Odiapua.com

ବିନ୍ଦୁସାଗରର ହେବ ରୂପାନ୍ତର- ବିନ୍ଦୁସାଗରକୁ ସ୍ୱଚ୍ଛ କରିବା କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ବିନ୍ଦୁସାଗରର ପ୍ରତିଟି ଜଳ ବିନ୍ଦୁ ପବିତ୍ର – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ୯-୧ (ଓଡ଼ିଆ ପୁଅ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି 5T କାର୍ଯ୍ୟକ୍ରମ ଅଧିନରେ ଏକାମ୍ର ଯୋଜନାରେ ବିନ୍ଦୁସାଗରର ପାଣିକୁ ସ୍ବଚ୍ଛ କରିବା ପାଇଁ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିନ୍ଦୁ ସାଗର ମୋ ପାଇଁ ସବୁବେଳେ ଏକ ବଡ଼ ଆକର୍ଷଣ ହୋଇ ରହିଛି। ଦେଶର ସବୁ ତୀର୍ଥ ଜଳ ବିନ୍ଦୁ ସାଗରରେ ଏକାଠି ହୋଇଛି। ବିନ୍ଦୁସାଗରର ପ୍ରତିଟି ଜଳ ବିନ୍ଦୁ ପବିତ୍ର। ବିନ୍ଦୁସାଗର ଜାତୀୟ ସଂହତି ଓ ଏକତାର ପ୍ରତୀକ। ବିନ୍ଦୁସାଗର ଏକ ତୀର୍ଥ ପୋଖରୀ ନୁହେଁ, ପୁରୁଣା ଭୁବନେଶ୍ୱରର ଲୋକମାନଙ୍କ ସାମାଜିକ ଏବଂ ସାଂସ୍କୃତିକ ଜୀବନ ସହ ଏହାର ନିବିଡ଼ ସଂପର୍କ ରହିଛି ବୋଲି ସେ କହିଥିଲେ। ତେଣୁ ଏହାକୁ ସ୍ୱଚ୍ଛ ରଖିବା ଆମ ସମସ୍ତଙ୍କର ନୈତିକ ଦାୟୀତ୍ବ ବୋଲି ସେ ମତ ଦେଇଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଲିଙ୍ଗରାଜ ମହାପ୍ରଭୁଙ୍କ ପବିତ୍ର ଧାମ ଭୁବନେଶ୍ଵର କେବଳ ଏକ ମନ୍ଦିରମାଳିନୀ ନଗରୀ ନୁହେଁ, ଏଠାରେ ଅନେକ ତୀର୍ଥ ପୋଖରୀ ମଧ୍ୟ ରହିଛି। ସେଗୁଡ଼ିକର ପରିବେଶକୁ ସ୍ଵଚ୍ଛ ରଖିବା ସମସ୍ତଙ୍କର ଦାୟୀତ୍ତ୍ୱ।

ସେ ପୁଣି କହିଥିଲେ ଯେ, ଆଗାମୀ ଦିନରେ ବିଶୁଦ୍ଧ ଜଳ ସାରା ବିଶ୍ୱ ପାଇଁ ଏକ ବଡ଼ ଆହ୍ବାନ ହେବାକୁ ଯାଉଛି। ତେଣୁ ଏ କ୍ଷେତ୍ରରେ ଏକାମ୍ର ଅଂଚଳରେ ରହିଥିବା ୨୦ରୁ ଅଧିକ ଛୋଟ ବଡ଼ ତୀର୍ଥ ପୋଖରୀର ସୁରକ୍ଷା ପାଇଁ ନାଗରିକ ସମାଜ ଆଗେଇ ଆସିବାକୁ ସେ ଆହ୍ବାନ ଦେଇଥିଲେ।

ସେ ପୁଣି କହିଥିଲେ ଯେ, ସ୍ଵଚ୍ଛ ଜଳ ହିଁ ସମୃଦ୍ଧ ଜୀବନ। ସମସ୍ତଙ୍କ ସହଯୋଗରେ ଆମର। ରୂପାନ୍ତରର (Transformation) ଲକ୍ଷ ପୂରଣ ହେବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ।

ଏହି କାର୍ଯ୍ୟକ୍ରମ ପାଇଁ Indian Oil Corporation, Indian Chemicals Instituteର ସହଯୋଗ ପାଇଁ ସେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଜଣାଇଥିଲେ।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ ଏକାମ୍ର ଯୋଜନା କାମକୁ ଆଗେଇ ନେବା ପାଇଁ A.S.I, ତଥା ଭାରତ ସରକାର ପୂର୍ଣ୍ଣ ସହଯୋଗ ଯୋଗାଇ ଦେବେ। ଓଡ଼ିଆ ଜାତିର ଏ ମହାନ ଗୌରବକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ସମସ୍ତେ। ଏକାଠି କାମ କରିବାକୁ ଶ୍ରୀ ପ୍ରଧାନ ଆହ୍ବାନ ଜଣାଇଥିଲେ।

ରାଜ୍ୟ ପୁର୍ତ୍ତ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ମଲ୍ଲିକ ସଂସ୍କୃତିର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଭିନବ ପ୍ରୟାସର ଉଚ୍ଚ ପ୍ରଶଂସା କରିଥିଲେ। ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏକାମ୍ର କ୍ଷେତ୍ରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ବିଷଦ ଆଲୋଚନା କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିର ପ୍ରଶଂସା କରିଥିଲେ।

ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ, ସାଂସଦ ଶ୍ରୀ ରଘୁନାଥ ମହାପାତ୍ର ପ୍ରମୁଖ ସେମାନଙ୍କର ବକ୍ତବ୍ୟ ରଖିଥଲେ। IOCLର ଅଧ୍ୟକ୍ଷ ଓ ICTର କୁଳପତି ଏହି କାର୍ଯ୍ୟକ୍ରମ ସଂପର୍କ ରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ବିଶିଷ୍ଟ ବ୍ୟକ୍ତିଙ୍କ ସହିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ପଦାଧିକାରୀମାନେ ଯୋଗ ଦେଇଥିଲେ।

ସୂଚନାଯୋଗ୍ୟ ଯେ, ଏହି କାର୍ଯ୍ୟକ୍ରମ ପାଇଁ Indian Chemicals Institute ଏବଂ Indian Oil Corporation ସହିତ ରାଜ୍ୟ ସରକାର ୨୦୨୦ ଜୁନ୍ ମାସରେ ଏକ ବୁଝାମଣା ପତ୍ର ସ୍ବାକ୍ଷର କରିଥିଲେ।Indian Chemicals Technology ଦ୍ୱାରା ବିକଶିତ ହୋଇଥିବା Hydro-Dynamic Cavitation Technology ଜରିଆରେ ତୀର୍ଥ ପୋଖରୀଗୁଡ଼ିକର ଜଳର ସ୍ବଚ୍ଛତା ରଖିବା ପାଇଁ କାର୍ଯ୍ୟକ୍ରମ ଗ୍ରହଣ କରାଯିବ। ରାଜ୍ୟ ସରକାର ଏଥି ପାଇଁ ଭିତ୍ତିଭୂମି ସୁବିଧା ଯୋଗାଇ ଦେବେ ଏବଂICT-IOC ପକ୍ଷରୁ Hydro-Dynamic Pump ନିୟୋଜିତ କରାଯିବ।