Odiapua.com

ବିନା ସଲାସୁତୁରାରେ ମୈଦାନକୁ ଓହ୍ଲାଇବେନି ବିଜେଡ଼ି ଓ ବିଜେପି!

ଆଜି ବିଜେପି ତାର ପ୍ରଥମ ପର୍ଯ୍ୟାୟ ଲୋକସଭା ପ୍ରାଥି ତାଲିକା ଘୋଷଣା କଲା। ୧୯୫ ଜଣ ପ୍ରାଥିଙ୍କ ନାମ ଘୋଷଣା ହୋଇଛି। ପାଖାପାଖି ସବୁ ରାଜ୍ୟରୁ କିଛି କିଛି ଆସନରେ ପ୍ରାଥି ଘୋଷଣା କରିଛି ବିଜେପି। ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଥିଲା ଓଡ଼ିଶାରୁ କିଛି ଆସନରେ ଦଳ ପ୍ରାଥି ଘୋଷଣା କରିବ। ବେଶୀ ନ ହେଲେ ବି ସମ୍ବଲପୁରରୁ ଧର୍ମେନ୍ଦ୍ର ପ୍ରଧାନ ଓ ପୁରୀରୁ ସମ୍ବିତ ପାତ୍ରଙ୍କ ନାମ ଘୋଷଣା ହେବ ବୋଲି ଆଲୋଚନା ଜୋର ଧରିଥିଲା। ମାତ୍ର ସବୁ କଳ୍ପନାର ଅବସାନ ଘଟିଲା ଓ ପରୋକ୍ଷ କିମ୍ବା ପ୍ରତ୍ୟକ୍ଷ ସହଯୋଗ ବିନା ଦୁଇ ଦଳ ବିଜେଡ଼ି ଓ ବିଜେପି ସାଧାରଣ ନିର୍ବାଚନ ମୈଦାନକୁ ଓଲ୍ହାଇବେ ନାହିଁ ଏହା ସ୍ପଷ୍ଟ ହୋଇଗଲା।

ଦିଲ୍ଲୀରୁ ଫେରି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସ୍ପଷ୍ଟ ସୂଚନା ଦେଲେ ଓଡ଼ିଶାରେ ମେଣ୍ଟ ହବନାହିଁ। ଓଡ଼ିଶା ନିର୍ବାଚନ ପ୍ରଭାରୀ ଶ୍ରୀ ତୋମାର ମଧ୍ୟ ମିଡ଼ିଆ ଆଗରେ କହିଲେ ଗଠବନ୍ଧନ ହବନି। ଓଡ଼ିଶାରେ ବିଜେପି ଏକାକୀ ଲଢ଼ିବ ଓ ସରକାର ଗଢ଼ିବ। ଏହାପରେ ତୁରନ୍ତ ବିଜେଡ଼ି ମୁଖପାତ୍ର ସସ୍ମିତ ପାତ୍ର ମଧ୍ୟ ଗଠବନ୍ଧନକୁ ଖଣ୍ଡନ କଲେ। ମାତ୍ର ରାଜନୀତି ପାଣିପାଗ ଆଜିର ପ୍ରାଥି ଘୋଷଣା ପରେ ସମ୍ପୂର୍ଣ୍ଣ ବଦଳି ଯାଇଥିବା ରାଜନୀତି ସମୀକ୍ଷକମାନେ ମତାମତ ଦେଉଛନ୍ତି। ସେମାନଙ୍କ ମତରେ ଗୋଟିଏ କଥା ସ୍ପଷ୍ଟ ଦୁଇ ଦଳର ଉପର ସ୍ତରରେ ଯାହା ଖେଳ ହେଉଛି ରାଜ୍ୟର କୌଣସି ଦଳୀୟ ନେତା ଟିକିଏ ଭି ଆଭାସ ପାଇପାରୁନାହାନ୍ତି। ୨୦୧୯ ମସିହାରୁ ଏହି ପରମ୍ପରା ଚାଲିଛି ଓ ସତରଞ୍ଜର ପୁରା ଗୋଟି ବିଜେଡ଼ି ସୁପ୍ରିମୋ ନବୀନଙ୍କ ହାତରେ ଅଛି ବୋଲି ଓଡ଼ିଶାବାସି ଅନୁଭବ କରୁଛନ୍ତି। ବର୍ତ୍ତମାନର ସ୍ଥିତି ଓଡ଼ିଶାରେ ଯାହା ଉଭୟ ବିଜେଡ଼ି ଓ ବିଜେପି ବିନା ମେଣ୍ଟରେ ନିର୍ବାଚନ ଲଢ଼ିଲେ ଏକୁଟିଆ ସରକାର ଗଢି ପାରିବ ନାହିଁ। ତେଣୁ ଘୋଷିତ ଅବା ୨୦୧୯ ମସିହା ପରି ଅଘୋଷିତ ମେଣ୍ଟ ୨୦୨୪ ରେ ଭି ହେବ ଏଥିରେ କୌଣସି ଦ୍ୱିମତ ନାହିଁ। ସାଂସଦ ଟିକଟ ଭାଗବଣ୍ଟା ସରିଛି। ଯାହା ଦିଲ୍ଲୀ ସୂତ୍ରରୁ ଖବର ହସ୍ତଗତ ହୋଇଛି। ନିକଟରେ ବିଜେଡ଼ିର ଜଣେ ଟାଣୁଆ ନେତା ଦିଲ୍ଲୀ ଯାଇ ଏହାକୁ ଚୂଡାନ୍ତ କରିଛନ୍ତି। ଅଧିକା ସାଂସଦ ଆସନ ବିଜେପି ନବ। ବିଜେଡ଼ି କମ ସାଂସଦ ଆସନ ନବ କିନ୍ତୁ ଯାହା ବିଜେଡ଼ି ନିଷ୍ପତ୍ତି ନବ। ୨୧ ଆସନ ପ୍ରାୟ ଚୂଡାନ୍ତ। ଯଦି ଖୋଲା ଗଠବନ୍ଧନ ହୁଏ ତେବେ ଆସନ ଭାଗ ହେଇଯିବ। ୨୦୧୯ ପରି ଯଦି ଭିତିରିଆ ମେଣ୍ଟ ହୁଏ ତେବେ ପରସ୍ପର ବିରୁଦ୍ଧରେ ଦୁର୍ବଳ ପ୍ରାଥି ଦିଆଯିବ।

ଏହି ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିବ ପ୍ରଧାନମନ୍ତ୍ରୀଙ୍କ ଆସନ୍ତା ପାଞ୍ଚ ତାରିଖ ଓଡ଼ିଶା ଗସ୍ତ ଉପରେ। ସେଇ ଦିନ ବିଜେଡ଼ି ଓ ବିଜେପିର ମେଣ୍ଟ ପ୍ରତ୍ୟକ୍ଷ ନା ପରୋକ୍ଷ ତାହା ରାଜ୍ୟବାସୀଙ୍କ ସାମନାରେ ସ୍ପଷ୍ଟ ହୋଇଯିବ।

ପ୍ରିୟ ରଞ୍ଜନ ସାହୁ