମାରିବାକୁ ଯାଉଥିବା ପଂଜିକୃତ ଟ୍ରଲର ଗୁଡିକରେ ଲାଗିବ ଟ୍ରାଞ୍ଜିଷ୍ଟର । କାରଣ କୂଳରୁ ୨୨ କିଲୋମିଟର ସମୁଦ୍ର ମଧ୍ୟରେ ସାମୁଦ୍ରିକ ଥାନା ନିଜ ସୁରକ୍ଷା ବଳୟ ତିଆରି କରିଥିବାବେଳେ କୂଳରୁ ୧୦୦ କିଲୋମିଟର ସମୁଦ୍ର ଭିତରକୁ ମାଛ ମାରିବାକୁ ଯାଉଥିବା ମତ୍ସ୍ୟଜୀବୀମାନଙ୍କ ସୁରକ୍ଷା କେବଳ ତଟରକ୍ଷୀ ବାହିନୀ କରିପାରିବେ । ଏଥିପାଇଁ ଟ୍ରଲର ଗୁଡିକରେ ଟ୍ରାଞ୍ଜିଷ୍ଟର ଲାଗିବାର ବନ୍ଦୋବସ୍ତ ହୋଇଛି । ଇସ୍ରୋ ପକ୍ଷରୁ ବୈଷୟିକ ଜ୍ଞାନକୌଶଳରେ ନିର୍ମିତ ଏହି ଟ୍ରାଞ୍ଜିଷ୍ଟର ବ୍ୟବହାର ପାଇଁ ଟ୍ରଲରରେ କାମ କରୁଥିବା ଚାଳକମାନଙ୍କୁ ତାଲିମ୍ ମଧ୍ୟ ଦିଆଯିବାର ବ୍ୟବସ୍ଥା ହୋଇଥିଲା । ଏହି ଟ୍ରାଞ୍ଜିଷ୍ଟରରେ ୪ଟି ବଟମ୍ ରହିଛି । ସବୁଗୁଡିକ ନାଲି ରଂଗର ।

ଏହି ବଡ ବଡ ବଟମରେ ଛବି ରହିଛି, କେଉଁଟା ନିଆଁ ଲାଗିଲେ, କେଉଁଟା ଟ୍ରଲରର ଯାନ୍ତ୍ରିକ ତ୍ରୁଟି ଦେଖାଦେଲେ, ଆଉ କେଉଁଟା ବାହାର ଟ୍ରଲର ଆକ୍ରମଣ କଲେ ଓ ଶେଷଟି କୌଣସି ଅଚାନକ ଦେଶ ଉପରେ ଆକ୍ରମଣ ଯୋଜନା କରୁଥିବା ଘଟଣା ଦେଖିଲେ । ବଟମ୍ ଟିପିଲେ ସାଟେଲାଇଯ୍ ମାଧ୍ୟମରେ ହାଇଦ୍ରାବାହଦ ଓ ଚେନ୍ନାଇକୁ ୫ ସେକେଣ୍ଡ ମଧ୍ୟରେ ତତ୍‌କ୍ଷଣାତ୍ ଖବର ପାଇଯିବେ । ଚେନାଇରେ ଥିବା ତଟରକ୍ଷୀ ବାହିନୀର ଅଧିକାରୀ ତୁରନ୍ତ ସାଟେଲାଇଟ୍ ଜରିଆରେ ଆକ୍ଷାଂଶ ଓ ଦ୍ରାଘିମାରେ ଏହି କାଣ୍ଡ କେଉଁ ଜାଗାରେ ହେଉଛି, ତାହା ନିରୂପଣ କରି ସଂପୃକ୍ତ ଅଂଚଳରେ ପଇଁତରା ମାରୁଥିବା ତଟରକ୍ଷୀ ବାହିନୀ ଓ ସାମୁଦ୍ରିକ ଥାନାକୁ ଖବର ଦେଇଦେବେ । ଫଳରେ ଅମୂଲ୍ୟ ଜୀବନ ସୁରକ୍ଷିତ ହୋଇଯିବ । ଓଡ଼ିଶା ସରକାର ପ୍ରାଥମିକ ପର୍ଯ୍ୟାୟରେ ୪୮୦ କିଲୋମିଟର ବେଳାଭୂମି ସନ୍ନିକଟ ମତ୍ସ୍ୟଜୀବୀ ପଂଜିକୃତ ଟ୍ରଲର ମଧ୍ୟରୁ ୨ ହଜାର ଟ୍ରଲରରେ ଟ୍ରାଞ୍ଜିଷ୍ଟର ଲଗାଇବା ପାଇଁ ଯୋଜନା କରିଥିଲେ । ପ୍ରତ୍ୟେକ ଟ୍ରାଞ୍ଜିଷ୍ଟରର ମୂଲ୍ୟ ୧୧ ହଜାର ଟଙ୍କା । ଭଦ୍ରକ ଜିଲାର ଧାମରା, ଚନ୍ଦିନୀପାଳ, ଚୂଡାମଣି, କଷିଆ ଆଦି ସ୍ଥାନରେ ମାଛ ମାରୁଥିବା ୨ ଶହ ଟ୍ରଲର ପଂଜିକୃତ ହୋଇଛନ୍ତି । ଜିଲା ମତ୍ସ୍ୟ ବିଭାଗକୁ ଏଥିପାଇଁ ଅନୁଦାନ ମଧ୍ୟ ଆସିଛି । ବିଡମ୍ବନା ଏହିଯେ, ୨୦୧୦ ରୁ ଆଜିଯାଏ ଭଦ୍ରକ ଜିଲାରେ ମାତ୍ର ୪୩୧ ଟି ଟ୍ରାଞ୍ଜିଷ୍ଟର ଟ୍ରଲରରେ ଲାଗିଛି । ୧୧ ବର୍ଷ ମଧ୍ୟରେ ଲାଗିଛି ୪୩୧ ଟି । ମତ୍ସ୍ୟବିଭାଗ କହୁଛି ଆହୁରି ୧୩୦ ଟି ଟ୍ରାଞ୍ଜିଷ୍ଟର ପାଇଁ ବରାଦ ହୋଇଛି । ଯଦି ଲଙ୍ଗର କରି ରହିଥିବା ଏହି ଟ୍ରଲରମାନଙ୍କରେ ସରକାର ଏବେ ଏହି ଟ୍ରାଞ୍ଜିଷ୍ଟର ଗୁଡିକ ଲଗାଇ ଦିଅନ୍ତେ, ତେବେ ଚଳିତ ବର୍ଷାଦିନରେ ଝଡବାତ୍ୟାରେ ବିପଦର ସମ୍ମୁଖୀନ ହେଉଥିବା ଏହି ଟ୍ରଲରଗୁଡିକ ସୁରକ୍ଷା ପାଇପାରନ୍ତା । ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଓ ଧୀବରମାନଙ୍କ ଆନ୍ତରିକତା ପାଇଁ ଏହି ଯୋଜନା କାର୍ଯ୍ୟକାରୀ ହୋଇପାରୁନାହିଁ ।