Odiapua.com

ବିନା ସୂଚନା ଫଳକରେ କଲେଜ ରାସ୍ତା ନିର୍ମାଣ ଆଳରେ ଲକ୍ଷାଧିକ ଟଙ୍କା ଚଳୁ ଉଦ୍ୟମ

ଭଦ୍ରକ, ୧୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକର ବିଭିନ୍ନ ପଂଚାୟତରେ ଉନ୍ନୟନକାର୍ଯ୍ୟ ଆଳରେ ସରକାରୀ ଅର୍ଥକୁ ବିଭାଗୀୟ ଅଧିକାରୀ ଓ ଠିକାଦାର ମାନେ ନିମ୍ନମାନର କାର୍ଯ୍ୟକରି ଏବଂ କୌଣସି ସୂଚନା ଫଳକ ନଲାଗାଇ ସରକାରୀ ଅର୍ଥକୁ ହରିଲୁଟ୍ କରୁଛନ୍ତି। ଏପରି ଏକ ଘଟଣା ଘଟିଛି ମୁସ୍ତଫାପୁର ପଂଚାୟତର। ଏହି ପଂଚାୟତର ଧାମନଗର ମହାବିଦ୍ୟାଳୟ ଅବସ୍ଥିତ ଥିବାବେଳେ ଏଠାରେ ପ୍ରାୟ ୧୦ଲକ୍ଷରୁ ଉର୍ଦ୍ଧ୍ୱ ଶ୍ରେଣୀଗୃହ ଓ ପାଇଖାନା ଗୃହ ନିର୍ମାଣ ଆଳନରେ ଏବଂ ବିନା ସୂଚନା ଫଳକରେ ନିମ୍ନମାନର କାର୍ଯ୍ୟ କରାଯାଉଛି। ଅପରପକ୍ଷେ ମହାବିଦ୍ୟାଳୟ ମୁଖ୍ୟ ଫାଟକ ଠାରୁ କାର୍ଯ୍ୟାଳୟ ପର୍ଯ୍ୟନ୍ତ ରାସ୍ତା ମରାମତି ପାଇଁ ୩ଲକ୍ଷ ଟଙ୍କା ବିଧାୟକ ପାଣ୍ଠିରୁ ମଞ୍ଜୁର ହୋଇଥିବାବେଳେ ରାସ୍ତାକୁ ଚିପିଂ କରାନଯାଇ ତାହା ଉପରେ ରଡ଼ ବିଛାଯାଇ କଂକ୍ରିଟ କରାଯିବାପାଇଁ ମସୁଧା ଚାଲିଛି। ସେହିପରି ବିଧାୟକ ପାଣ୍ଠିରୁ ମହାବିଦ୍ୟାଳୟର ଛାତ୍ରୀନିବାସ ମରାମତି ପାଇଁ ୭ଲକ୍ଷ ୫୦ହଜାର ଟଙ୍କା ମଞ୍ଜୁର କରାଯାଇ କାର୍ଯ୍ୟ ଆରମ୍ଭ ହେବ। ଏହି ସବୁ କାର୍ଯ୍ୟପାଇଁ ଠିକାଦାର କୌଣସି ସୂଚନା ଫଳକ ନଲଗାଇ ଉକ୍ତ କାର୍ଯ୍ୟ କରୁଥିବାରୁ କାର୍ଯ୍ୟର ମାନ ପ୍ରତି ସନ୍ଦେହ ସୃଷ୍ଟି କରିଛି। ଏ ଦିଗରେ ବିଭାଗୀୟ ଯନ୍ତ୍ରୀ କୁହନ୍ତି କାର୍ଯ୍ୟ ଆରମ୍ଭ ହୋଇଥିବାର ମୁଁ ଜାଣିନାହିଁ ତେବେ ସୂଚନା ଫଳକ ଲଗାଯାଇ କାର୍ଯ୍ୟ କରାଯିବା ନିୟମ ରହିଛି ବୋଲି ଅଧିକାରୀ ପ୍ରକାଶ କରିଛନ୍ତି। ଏ ଦୀଗରେ ବିଡ଼ିଓ ସ୍ୱତନ୍ତ୍ର ଦୃଷ୍ଟିଦେଇ କାର୍ଯ୍ୟର ମାନ ପ୍ରତି ନଜର ଦେବାକୁ ସାଧାରଣରେ ଦାବି ହୋଇଛି।