Odiapua.com

ବିନ୍ଦୁ ମାଧବ ବାଗୁରାଇ ସରକାରୀ ହାଇସ୍କୁଲରେ ବାର୍ଷିକ କ୍ରୀଡା ଉତ୍ସବ ଉଦ୍‌ଯାପିତ

ଭଦ୍ରକ, ୧୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିନ୍ଦୁ ମାଧବ ବାଗୁରାଇ ସରକାରୀ ହାଇସ୍କୁଲରେ ଆଜି ବାର୍ଷିକ କ୍ରୀଡା ଉତ୍ସବ ଉଦ୍‌ଯାପିତ ହୋଇଯାଇଛି। ଗତ ୧୮ ତାରିଖରେ ଏହି କ୍ରୀଡା ଉତ୍ସବ ଆରମ୍ଭ ହୋଇଥିଲା। ଏଥିରେ ଉଭୟ ବାଳକ ବାଳିକା ବର୍ଗରେ ଦୌଡ ପ୍ରତିଯୋଗିତା, ଲଙ୍ଗଜମ୍ପ, ହାଇଜମ୍ପ, ସ୍ପୁଟିଙ୍ଗ ଦି ସଟ୍‌, ଡିସ୍‌କସ୍ ଥ୍ରୋ ଆଦି ବିଭିନ୍ନ କ୍ରୀଡା ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଥିଲା। ଉଦ୍‌ଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲା ଶିକ୍ଷାଧିକାରୀ ଦୀପକ କୁମାର ପାଢୀ ଯୋଗଦେଇ କ୍ରୀଡା ଛାତ୍ର ଜୀବନର ଅଙ୍ଗ ବୋଲି ବକ୍ତବ୍ୟ ରଖିଥିଲେ। ଅନ୍ୟତମ ଅତିଥି ଭାବେ ସିଟିଡିଏସ୍‌ପି ଅଂଶୁମାନ ଦ୍ୱିବେଦୀ ପ୍ରତିଯୋଗୀମାନଙ୍କୁ ପ୍ରତିଯୋଗିତାର ହାର ଓ ଜିତ୍ ସଂପର୍କରେ ବିଭିନ୍ନ ଉଦାହରଣ ଦେଇ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ। ପାଠପଢା ସହ କ୍ରୀଡାକୁ କ୍ୟାରିୟର ଭାବେ ଗ୍ରହଣ କରିବା ପାଇଁ ପ୍ରେରଣା ଦେଇଥିଲେ। ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ଅକ୍ଷୟ କୁମାର ପଣ୍ଡା ଓ ପୂର୍ବତନ ଛାତ୍ର ରାକେଶ କୁମାର ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦେଇ କ୍ରୀଡା ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ। ଉଦ୍‌ଯାପନୀ ସଭାରେ ଅତିରିକ୍ତ ଜିଲା ଶିକ୍ଷାଧିକାରୀ ଡ. ମାୟାଧର ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ କ୍ରୀଡା ପ୍ରତିଯୋଗୀମାନଙ୍କୁ ଜାତୀୟ କ୍ରୀଡାବିତ୍‌ମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଡିଏସ୍‌ପି ରଙ୍ଗବଲ୍ଲଭ ଜେନା, ଗୋଷ୍ଠୀ ଶିକ୍ଷାଧିକାରୀ ଚକ୍ରଧର ମଲ୍ଲିକ, କାଉନ୍‌ସିଲର ସ୍ୱାଗତିକା ନାୟକ ଯୋଗଦେଇ ପ୍ରତିଯୋଗୀମାନଙ୍କୁ ପ୍ରେରଣା ଦେଇଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ. ପ୍ରଫୁଲ୍ଲ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ସହକାରୀ ଶିକ୍ଷକ ରବି ନାରାୟଣ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିଲେ। ତରୁଣ କୁମାର ଭଟ୍ଟାଚାର୍ଯ୍ୟ ଧନ୍ୟବାଦ ଦେଇଥିଲେ। କ୍ରୀଡା ଶିକ୍ଷକ ତପନ କୁମାର ମିଶ୍ର କ୍ରୀଡା ପରିଚାଳନା କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ କ୍ରୀଡା ପରିଚାଳନାରେ ସହଯୋଗ କରିଥିଲେ।