Odiapua.com

ବିନା ଲାଇସେନ୍ସରେ ଚାଲିଛି ଖାଦ୍ୟ ବ୍ୟବସାୟ, ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ନିସ୍ତେଜ

ଭଦ୍ରକ, ୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପୌରାଞ୍ଚଳରେ ମାଳ ମାଳ ହୋଟେଲ, ରେଷ୍ଟୁରାଣ୍ଟ। ଏଥିସହିତ ଶତାଧିକ ଠେଲା ବ୍ୟବସାୟୀ ସକାଳେ ସନ୍ଧ୍ୟାରେ ଜଳଖିଆ ବେପାର କରି ନିଜର ପରିବାର ପ୍ରତିପୋଷଣ କରୁଛନ୍ତି। ଏପରି ବ୍ୟବସାୟକୁ ନେଇ ବେପାରୀମାନେ ବେଶ୍ ଲାଭବାନ ହେଉଥିବାବେଳେ ସାଧାରଣ ଖାଉଟି ନିଜ ଅଜାଣତରେ ରୋଗକୁ ନିମନ୍ତ୍ରଣ କରି ଚାଲିଛନ୍ତି। ୯୦ ପ୍ରତିଶତ ହୋଟେଲ, ରେଷ୍ଟୁରାଷ୍ଟ ଓ ଠେଲା ଜଳଖିଆ ଦୋକାନୀ ସରକାରୀ ମାର୍ଗଦର୍ଶିକାକୁ ପାଳନ କରୁନାହାଁନ୍ତି। ସେମାନେ ନିୟମିତ ଭାବରେ ବସି ପଚାସଢା ଖାଦ୍ୟ ବିକ୍ରି କରୁଛନ୍ତି। ଆରଓ ପାନୀୟ ଜଳ ମଧ୍ୟ ଦେଉନାହାଁନ୍ତି। ଏହି ପରିପ୍ରେକ୍ଷୀରେ ଜିଲା ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଏକ ଗୁରୁଦାୟିତ୍ୱ ଥିଲେ ମଧ୍ୟ ବିଭାଗୀୟ ଅଧିକାରୀ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାଁନ୍ତି। କର୍ମଚାରୀ ଅଭାବ ଦର୍ଶାଇ ବିଭାଗୀୟ ଅଧିକାରୀ ନିରବ ରହୁଛନ୍ତି। ଏହାର ସତ୍ୟତା ମଧ୍ୟ ରହିଛି। କାରଣ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ମାତ୍ର ୩ ଜଣ କର୍ମଚାରୀ ଅଛନ୍ତି। ଏହି ୩ ଜଣଙ୍କୁ ନେଇ ଜିଲାର ୭ଟି ବ୍ଲକ୍ ଓ ୪ଟି ନଗର ଅଂଚଳରେ ଶତାଧିକ ହୋଟେଲ, ଠେଲା ବ୍ୟବସାୟଙ୍କ ଖାଦ୍ୟର ମାନ ଓ ସରକାରୀ ମାର୍ଗଦର୍ଶିକା ପାଳନ କରୁଛନ୍ତି କି ନାହିଁ ତାହା ପରଖିବା ସମ୍ଭବ ହୋଇପାରୁନାହିଁ। ତେବେ ହୋଟେଲ ହେଉ କିମ୍ବା ଯେକୌଣସି ପ୍ରକାର ଖାଦ୍ୟ ପରିବେଷଣ କରୁଥିବା ବ୍ୟବସାୟୀ ହୁଅନ୍ତୁ, ସରକାରୀ ନିୟମ ଅନୁଯାୟୀ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରୁ ଲାଇସେନ୍ସ ନେବା ବାଧ୍ୟତାମୂଳକ।

ହେଲେ ସମଗ୍ର ଜିଲାରେ ଏହି ସରକାରୀ ନିୟମ ପ୍ରହସନ ପାଲଟିଛି। ଭଦ୍ରକ ପୌରାଞ୍ଚଳରେ ଶତାଧିକ ହୋଟେଲ, ରେଷ୍ଟୁରାଣ୍ଟ ଓ ରାସ୍ତାକଡର ଠେଲା ବ୍ୟବସାୟୀ ଜଳଖିଆ ପ୍ରସ୍ତୁତ କରି ବ୍ୟବସାୟ କରୁଥିଲେ ମଧ୍ୟ ସେମାନେ ସରକାରୀ ନିୟମକୁ ମାନୁନାହାଁନ୍ତି। ରାସ୍ତାରେ ପ୍ରବଳ ଧୂଳି ଉଡୁଛି। ଏହା ଖୋଲାରେ ରଖି ବିକ୍ରି କରାଯାଉଥିବା ଖାଦ୍ୟ ପଦାର୍ଥରେ ମିଶୁଛି। ଏହାକୁ ଦେଖିବାକୁ କେହି ନାହାଁନ୍ତି। ଏହାବ୍ୟତୀତ ଅଧିକାଂଶ ସ୍ଥାନରେ ପଚାସଢା ଓ ବିଗତ ଦିନରେ ବିକ୍ରି ନହୋଇ ରହିଯାଇଥିବା ବାସି ଖାଦ୍ୟ ବିକ୍ରି କରାଯାଉଛି। ଖୋଦ୍ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ଫାଟକ ସମ୍ମୁଖରେ ବହୁ ବ୍ୟବସାୟୀ ହୋଟେଲ ବେପାର କରୁଛନ୍ତି। ଯେଉଁମାନଙ୍କର କୌଣସି ପ୍ରକାର ଖାଦ୍ୟ ଲାଇସେନସ୍ ନାହିଁ। ସରକାରୀ ସୂଚନା ଅନୁସାରେ ୧୨ ଲକ୍ଷ ଟଙ୍କାର ବ୍ୟବସାୟ କରୁଥିବା ବ୍ୟବସାୟୀ ସ୍ଥାନୀୟ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଓ ୧୨ ରୁ ୩୦ ଲକ୍ଷ ଟଙ୍କା ବେପାର କରୁଥିବା ବ୍ୟବସାୟୀ ରାଜ୍ୟ ଫୁଡ୍ ସେଫ୍‌ଟି ଆଣ୍ଡ ଷାଣ୍ଡାର୍ଡ ଅଥରିଟି ଅଫ୍ ଇଣ୍ଡିଆ ଠାରୁ ଲାଇସେନସ୍ ନେବା ବାଧ୍ୟତାମୂଳକ। ହେଲେ ପୌରାଞ୍ଚଳରେ ଅଧିକାଂଶ ବ୍ୟବସାୟୀ ଏହି ନିୟମ ମାନିବାକୁ ନାରାଜ। ତେବେ ଏ ସମସ୍ତ ବ୍ୟବସାୟୀ ପ୍ରଚଳିତ ଖାଦ୍ୟ ସୁରକ୍ଷା ନିୟମକୁ ଖୁଲମଖୋଲା ଉଲ୍ଲଂଘନ କରିଚାଲିଥିଲେ ମଧ୍ୟ ସେମାନଙ୍କ ଉପରେ ପ୍ରଶାସନର କୌଣସି ନିୟନ୍ତ୍ରଣ ନାହିଁ। ଯାହାର ପରିଣତି ଭୋଗୁଛନ୍ତି ସାଧାରଣ ଖାଉଟି।