Odiapua.com

ବିନା ଫୁଡ଼ ଲାଇସେନ୍ସରେ ଚାଲିଛି ମାଳମାଳ ଫାଷ୍ଟପୁଡ଼ ଦୋକାନ

ପୁରୀ, ୨/୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ପୁରୀ ସହରର ମୁଖ୍ୟ ରାସ୍ତା ବେଳାଭୂମି ଅଞ୍ଚଳ ବଡ଼ଶଙ୍ଖ ଓ ଅନ୍ୟାନ୍ୟ ଅଞ୍ଚଳ ଗୁଡ଼ିକରେ ମାଳମାଳ ଫାଷ୍ଟଫୁଡ଼ ଦୋକାନ ଖୋଲାଯାଇଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ କୌଣସି କଟକଣା ନଥିବା ଯୋଗୁ ବିନା ଫୁଡ଼ ଲାଇସେନ୍ସ ଓ ବିନା ଟ୍ରେଡ଼ ଲାଇସେନ୍ସରେ ଖୋଲିଛି ଏହି ସବୁ ଦୋକାନ। ଦୋକନ ଗୁଡ଼ିକରେ ଯେଉଁ ସବୁ ଖାଦ୍ୟ ପ୍ରସ୍ତୁତ କରାଯାଉଛି ସେଗୁଡ଼ିକର ମାନ ମଧ୍ୟ ଫୁଡ଼ ଇନ୍ସିପେକ୍ଟର ଯାଞ୍ଚ କରୁନଥିବା ଦେଖାଯାଏ। କେବଳ ରଥଯାତ୍ରା ସମୟରେ ପ୍ରସ୍ତୁତ ଖାଦ୍ୟ ଯାଞ୍ଚ କରାଯାଏ ଓ ଭ୍ରାମ୍ୟମାଣ ଅଦାଲତରେ ଜରିମାନା ଆଦାୟ କରାଯିବା ସହ ଦୁଷିତ ଖାଦ୍ୟ ପଦାର୍ଥ ଗୁଡ଼ିକୁ ନଷ୍ଟ କରାଯାଏ। ରଥଯାତ୍ରା ବ୍ୟତୀତ ଅନ୍ୟ କୌଣସି ଦିନ ଖାଦ୍ୟ ନିରୀକ୍ଷକ ଖାଦ୍ୟ ଯାଞ୍ଚ କରୁନଥିବା ଅଭିଯୋଗ ହେଉଛି। ସେହିପରି ବେଳାଭୂମି ଅଞ୍ଚଳରେ ଯେଉଁ ସବୁ ସମୁଦ୍ରମାଛ, ଚୁଙ୍ଗୁଡ଼ି ଆଦି ବିକ୍ରି କରାଯାଉଛି ସେଗୁଡ଼ିକ ମଧ୍ୟ ଜାଞ୍ଚ କରାଯାଉ ନାହିଁ। ଏହି ସବୁ ଫାଷ୍ଟଫୁଡ଼ ଦୋକାନ ବ୍ୟବସାୟୀକ ଗ୍ୟାସ ସିଲିଣ୍ଡର ବ୍ୟବହାର ନକରି ଘରୋଇ ବ୍ୟବହୃତ ଗ୍ୟାସ ସିଲିଣ୍ଡର ମଧ୍ୟ ବ୍ୟବହାର କରୁଥିବା ଦେଖାଯାଏ। ଯୋଗାଣ ବିଭାଗ କର୍ତ୍ତୃପକ୍ଷ ସମସ୍ତ ବିଷୟ ଜାଣୁଥିଲେ ମଧ୍ୟ ନିରବଦ୍ରଷ୍ଟା ସାଜିଥିବା କୁହାଯାଉଛି। ଜିଳା ପ୍ରଶାସନ ଓ ପୌରସଂସ୍ଥା ଏଦିଗରେ ଅନୁସନ୍ଧାନ କରି ବେଆଇନ ଭାବେ ଖୋାଲାଯାଇଥିବା ଦୋକନଗୁଡ଼ିକ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି।