Odiapua.com

ବିନା ଫୁଡ଼ ଲାଇସେନ୍ସରେ ଚାଲିଛି ମାଳମାଳ ଦୋକାନ

ପୁରୀ, ୨୨/୦୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ପୁରୀ ସହର ଏକ ଆନ୍ତଃଜାର୍ତ୍ତୀକ ପର୍ଯ୍ୟଟନ କେନ୍ଦ୍ର ତଥା ପ୍ରମୁଖ ତୀର୍ଥ କେନ୍ଦ୍ର ହୋଇଥିବା ଯୋଗୁଁ ଏଠାକୁ ପ୍ରତ୍ୟହ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥାଏ। ସହରବାସୀଙ୍କ ସମେତ ବାହାରୁ ଆସୁଥିବା ପର୍ଯ୍ୟଟକମାନେ ମଧ୍ୟ ରାସ୍ତାକଡ଼ରେ ଥିବା ଫାଷ୍ଟ ଫୁଡ଼ ଓ ଅନ୍ୟାନ୍ୟ ଖାଦ୍ୟ ପଦାର୍ଥ ଦୋକାନଗୁଡ଼ିକରେ ଖାଇ ମଜା ଉଠାଇଥାନ୍ତି। ସହରର ବଡ଼ଦାଣ୍ଡ ଠାରୁ ଆରମ୍ଭ କରି ପ୍ରମୁଖ ଛକ ତଥା ସାହି ଗଳି କନ୍ଦିରେ ମଧ୍ୟ ବହୁ ଠେଲାଗାଡ଼ିରେ ବିଭିନ୍ନ ପ୍ରକାର ଖାଦ୍ୟ ପଦାର୍ଥ ବିକ୍ରି କରାଯାଉଛି। ହେଲେ, ଶତକଡ଼ା ୮୦ ପ୍ରତିଶତ ଦୋକାନ ଗୁଡ଼ିକର ଫୁଡ଼ ଲାଇସେନ୍ସ ଓ ଟ୍ରେଡ଼ ଲାଇସେନ୍ସ ନଥିବା ଅଭିଯୋଗ ହେଉଛି। ବର୍ଷ-ବର୍ଷ ଧରି ଏମାନେ ବ୍ୟବସାୟ କରି ଆସୁଥିଲେ ମଧ୍ୟ ପୌର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସମ୍ପର୍କରେ କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ଅଭିଯୋଗ ହେଉଛି। ଏପରିକି, ଖାଦ୍ୟ ପଦାର୍ଥଗୁଡ଼ିକ ଖୋଲାରେ ରଖିବା ଦ୍ୱାରା ରାସ୍ତାର ଧୂଳି ଆଦି ପଡ଼ୁଥିବା ମଧ୍ୟ କୁହାଯାଉଛି। ଖାଦ୍ୟ ନିରିକ୍ଷକ ଏହି ଦୋକାନ ଗୁଡ଼ିକର ଖାଦ୍ୟ ପଦାର୍ଥ ଗୁଡ଼ିକର ମାନ ମଧ୍ୟ ନିୟମିତ ଯାଞ୍ଚ କରୁନଥିବା ଅଭିଯୋଗ ହେଉଛି। କୋଭିଡ଼ କଟକଣା ଅନୁଯାୟୀ ଦୋକାନଗୁଡ଼ିକରେ ସାମାଜିକ ଦୂରତା ମଧ୍ୟ ରହୁନଥିବା ଦେଖାଯାଏ। ଜିଲ୍ଲା ପ୍ରଶାସନ ଏହି ଦିଗରେ ବିଧିବଦ୍ଧ ଭାବେ ତଦନ୍ତ କରି ବିନା ଫଉଟ ଲାଇସେନ୍ସରେ ଚାଲୁଥିବା ବ୍ୟବସାୟୀ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି।